ଲାଲଗଡ଼ରେ ନକ୍ସଲଙ୍କ ମୃତ୍ୟୁର ‘ଚକ୍ରବ୍ୟୁହ’ ରଚୁଛନ୍ତି ଆଇପିଏସ ଦମ୍ପତି ! ନାଁ ଶୁଣିଲେ ଥରି ଉଠୁଛନ୍ତି ମାଓ କମାଣ୍ଡର

49

ଗୋଟିଏ ପଟେ ସୀମାରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଅପରେସନ ଅଲଆଉଟ ଅଭିଯାନ ଆରମ୍ଭ କରିଛି ଭାରତୀୟ ସେନା । ଅନ୍ୟପଟେ ଦେଶର ଆଭ୍ୟନ୍ତରୀଣ ଶତ୍ରୁ ତଥା ଲାଲବାହିନୀକୁ ସଫା କରିବାକୁ ପଣ କରିଛନ୍ତି ସୁରକ୍ଷା ବାହିନୀ । ପାହାଡ଼ ପର୍ବତ ଘେରା ଜଙ୍ଗଲ ମଧ୍ୟରେ ପ୍ରତିଦିନ କେଉଁଠି ନା କେଉଁଠି ମାଓବାଦୀଙ୍କ ଏନକାଉଣ୍ଟର କରୁଛି ପୋଲିସ । ଖାସକରି ଝାରଖଣ୍ଡରେ ଏବେ ମାଓ ଦମନ ଅଭିଯାନକୁ ଜୋର କରାଯାଇଛି । ଆଉ ଯାହାର ନେତୃତ୍ୱ ନେଇଛନ୍ତି ଦବଙ୍ଗ ଆଇପିଏସ ଦମ୍ପତି । ଏହି ଆଇପିଏସ ଦମ୍ପତି ଏବେ ନକ୍ସଲଙ୍କ ବିରୋଧରେ ମୃତ୍ୟୁର ଚକ୍ରବ୍ୟୁହ ରଚନା କରୁଛନ୍ତି । ଯାହାଙ୍କ ନାଁ ଶୁଣିଲେ ଏବେ ଥରି ଉଠୁଛନ୍ତି ଲାଲବାହିନୀ । ଠିକ ହିନ୍ଦୀ ଫିଲ୍ମ ଚକ୍ରବ୍ୟୁହର ଆଇପିଏସ ଦମ୍ପତିଙ୍କ ଭଳି ରିୟଲ ଲାଇଫର ଏହି ଆଇପିଏସ ଦମ୍ପତିଙ୍କ ନାଁ ଶୁଣିଲେ ଚିହିଁକି ଉଠୁଛନ୍ତି ମାଓବାଦୀ । ଆଉ ଦବଙ୍ଗ ଆଇପିଏସ ଦମ୍ପତି ହେଉଛନ୍ତି ଲାତେହାର ଜିଲ୍ଲାର ଏସପି ପ୍ରଶାନ୍ତ ଆନନ୍ଦ ଓ ତାଙ୍କ ପତ୍ନୀ ତଥା ଗଡ଼ବା ଜିଲ୍ଲାର ଏସପି ଶିବାନୀ ତିୱାରୀ ।

ଲାଲବାହିନୀକୁ ସଫା କରିବାର ସଂକଳ୍ପ ନେଇଛନ୍ତି ଏହି ଆଇପିଏସ ଦମ୍ପତି । ମାଓ ଦମନ ଅଭିଯାନ ସମୟରେ ଜଙ୍ଗଲରେ ଏହି ଦବଙ୍ଗ ଦମ୍ପତି ପାଦ ଦେବା ମାତ୍ରେ ଲାଲବାହିନୀର ହୃତସ୍ପନ୍ଦନ ବଢ଼ି ଯାଇଥାଏ । ଜଙ୍ଗଲ ମଧ୍ୟରେ କଠିନ ପରିସ୍ଥିତିରେ ଏହି ଦମ୍ପତି ମିଳିମିଶି ଏବେ ଲଢ଼ୁଛନ୍ତି । ଯାହା ଅନ୍ୟ ଯବାନ ମାନଙ୍କର ମନୋବଳ ବଢ଼ାଉଛି । ତିନି ଦିନ ପୂର୍ବେ ମାଓ ଦମନ ପାଇଁ ହୋଇଥିବା ଅଭିଯାନର ନେତୃତ୍ୱ ନେଇଥିଲେ ଏହି ଦମ୍ପତି । ମାଓବାଦୀଙ୍କ ସହ ଗୁଳି ବିନିମୟ ସମୟରେ ୬ ଜଣ ଯବାନ ଶହୀଦ ହୋଇଗଲେ ସତ କିନ୍ତୁ ଅପରେସନ ସମୟରେ ଏହି ଦମ୍ପତିଙ୍କ ସାହସିକତାର ପରିଚୟ ଦେଇ ଅନ୍ୟ ଯବାନଙ୍କ ଜୀବନ ବଞ୍ଚାଇଥିଲେ ।

୬ ଜଣ ଯବାନ ଶହୀଦ ହେବା ପରେ ମଧ୍ୟ ଏହି ଦମ୍ପତି ମାଓ ଦମନ ଅଭିଯାନ ଜାରି ରଖି ନିଜର ଅଦ୍ୟମ ସାହସର ପରିଚୟ ଦେଇଛନ୍ତି । ଗତ କିଛି ଦିନ ହେବ ଶିବାନୀ ତିୱାରୀ ନକ୍ସଲଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତି କରୁଥିଲେ । ଏହା ଭିତରେ ବୁଢା ପାହାଡ଼ ଓ ଏହାର ଆଖ ପାଖ ଅଞ୍ଚଳରେ ନକ୍ସଲ ଗତିବିଧି ବଢୁଥିବା ସୂଚନା ପାଇଥିଲେ ଶିବାନୀ । ଆଉ ଏହାପରେ ଲାଲବାହିନୀକୁ ସଫା କରିବାକୁ ଅଭିଯାନ ଆରମ୍ଭ କରିଥିଲେ ଆଇପିଏସ ଦମ୍ପତି । ଆଉ ଏଥିରେ ସଫଳ ମଧ୍ୟ ହୋଇଥିଲେ । ସ୍ୱାମୀ ପ୍ରଶାନ୍ତ ଆନନ୍ଦ ଝାରଖଣ୍ଡ କ୍ୟାଡ଼ରର ୨୦୧୩ ବ୍ୟାଚର ଆଇପିଏସ ଅଫିସର । ପୂର୍ବ ବର୍ଷ ୨୭ ନଭେମ୍ବରରେ ସେ ଲାତେହାରର ଏସପି ଭାବେ ନିଯୁକ୍ତି ପାଇଥିଲେ । ସେହିଭଳି ତାଙ୍କ ପତ୍ନୀ ଶିବାନୀ ତିୱାରୀ ୨୦୧୧ ବ୍ୟାଚର ବଙ୍ଗାଳ କ୍ୟାଡର ଆଇପିଏସ ଅଫିସର । ପ୍ରଶାନ୍ତଙ୍କ ବାହା ହେବା ପରେ ତାଙ୍କୁ ଝାଡ଼ଖଣ୍ଡରେ ନିଯୁକ୍ତି ଦିଆଯାଇଥିଲା । ଏହାପରେ ସେ ଜାଗୁଆର ଏସପି, ପରେ କାଡ଼େରମା ଏସପି ଓ ଏବେ ଗଡ଼ବା ଏସପି ଭାବେ ନିଯୁକ୍ତି ପାଇଛନ୍ତି ।