ଚାଲିଛି ଆଇପିଏଲ୍ ନିଲାମୀ ପ୍ରକ୍ରିୟା ! ଜାଣନ୍ତୁ କେଉଁ ଦଳରେ କେଉଁ ଖେଳାଳୀ କେତେ ଟଙ୍କାରେ ହେଲେ ସାମିଲ ।

1,172

କନକ ବ୍ୟୁରୋ : ଇଣ୍ଡିଆନ ପ୍ରିମିୟର ଲିଗର ଦ୍ୱାଦଶ ତମ ସଂସ୍କରଣ ପାଇଁ ଆଜି ଅପରାହ୍ନରୁ ଆରମ୍ଭ ହୋଇଯାଇଛି ନିଲାମୀ ପ୍ରକ୍ରିୟା । ଆଇପିଏଲ ୨୦୧୯ ପାଇଁ ନିଲାମୀ ସୂଚୀରେ ଅନେକ ନାମୀଦାମୀ କ୍ରିକେଟ୍ ତାରକାଙ୍କ ନାଁ ରହିଛି । ତେବେ ଆଜି ନିଲାମୀ ପ୍ରକ୍ରିୟାରେ ୩୫୧ ଖେଳାଳୀଙ୍କ ମଧ୍ୟରୁ ପ୍ରଥମ ନାମ ରହିଥିଲା ଭାରତୀୟ ଖେଳାଳୀ ମନୋଜ ତିୱାରୀଙ୍କର । ତେବେ ନିଲାମୀର ପ୍ରଥମ ପର୍ଯ୍ୟାୟରେ ବିକ୍ରି ହୋଇନାହାନ୍ତି ମନୋଜ ତିୱାରି ।

ଆଇପିଏଲ ନିଲାମୀ ପ୍ରକ୍ରିୟା ପୂର୍ବରୁ ଚର୍ଚ୍ଚାରେ ରହିଥିଲେ ଯୁବରାଜ ସିଂହ । କେଉଁ ଦଳ ତାଙ୍କୁ କିଣୁଛି, ତାହା ଉପରେ ରହିଥିଲା ସମସ୍ତଙ୍କ ନଜର । କିନ୍ତୁ ନିଲାମୀର ପ୍ରଥମ ପର୍ଯ୍ୟାୟରେ ବିକ୍ରି ହୋଇନାହାନ୍ତି ଯୁବରାଜ । ସେହିପରି ଭାରତୀୟ କ୍ରିକେଟ୍ ତାରକା ଚେତେଶ୍ୱର ପୂଜାରା, ନମନ ଓଝା ଏବଂ ଚର୍ଚ୍ଚାରେ ରହିଥିବା ଯୁବରାଜ ସିଂହ ମଧ୍ୟ ନିଲାମୀ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ବିକ୍ରି ହୋଇନାହାନ୍ତି । ସେହିପରି ବିଦେଶୀ ଖେଳାଳୀଙ୍କ ମଧ୍ୟରେ ଆଲେକ୍ସ ହେଲ୍ସ, ବ୍ରେଣ୍ଡନ୍ ମ୍ୟାକକୁଲମ୍, ମାର୍ଟିନ ଗୁପ୍ତିଲ, କ୍ରିସ୍ ୱକ୍ସ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ବିକ୍ରି ହୋଇନାହାନ୍ତି ।

ସେପଟେ ୮ କୋଟି ୪୦ ଲକ୍ଷ ଟଙ୍କାରେ ଜୟଦେବ ଉନାଦକଟଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ । ସେହିପରି ପୁଣି ମୁମ୍ବାଇ ପକ୍ଷରୁ ପୁଣି ଥରେ ଜଲୱା ଦେଖାଇବେ ମାଲିଙ୍ଗା । ୨ କୋଟି ଟଙ୍କାରେ ଲସିତ୍ ମାଲିଙ୍ଗାକୁ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ଆଜି ନିଲାମୀ ପ୍ରକ୍ରିୟାରେ ପ୍ରଥମ ଭାରତୀୟ ଖେଳାଳୀ ଭାବେ ବିକ୍ରି ହୋଇଥିଲେ ହନୁମା ବିହାରୀ । ୨ କୋଟି ଟଙ୍କାରେ ତାଙ୍କୁ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ଅକ୍ସର ପଟେଲଙ୍କୁ ୫ କୋଟି ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମ ୱିକେଟ୍ କିପର ଭାବେ ରିଦ୍ଧିମାନ ଶାହାଙ୍କୁ ୧ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି ସନ୍ ରାଇଜର୍ସ ହାଇଦ୍ରାବାଦ୍ ।