ବଦଳିବେ ଟ୍ୱିନ୍ ସିଟି ପୋଲିସ କମିଶନର,  ସତ୍ୟଜିତ ମହାନ୍ତିଙ୍କୁ ମିଳିପାରେ ପ୍ରମୋଶନ! 

375

କନକ ବ୍ୟୁରୋ : ବଦଳିବେ ଟ୍ୱିନ୍ ସିଟି ପୋଲିସ କମିଶନର । ଖୁବଶୀଘ୍ର ଆଇପିଏସ ସ୍ତରରେ ଅଦଳବଦଳ ହେବାକୁ ଥିବା ବେଳେ କଟକ-ଭୁବନେଶ୍ୱର ପୋଲିସ କମିଶନର ସତ୍ୟଜିତ ମହାନ୍ତି ପ୍ରମୋଶନ ପାଇପାରନ୍ତି । ୧୯୮୮ ମସିହା ବ୍ୟାଚର ଏହି ଆଇପିଏସ ଅଧିକାରୀ ଏଡିଜି ପାହ୍ୟାରୁ ଡିଜି ପାହ୍ୟାକୁ ପ୍ରମୋଶନ ପାଇପାରନ୍ତି ।

ମିଳିଥିବା ସୂଚନା ମୁତାବକ, ଡିଜି ପଦରୁ କେ.ବି ସିଂହ ଅବସର ନେବା ପରେ ଗୋଟିଏ ଡିଜି ପଦ ଖାଲି ପଡିଛି । ଶୁଣିବାକୁ ମିଳୁଛି ଆଗାମୀ ଦିନରେ ହେବାକୁ ଥିବା ଆଇପିଏସ ସ୍ତରର ଅଦଳବଦଳ ବେଳେ ଏଡିଜି ର‌୍ୟାଙ୍କରେ ଥିବା ସତ୍ୟଜିତ ମହାନ୍ତି ଡିଜି ପାହ୍ୟାକୁ ପ୍ରମୋଶନ ପାଇ ଯାଇପାରନ୍ତି ।

ଯଦି ଏଭଳି ହୁଏ ତେବେ ଟ୍ୱିନ୍ ସିଟି ପୋଲିସ କମିଶନର ପଦ ଖାଲି ପଡିବ । କାରଣ ନିୟମ କହୁଛି, ଏହି ପଦରେ ଏଡିଜି ର‌୍ୟାଙ୍କର ଜଣେ ଅଧିକାରୀ ରହିପାରିବେ । ଏବେ ଏଡିଜି ର‌୍ୟାଙ୍କରେ ଥିବା କୌଣସି ଅଧିକାରୀଙ୍କୁ ଏହି ପଦରେ ନିଯୁକ୍ତି ଦିଆଯିବ ନା କୌଣସି ଆଇପିଏସ ଅଧିକାରୀଙ୍କୁ ପ୍ରମୋଶନ ଦେଇ ଏହି ପଦରେ ବସାଯିବ ତାହା ଉପରେ ନଜର ରହିଛି ।

ଟ୍ୱିନ୍ ସିଟିରେ କମିଶନର ଦାୟିତ୍ୱରେ ରହୁଥିବା ଅଧିକାରୀଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । କାରଣ ଉଭୟ କଟକ ଓ ଭୁବନେଶ୍ୱରରେ ବିଭିନ୍ନ ଆନ୍ଦୋଳନ ସହ ସମ୍ବେଦନଶୀଳ ଘଟଣା ପ୍ରତିଦିନ ଦେଖିବାକୁ ମିଳିଥାଏ । ଏପରିକି ଟ୍ୱିନ୍ ସିଟିରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପୋଲିସ କମିଶନରଙ୍କ ପାଇଁ ବଡ ଚ୍ୟାଲେଞ୍ଜ । ତେଣୁ ଅଭିଜ୍ଞତା ଓ ଦକ୍ଷ କାର୍ଯଶୈଳୀ ତଥା ସର୍ବୋପରି ଆନୁଗତ୍ୟ ବଡ ମାପଦଣ୍ଡ ଭାବେ ଉଭା ହେବ । କେବଳ ପୋଲିସ କମିଶନର ନୁହେଁ ବରଂ ଆଇପିଏସ ସ୍ତରରେ ମଧ୍ୟ ବଡ ଧରଣର ଅଦଳବଦଳ ହେବାକୁ ଯାଉଛି । ଯଦି ସତ୍ୟଜିତ ମହାନ୍ତିଙ୍କୁ ଡିଜି ପାହ୍ୟାକୁ ପ୍ରମୋଶନ ଦିଆଯାଏ ତେବେ କେଉଁ ଡିଜି ଭାବେ ଦାୟିତ୍ୱ ମିଳିବ ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି । ଏହାଛଡା ବିଭିନ୍ନ ଜିଲ୍ଲାର ଏସପି ମଧ୍ୟ ଅଦଳବଦଳ ହୋଇପାରନ୍ତି । କେବଳ ଆଇପିଏସ ନୁହେଁ ବରଂ ଆଇଏଏସ ସ୍ତରରେ ମଧ୍ୟ ବ୍ୟାପକ ଅଦଳବଦଳ ହୋଇପାରେ ବୋଲି ସୂଚନା ମିଳିଛି ।