ବିଦେଶରେ ନୁହେଁ ବରଂ ଭାରତରେ ଖେଳାଯିବ ଆଇପିଏଲ, ୨୩ ମାର୍ଚ୍ଚରୁ ଟାଇଟଲ ପାଇଁ ଲଢେଇ ଆରମ୍ଭ ।

514

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସିଖବର । ବିଶ୍ୱର ହାଇ ବଜେଟ କ୍ରିକେଟ ଲିଗ ଆଇପିଏଲର ୧୨ ତମ ସଂସ୍କରଣକୁ ନେଇ ଯେଉଁ ଆଶଙ୍କାର କଳାବାଦଲ ଘୋଟି ରହିଥିଲା ତାହା ମଙ୍ଗଳବାର ଦିନ ହଟିଯାଇଛି । ଅଥାର୍ତ ଆଇପିଏଲ ଆଗାମୀ ସଂସ୍କରଣ ଭାରତ ହିଁ ଖେଳାଯିବ ଏକଥା ସ୍ପଷ୍ଟ ହୋଇଯାଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଏକ ବୟାନ ଜାରି କରି ଏନେଇ ସ୍ପଷ୍ଟ କରିଛି ଓ ଆସନ୍ତା ମାର୍ଚ୍ଚ ୨୩ରୁ ଆଇପିଏଲର ୧୨ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି ।

ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଆଇପିଏଲ ମ୍ୟାଚ୍ ଭାରତରେ ଖେଳାଯିବ କି ନାହିଁ ତାହା ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । କାରଣ ଏହା ପୂର୍ବରୁ ମଧ୍ୟ ସାଧାରଣ ନିର୍ବାଚନ ପାଇଁ ଆଇପିଏଲ ବିଦେଶ ହୋଇଥିଲା । ବସିସିଆଇ ଏକ ବୟାନ ଜାରି କହିଛି ଯେ, ସର୍ବୋଚ୍ଚ ଅଦାଲତ ଦ୍ୱାରା ନିଯୁକ୍ତ କରାଯାଇଥିବା ପ୍ରଶାସକ ସମିତି (ସିଓଏ) ମଙ୍ଗଳବାର ଦିଲ୍ଲୀ ବୈଠକରେ ଆଇପିଏଲ-୨୦୧୯ ପାଇଁ ସ୍ଥାନ ଚୟନ ଉପରେ ଚର୍ଚ୍ଚା କରାଯାଇଛି ।

କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଏଜେନ୍ସି ସହ ଆଲୋଚନା ପରେ ଭାରତରେ ଆଇପିଏଲର ୧୨ତମ ସଂସ୍କରଣ ଆୟୋଜିତ କରାଯିବ ବୋଲି ନିଷ୍ପତି ନିଆଯାଇଛି । ମାର୍ଚ୍ଚ ୨୩ରେ ଆଇପିଏଲର ଉଦଘାଟନ ହେବ । ତେବେ ଆଇପିଏଲର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ପରବର୍ତ୍ତୀ ସମୟରେ ଜଣାଇଦିଆଯିବ ବୋଲି ସିଓଏ ପକ୍ଷରୁ କୁହାଯାଇଛି । ଏହାପୂର୍ବରୁ ୨୦୦୯ ସାଧାରଣ ନିର୍ବାଚନ ପାଇଁ ଦକ୍ଷିଣ ଆଫ୍ରିକାରେ ଆଇପିଏଲର ଆୟୋଜନ କରାଯାଇଥିବା ବେଳେ ୨୦୧୪ ସାଧାରଣ ନିର୍ବାଚନ ପାଇଁ ୟୁଏଇରେ ଖେଳାଯାଇଥିଲା ଆଇପିଏଲ ।