ବଡ଼ବିଲରେ ଆଇପିଏଲ୍ ସଟ୍ଟା ! ୩ ଜଣଙ୍କୁ ଗିରଫ ସହ ଅଢ଼େଇ ଲକ୍ଷ ଟଙ୍କା ଜବତ କଲା ପୁଲିସ

41

କନକ ବ୍ୟୁରୋ: ହାଇଦ୍ରାବାଦରେ ରବିବାର ଖେଳାଯାଇଥିବା ଆଇପିଏଲ ସିଜିନ ଟେନର ଏହି ଫାଇନାଲ ମ୍ୟାଚ ଶେଷ ଆଡକୁ ହୋଇଥିଲା ବେଶ ରୋମାଂଚକର । କାରଣ ପ୍ରଥମେ ବ୍ୟାଟିଂ କରି ପୁନେ ଆଗରେ ମାତ୍ର ୧୩୦ ରନର ବିଜୟ ଲକ୍ଷ୍ୟ ରଖିଥିବା ମୁମ୍ବାଇ ମ୍ୟାଚର ଶେଷ ଭାଗରେ କରିଥିଲା ଲଢୁଆ ପ୍ରଦର୍ଶନ । ମିଚେଲ ଜନସନଙ୍କ ଶେଷ ଓଭରରେ ପୁନେକୁ ବିଜୟ ପାଇଁ ଆବଶ୍ୟକ ହେଉଥିଲା ମାତ୍ର ୧୧ ରନ୍ ।

ଆଉ ମ୍ୟାଚର ଏହି ମୋଡ ହିଁ, ସଟ୍ଟାବାଜଙ୍କୁ କରିଥିଲା ସକ୍ରିୟ । ବିଜୟ ଯେତିକି ଅନିଶ୍ଚିତ ହେଉଥାଏ ଟିମ ଉପରେ ଟଙ୍କା ଲଗାଇବାର ଖେଳ ସେତିକି ଜମୁଥାଏ । କିଏ ଜିତିବ ବାଜି, ମୁମ୍ବାଇ ନା ପୁନେ ? ଏହାକୁ ନେଇ କେନ୍ଦୁଝର ବଡବିଲରେ ଚାଲିଥାଏ ବେଟିଂ । ପୁନେ ହାତରେ ୭ ୱିକେଟ ଥିବାରୁ ଫାଇନାଲ ଉପରେ କବଜା କରିବା ଏକ ପ୍ରକାର ସହଜ ମନେ ହେଉଥାଏ । ଆଉ ପୁନେର ବିଜୟ ପାଇଁ ଲାଗୁଥାଏ ପୁଳାପୁଳା ଟଙ୍କା । ହେଲେ ୧୮ତମ ଓଭରରେ ମାଲିଙ୍ଗା ଏବଂ ୧୯ ଓଭରରେ ବୁମରାଙ୍କ ମାପଚୁପ ବୋଲିଂ ଉଭୟ ସ୍ମିଥ ଓ ତିୱାରୀଙ୍କ ହାତ ବାନ୍ଧିଦେବା ପରେ ମୁମ୍ବାଇର ବିଜୟ ସପକ୍ଷରେ ବି ଲାଗିଥିଲା ବାଜି ।

ହେଲେ ଶେଷ ଓଭରରେ ସ୍ମିଥ, ତିୱାରୀ ଓ କ୍ରିଷ୍ଟିଆନଙ୍କ ୱିକେଟର ପତନ ହୋଇଥିବାବେଳେ ୯ରନ୍ ଦେଇ ପୁନେ ହାତରୁ ମ୍ୟାଚ ଛଡାଇ ଆଣିବାରେ ସମର୍ଥ ହୋଇଥିଲେ ମିଚେଲ ଜନସନ୍ । ଶେଷ ବଲରେ ବିଜୟ ପାଇଁ ୪ରନ୍ ଆବଶ୍ୟକ ଥିବାବେଳେ ୨ ରନ୍ ପୂରଣ କରି ରନଆଉଟ ହୋଇଥିଲେ କ୍ରିଷ୍ଟିଆନ । ଗୋଟିଏ ରନରେ ମ୍ୟାଚ ଜିତି ତୃତୀୟଥର ପାଇଁ ଆଇପିଏଲ ଟ୍ରଫି ଉପରେ କବଜା କରିନେଲା ମୁମ୍ବାଇ ।

କ୍ରିକେଟର ଏହି ଅତି ରୋମାଂଚକର ମ୍ୟାଚ ପାଇଁ ସଟ୍ଟା ଲଗାଉଥିବା ୩ ଜଣଙ୍କୁ ଗିରଫ କରିଛି ବଡବିଲ ପୋଲିସ । ସେମାନଙ୍କ ପାଖରୁ ୨ଲକ୍ଷ ୪୦ ହଜାର ଟଙ୍କା ଓ ୭ଟି ମୋବାଇଲ ଫୋନ ଜବତ କରାଯାଇଛି । ଗତକାଲି ସ୍ଥାନୀୟ ତାରିଣୀ ମନ୍ଦିର ନିକଟରେ ଥିବା ଏକ ହାଡୱେର ଷ୍ଟୋର ଉପରେ ଚଢଉ କରି ପୋଲିସ ଏହି ସଫଳତା ପାଇଛି ।