ଟ୍ରକ ଡ୍ରାଇଭରଙ୍କ ପରିବାରକୁ ନିଜ ଅଧା ଦରମା ଦେଉଛନ୍ତି ଏହି ଆଇପିଏସ୍ ଅଫିସର ! ଜାଣନ୍ତୁ ଡିସିପିଙ୍କ ଏହି ବଡ ହୃଦୟ ପଛରେ କଣ ରହିଛି କାରଣ ।

44

ମାନବିକତାର ପରିଚୟ ଦେଇଛନ୍ତି ଜଣେ ଆଇପିଏସ ଅଫିସର । ଉତ୍ତର ପଶ୍ଚିମ ଦିଲ୍ଲୀ ର ଡିସିପି ଅସଲମ ଖାନ୍ ଗତ କେତେ ମାସ ଧରି ଅନ୍ତରାଷ୍ଟ୍ରୀୟ ସୀମାରେ ଥିବା ସୁଚେତଗଡର ଏକ ପରିବାରକୁ ନିଜ ଦରମାର କିଛି ଅଂଶ ପଠାଉଛନ୍ତି । ସବୁଠାରୁ ବଡ କଥା ହେଉଛି ଅଫିସର ଜଣଙ୍କ ଉକ୍ତ ପରିବାରକୁ ଭେଟି ନଥିବା ସତ୍ତତ୍ତେ୍ୱ ମଧ୍ୟ ଏଭଳି ସହାୟତା ପାଇଁ ଆଗକୁ ଆସିଛନ୍ତି । ଟଙ୍କା ପଠାଇବା ସହ ପ୍ରତି ୩ ଦିନରେ ଉକ୍ତ ପରିବାରକୁ ଫୋନ କରି ଖବର ବୁଝିଥାନ୍ତି । ତେବେ ଏହା ପଛରେ କଣ କାରଣ ରହିଛି ଜାଣିଲେ କାହାର ଭି ମଧ୍ୟ ହୃଦୟ ତରଳିଯିବ ।

ପ୍ରକୃତ ଘଟଣା ହେଉଛି, ଜାନୁଆରୀ ୯ ତାରିଖରେ ଦିଲ୍ଲୀର ଜାହାଙ୍ଗୀରପୁରୀର ମାନସିଂହ ନାମକ ଜଣେ ଟ୍ରକ ଡ୍ରାଇଭରଙ୍କୁ ଲୁଟ୍ କରିବା ଉଦ୍ୟମରେ ହତ୍ୟା କରାଯାଇଥିଲା । ତେବେ ମାନସିଂହଙ୍କ ପରିବାରରେ ୫ଜଣ ସଦସ୍ୟ ଥିବା ବେଳେ କେବଳ ମାନସିଂହ ହିଁ ଜଣେ ମାତ୍ର ରୋଜଗାର କରୁଥିବା ବ୍ୟକ୍ତି ଥିଲେ । ପରିବାରର ମୁଖିଆଙ୍କ ଅଚାନକ ମୃତ୍ୟୁ କାରଣରୁ ପରିବାର ଉପରେ ଦୁଃଖରେ ପାହାଡ ଭାଙ୍ଗିପଡିଥିଲା । ଏହି ହତ୍ୟାକାଣ୍ଡର ତଦନ୍ତ ସମୟରେ ଡିସିପି ଅସଲମ ଖାନଙ୍କୁ ମାନସିଂହଙ୍କ ପରିବାରର ଅବସ୍ଥା ସମ୍ପର୍କରେ ଜଣାପଡିଥିଲା । ଏବଂ ସେହିଦିନ ଠାରୁ ଡିସିପି ନିଜ ଦରମାର କିଛି ଅଂଶ ମାନସିଂହଙ୍କ ପରିବାରକୁ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ।

ମାନସିଂହଙ୍କ ପରିବାରରେ ତାଙ୍କ ଝିଅ ବଲଜୀତ କୌର(୧୮), ଜସମିତ୍ କୌର(୧୪), ପୁଅ ଅସମିତ୍ ସିଂହ(୯) ଏବଂ ମାନସିଂହଙ୍କ ସ୍ତ୍ରୀ ଦର୍ଶନ କୌର(୪୦) ଅଛନ୍ତି । ତେବେ ଏଭଳି ପରିସ୍ଥିତିରେ ଡିସିପି ଅସଲମ ଖାନ ସେମାନଙ୍କ ପାଇଁ ଭଗବାନଙ୍କ ଅବତାର ହୋଇ ଆସିଥିବା ଚର୍ଚ୍ଚା ହେଉଛି । ମାନସିଂହଙ୍କ ଝିଅଙ୍କ କହିବା ଅନୁଯାୟୀ, ବାପାଙ୍କ ମୃତ୍ୟୁ ପରେ ଘର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଥିଲା । ସ୍କୁଲ ଫି ଦେବା ଠାରୁ ଆରମ୍ଭ କରି ଘର ଖର୍ଚ୍ଚ ଚଳାଇବା ପାଇଁ ମଧ୍ୟ ସେମାନଙ୍କ ପାଖରେ ଟଙ୍କା ନଥିଲା । ଏପରିକି ଅନେକ ରାତି ସେମାନଙ୍କୁ ଭୋକ ଓପାସରେ ମଧ୍ୟ ଶୋଇବାକୁ ପଡିଛି । କିନ୍ତୁ ହଠାତ ଦିଲ୍ଲୀରୁ ଏକ ଫୋନ ଆସିଥିଲା ଏବଂ ଏହା ପରେ ସମସ୍ତ ଦୁଃଖ କମ ହେବାରେ ଲାଗିଥିଲା । ଡିସିପିଙ୍କର ଏଭଳି ସହାୟତାରେ ପ୍ରେରିତ ହୋଇ ମାନସିଂହଙ୍କ ଝିଅ ମଧ୍ୟ ପୋଲିସ ଅଫିସର ହେବା ପାଇଁ ଚାହୁଁଛନ୍ତି । ଆଉ ଏଥିପାଇଁ ଏବେ ଠାରୁ ସେ ପଢାପଢି ଆରମ୍ଭ କରିଦେଇଛନ୍ତି ।