ବିରୋଧ ଆଗରେ ନରମିଲା ବିସିସିଆଇ : ଚେନ୍ନାଇରେ ଆଉ ଖେଳାଯିବନି ଆଇପିଏଲ୍ ମ୍ୟାଚ୍, ବାକି ମ୍ୟାଚ୍ ପୁଣେରେ କରାଇବାକୁ ନିଷ୍ପତ୍ତି

55

କନକ ବ୍ୟୁରୋ : ବିରୋଧ ଆଗରେ ନରମିଲା ବିସିସିଆଇ । ଚେନ୍ନାଇରେ ଆଉ ଖେଳାଯିବନି ଆଇପିଏଲ୍ ମ୍ୟାଚ୍ । ଚେନ୍ନାଇରେ ଖେଳାଯିବାକୁ ଥିବା ଆଇପିଏଲ ମ୍ୟାଚକୁ ପୁଣେରେ କରାଇବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଚେନ୍ନାଇରେ ଆଇପିଏଲ ମ୍ୟାଚ୍ କରାଇ ନଦେବା ଦାବିରେ ବିଭିନ୍ନ ସଂଗଠନ ଆନ୍ଦୋଳନ କରି ଆସୁଥିଲେ । ପୁଲିସ୍ ମଧ୍ୟ ଚେନ୍ନାଇରେ ଆଇପିଏଲ୍ ମ୍ୟାଚକୁ ସୁରକ୍ଷା ଦେଇପାରିବନି ବୋଲି କହିଥିଲା । ମଂଗଳବାର ଚେନ୍ନାଇରେ ଖେଳାଯାଇଥିବା ମ୍ୟାଚ୍ ବେଳେ ମଧ୍ୟ ଖେଳାଳୀଙ୍କୁ ବିରୋଧର ସାମନା କରିବାକୁ ପଡ଼ିଥିଲା । କିଛି ପ୍ରତିବାଦକାରୀ ପଡ଼ିଆର ସୀମାରେଖା ନିକଟରେ ଥିବା ଖେଳାଳିଙ୍କ ଉପରକୁ ଜୋତା ମଧ୍ୟ ଫିଙ୍ଗିଥିଲେ । ଫଳରେ ମ୍ୟାଚ୍ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

କାବେରୀ ଜଳ ବିବାଦକୁ ନେଇ ତାମିଲନାଡୁରେ ଲୋକଙ୍କ ମଧ୍ୟରେ ବିରୋଧ ଦେଖିବାକୁ ମିଳିଥିଲା। ଯାହା ଫଳରେ ଚେନ୍ନାଇରେ ଖେଳା ଯିବାକୁ ଥିବା ବାକି ସବୁ ଆଇପିଏଲ ମ୍ୟାଚକୁ ବାତିଲ କରାଯାଇଛି । ଏହି ମ୍ୟାଚ ସବୁ ଅନ୍ୟ ସ୍ଥାନରେ ଖେଳାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଛି । ବିସିସିଆଇ ଓ ଚେନ୍ନାଇ ସୁପର କିଙ୍ଗସ୍ ନିଷ୍ପତ୍ତି ନେଇଛନ୍ତି, ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ସବୁ ଘରୋଇ ମ୍ୟାଚ ପୁଣେରେ ଖେଳାଯିବ।

ସୂଚନା ମୁତାବକ, ଚେନ୍ନାଇ ସୁପର କିଙ୍ଗସର ମାଲିକ, ଆଇପିଏଲର ଗଭର୍ଣ୍ଣିଂ କାଉନସିଲ ଓ ବିସିସିଆଇ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି, ଚେନ୍ନାଇର ସବୁ ମ୍ୟାଚକୁ ପୁଣେରେ ଆୟୋଜନ କରାଯିବ । ପୂର୍ବରୁ ପୁଣେରେ ଆଇପିଏଲର ଦୁଇଟି ମ୍ୟାଚ ମେ’ ୨୩ ଓ ମେ’ ୨୫ ତାରିଖରେ ଖେଳାଯିବାର ଥିଲା । ଏଥି ପାଇଁ ପୁଣେ ପ୍ରସ୍ତୁତି କରୁଥିବା ବେଳେଏବେ ପୁଣେରେ ଚେନ୍ନାଇର ଘରୋଇ ମ୍ୟାଚ ଖେଳାଯିବ ।

କାବେରୀ ନଦୀ ବିବାଦକୁ ନେଇ ତାମିଳନାଡୁରେ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ବିରୋଧ ଦେଖିବାକୁ ମିଳିଛି । ଏହି କାରଣରୁ ଚେନ୍ନାଇ ପୁଲିସ ଆଇପିଏଲ ମ୍ୟାଚକୁ ସୁରକ୍ଷା ଦେଇପାରିବେନି ବୋଲି ମନା କରିଦେଇଛି । ବିଭିନ୍ନ ସଂଗଠନ ଆଇପିଏଲ ମ୍ୟାଚ ନକରିବା ବିରୋଧ ଜାରି ରଖିଛନ୍ତି । ଚେନ୍ନାଇରେ ମଙ୍ଗଳବାର ଖେଳାଯାଇଥିବା ଚେନ୍ନାଇ ଓ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ହୋଇଥିବା ଏହି ମ୍ୟାଚ ଚାଲିଥିବା ବେଳେ ପ୍ରଥମ ଇନିଂସର ୮ ଓଭରରେ କିଛି ପ୍ରଦର୍ଶନକାରୀ ରବୀନ୍ଦ୍ର ଜାଡେଜାଙ୍କ ନିକଟକୁ ଜୋତା ଫିଙ୍ଗିଥିଲେ।