IPLରେ ହେବ ନବକଳେବର ! ୨ଟି ନୂଆ ଟିମକୁ ଆଇପିଏଲରେ ସାମିଲ କରିପାରେ ବିସିସିଆଇ ।

835

ପୁଣି ଥରେ ନୂଆ ରୂପରେ ଖେଳାଯିବ ଆଇପିଏଲ । ଆଗାମୀ ୨ ବର୍ଷ ପରେ ଅଥାର୍ତ ୨୦୨୧ରେ ଆଇପିଏଲର ହେବ ନବକଳେବର । ୮ଟି ଟିମ୍ ବଦଳରେ ୧୦ ଟିମକୁ ନେଇ ଖେଳାଯିବ ଆଇପିଏଲ । ୨ଟି ନୂଆ ଟିମକୁ ସାମିଲ କରିବା ନେଇ ଏବେ ଜୋରଦାର ଚର୍ଚ୍ଚା ଶୁଣିବାକୁ ମିଳୁଛି । ଆଉ ଏଥିପାଇଁ ବିସିସିଆଇ ମଧ୍ୟ ପ୍ରସ୍ତୁତି ଏକପ୍ରକାର ଆରମ୍ଭ କରିଲାଣି । ଅହମ୍ମଦାବାଦ, ପୁଣେ, ରାଞ୍ଚି କିମ୍ବା ଜାମସେଦପୁର ମଧ୍ୟରୁ ୨ଟି ଟିମ୍ ୨୦୨୧ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ମୈଦାନକୁ ଓହ୍ଲାଇପାରନ୍ତି ।

ଅହମ୍ମଦାବାଦ ପାଇଁ ଅଦାନୀ ଗ୍ରୁପ୍, ପୁଣେ ପାଇଁ ଆରପିଜି-ସଞ୍ଜୟ ଗୋୟନକା ଗ୍ରୁପ, ରାଞ୍ଚି କିମ୍ବା ଜାମସେଦପୁର ପାଇଁ ଟାଟା ଗ୍ରୁପ୍ ଫ୍ରାଞ୍ଚାଇଜ ପାଇଁ ରେସରେ ରହିଛନ୍ତି । ଏହାପୂର୍ବରୁ ୨୦୧୧ରେ ମଧ୍ୟ ୧୦ଟି ଟିମକୁ ନେଇ ଆଇପିଏଲ ଖେଳାଯାଇଥିଲା । ତେବେ ବିଭିନ୍ନ ବିବାଦ କାରଣରୁ ତିନି ବର୍ଷ ପରେ ନୂଆ ଟିମକୁ ହଟାଇ ଦିଆଯାଇଥିଲା । ଜାତୀୟ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ଏବେ ନୂଆ ଟିମକୁ ଆଇପିଏଲରେ ସାମିଲ କରିବାକୁ ବ୍ଲ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ବିସିସିଆଇ । ଆଉ ଏଥିପାଇଁ ଟିମର ମାଲିକ ଓ ଆଇପିଏଲ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିବା ସ୍ପଷ୍ଟ ହୋଇଛି ।

ଅହମ୍ମଦାବାଦ : ଆଇପିଏଲ ୨୦୨୧ରେ ଅହମ୍ମଦାବାଦ ନୂଆ ଟିମ୍ ଭାବେ ଉଭା ହୋଇପାରେ । ଅଦାନୀ ଗ୍ରୁପ ମାଲିକାନାରେ ଅହମ୍ମଦାବାଦ ଟିମ୍ ଆଇପିଏଲରେ ଏଣ୍ଟ୍ରି ମାରିପାରେ । ଅହମ୍ମଦାବାଦରେ ଏବେ ବିଶ୍ୱର ବଡ ଷ୍ଟାଡିୟମ ନିର୍ମାଣ ହେଉଥିବା ବେଳେ ଆଇପିଏଲ ନୂଆ ଟିମ୍ ରେସରେ ସବୁଠୁ ଆଗରେ ଅଛି ଏହି ସହର ।

ପୁଣେ : ଆଇପିଏଲରେ ପୂର୍ବରୁ ପୁଣେ ଫ୍ରାଞ୍ଚାଇଜ ଏଣ୍ଟ୍ରି ମାରି ସାରିଛି । ସାହାରା ଗ୍ରୁପ ମାଲିକାନାରେ ପୁଣେ ୱାରିୟର୍ସ ୨୦୧୧ରେ ଆଇପିଏଲରେ ପ୍ରଥମ ପର୍ଦାପଣ କରିଥିଲା । ତେବେ ୨୦୧୩ରେ ବିଭିନ୍ନ ବିବାଦ କାରଣରୁ ଆଇପିଏଲରୁ ଓହରିଥିଲା ପୁଣେ । ତେବେ ୨୦୧୬ରେ ଚେନ୍ନାଇ ଓ ରାଜସ୍ଥାନକୁ ୨ ବର୍ଷ ପାଇଁ ବ୍ୟାନ୍ କରିବା ପରେ ପୁଣିଥରେ ନୂଆ ରୁପରେ ଫେରିଥିଲା ପୁଣେ । ପୁଣେ ସୁପରଜାଇଣ୍ଟ ନାମରେ ୨ ବର୍ଷ ଆଇପିଏଲରେ ଖେଳିବା ପରେ ବିଦାୟ ନେଇଥିଲା । କିନ୍ତୁ ଏବେ ଆଇପିଏଲରେ ସମ୍ପୂର୍ଣ୍ଣ ଭାବେ ଯୋଡି ହେବାକୁ ଚାହୁଛନ୍ତି ସଞ୍ଜୀବ ଗୋୟନକାଙ୍କ କମ୍ପାନି ।

ସେହିଭଳି ରାଞ୍ଚି କିମ୍ବା ଜାମସେଦପୁର ସହର ମଧ୍ୟ ନୂଆ ଟିମ୍ ଭାବେ ଆଇପିଏଲରେ ଏଣ୍ଟ୍ରି ମାରିପାରେ । ଯାହାର ମାଲିକାନା ଦାୟିତ୍ୱ ଟାଟା ଗ୍ରୁପ ନେଇପାରେ । ପୂର୍ବରୁ ଟାଟା ଗ୍ରୁପ ଅନ୍ୟ କ୍ରୀଡା ସହ ଯୋଡି ହୋଇ ରହିଥିବା ବେଳେ ଏବେ କ୍ରିକେଟ ସହ ମଧ୍ୟ ଯୋଡି ହେବା ନେଇ ଚର୍ଚ୍ଚା ହେଉଛି । ଏପରିକି ରାଞ୍ଚିରେ ବିଶ୍ୱସ୍ତରୀୟ ଷ୍ଟାଡିୟମ ଥିବାରୁ ଏହି ସହର ମଧ୍ୟ ଆଇପିଏଲର ନୂଆ ଟିମ୍ ରେସରେ ରହିଛି ।