ଦାମୀ କ୍ରିକେଟର ଦାମୀ ଖେଳାଳି ହେଲେ ଇଂଲଣ୍ଡର ଅଲରାଉଣ୍ଡର : ବେନ ଷ୍ଟ୍ରୋକ୍ସଙ୍କୁ ସାଢେ ୧୪ କୋଟିରେ କିଣିଲା ପୁଣେ

27

କନକ ବ୍ୟୁରୋ : ଦେଶୀ ଖେଳାଳିଙ୍କୁ ପଛରେ ପକାଇଲେ ବିଦେଶୀ ଖେଳାଳି । ଇଣ୍ଡିଆନ୍ ପ୍ରିମିୟର ଲିଗର ଦଶମ ସଂସ୍କରଣ ପାଇଁ ଆଜି ବାଙ୍ଗାଲୋରରେ ହୋଇଥିବା ଏହି ନିଲାମୀରେ ବାଜି ମାରିଛନ୍ତି ବିଦେଶୀ ଖେଳାଳି । ଇଂଲଣ୍ଡର ବେନ୍ ଷ୍ଟୋକ୍ସ ସବୁଠୁ ଦାମୀ ଖେଳାଳି ଭାବରେ ବିକ୍ରି ହୋଇଛନ୍ତି । ରାଇଜିଂ ପୁଣେ ସୁପର ଜିଆଂଟ୍ସ ଟିମ୍ ଷ୍ଟୋକ୍ସକୁ ସର୍ବାଧିକ ସାଢ଼େ ୧୪ କୋଟି ଟଙ୍କାରେ କିଣିଛି । ଆସନ୍ତା ୮ ଏପ୍ରିଲରୁ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଂଟର ଖେଳାଳି ନିଲାମି ପାଇଁ ଭାରତୀୟ ଏବଂ ବିଦେଶୀ ଖେଳାଳିଙ୍କୁ ମିଶାଇ ମୋଟ୍ ୩୫୧ ଜଣ ଖେଳାଳି ଭାଗ ନେଇଥିଲେ । ଆସନ୍ତୁ ଜାଣିବା ସର୍ବାଧିକ ଟଙ୍କାରେ ବିକ୍ରି ହୋଇଥିବା ଶ୍ରେଷ୍ଠ ୫ ଜଣ ଖେଳାଳିଙ୍କ ବିଷୟରେ । ଇଂଲଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ସାଢ଼େ ୧୪ କୋଟିରେ କିଣିଛି ପୁନେ ।

ଇଂଲଣ୍ଡର ଟାଏମଲ ମିଲ୍ସକୁ ୧୨ କୋଟିରେ କିଣିଛି ବାଙ୍ଗାଲୋର । ଦକ୍ଷିଣ ଆଫ୍ରିକାର କାଗିସୋ ରାବଡାକୁ ୫ କୋଟିରେ କିଣିଛି ଦିଲ୍ଲୀ । ନ୍ୟୁଜିଲାଣ୍ଡର ଟ୍ରେଂଟ୍ ବୋଲ୍ଡକୁ ୫ କୋଟିରେ କିଣିଛି କଲିକତା । ଅଷ୍ଟ୍ରେଲିଆର ପ୍ୟାଟ୍ କମିଙ୍ଗସକୁ ସାଢ଼େ ୪ କୋଟିରେ କିଣିଛି ଦିଲ୍ଲୀ ଟିମ୍ । ଏବେ ନଜର ପକାଇବା ଏହି ଖେଳାଳିରେ ଅଲୋଡ଼ା ହୋଇପଡ଼ିଥିବା କିଛି ଖେଳାଳିଙ୍କ ଉପରେ । ଆଇପିଏଲରେ ଗତବର୍ଷ ହାଇଦ୍ରାବାଦ ପାଇଁ ଖେଳୁଥିବା ଇଶାନ୍ତ ଶର୍ମା, ଯାହାଙ୍କର ବେସ୍ ପ୍ରାଇସ୍ ୨କୋଟି ଥିଲା, ସେ ଅଲୋଡା ହୋଇଯାଇଛନ୍ତି । ତାଙ୍କୁ କୌଣସି ଦଳ କିଣି ନାହାଁନ୍ତି । ସେହିପରି ପୁଣେ ଟିମ୍ ପାଇଁ ଖେଳୁଥିବା ଇରଫାନ୍ ପଠାନଙ୍କୁ ମଧ୍ୟ କୌଣସି ଦଳ କିଣିବାକୁ ପସନ୍ଦ କରି ନାହାଁନ୍ତି ।

ଦିନିକିଆ ଏବଂ ଟି-ଟ୍ୱେଂଟିରେ ଏକ ନମ୍ବର ରାଙ୍କରେ ଥିବା ଇମରାନ ତାହିର ମଧ୍ୟ ବିକ୍ରି ହୋଇନାହାଁନ୍ତି । କାଶ୍ମୀର ଅଲ ରାଉଣ୍ଡର ପରଭେଜ ରସୁଲକୁ ମଧ୍ୟ କୌଣସି ଦଳ କିଣିବା ପାଇଁ ମଙ୍ଗି ନାହାଁନ୍ତି । ବାଂଲାଦେଶର ମହମଦୁଲ୍ଲା ମଧ୍ୟ ଅଲୋଡା ହୋଇଯାଇଛନ୍ତି । ଏବେ ଜାଣିବା ନିଲାମୀରେ ସମସ୍ତଙ୍କୁ ଚକିତ କରିଥିବା କିଛି ଖେଳାଳିଙ୍କ ଉପରେ । ଆଫଗାନିସ୍ତାନର ଲେଗ୍ ସ୍ପିନର ରସିଦ ଖାନକୁ ହାଇଦ୍ରାବାଦ ୪ କୋଟି ଟଙ୍କାରେ କିଣିଛି । ଆର୍ନ୍ତଜାତୀୟ ମ୍ୟାଚ୍ ଖେଳିନଥିବା ତାମିଲନାଡୁର ଟି ନଟରାଜନ୍ ୩ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ଯୁବ ଖେଳାଳି ଅନିକେତ୍ ଚୌଧୁରୀଙ୍କୁ ୨ କୋଟିରେ କିଣିଛି ବାଙ୍ଗାଲୋର ଟିମ୍ । କ୍ରିଷ୍ଣପ୍ପା ଗୋଥାମକୁ ୨ କୋଟି ଟଙ୍କାରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ ।