ଆଇପିଏଲ ପାଇଁ ଆଜି ହେବ ଖେଳାଳି ନିଲାମୀ । ବିକ୍ରି ହେବେ ବିଶ୍ୱର ଷ୍ଟାର ଖେଳାଳି, ଓଡିଶାର ୨ ଖେଳାଳିଙ୍କର ହେବ ଭାଗ୍ୟ ପରୀକ୍ଷା

544

ଦ୍ୱାଦଶ ବର୍ଷରେ ପାଦ ଥାପିବାକୁ ଯାଉଛି ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ । ଆଇପିଏଲ୍ ୨୦୧୯ ପାଇଁ ଆସନ୍ତାକାଲି ହେବ ନିଲାମୀ ପ୍ରକ୍ରିୟା । ରାଜସ୍ଥାନ ଜୟପୁରରେ ଠାରେ ଗୋଟିଏ ଦିନ ପାଇଁ ଆଇପିଏଲ ବଜାର ବସିବ । ପୂର୍ବରୁ ବାଙ୍ଗାଲୋର ଠାରେ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେଉଥିବା ବେଳେ ଚଳିତଥର ଏହା ପରିବର୍ତ୍ତନ ହୋଇ ଜୟପୁର ଠାରେ ହେବ ।

ଚଳିତ ଆଇପିଏଲ ନିଲାମୀରେ ୨୨୬ ଭାରତୀୟଙ୍କ ସହ ମୋଟ ୩୪୬ ଖେଳାଳି ସାମିଲ ହେବେ । ନିଲାମ ଲାଗି ୧୦୦୩ ଖେଳାଳି ନାମ ପଞ୍ଜୀକରଣ କରିଥିଲେ। ଏଥିରୁ କାଣ୍ଟଛାଣ୍ଟ୍ ପରେ ୧୧୮ ନାମୀ ଓ ୨୨୮ ନୂଆ ଖେଳାଳିଙ୍କ ସହ ମୋଟ ୩୪୬ ଖେଳାଳିଙ୍କ ନାମ ଚୂଡ଼ାନ୍ତ କରାଯାଇ ୮ ଫ୍ରାଞ୍ଚାଇଜକୁ ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରୁ ଫ୍ରାଞ୍ଚାଇଜଗୁଡ଼ିକ ନିଜ ନିଜ ଦଳ ପାଇଁ ଖେଳାଳି କିଣିବେ। ସର୍ବାଧିକ ମୂଳ ଦର ୨ କୋଟି ଟଙ୍କାର ଝୁଡ଼ିରେ ୯ ଜଣ ଖେଳାଳି ରହିଛନ୍ତି। ହେଲେ ଏଥିରେ କୌଣସି ଭାରତୀୟ ନାହାନ୍ତି। ସେହିଭଳି ୧.୫ କୋଟିରେ କେବଳ ଗତଥର ସର୍ବାଧିକ ଟଙ୍କାରେ ବିକ୍ରି ହୋଇଥିବା ଭାରତୀୟ ଦ୍ରୁତ ବୋଲର ଜୟଦେବ ଉନାଦକଟ୍ ଏକାକି ରହିଥିଲା ବେଳେ ୯ ଜଣ ବିଦେଶୀ ଖେଳାଳିଙ୍କ ସହ ମୋଟ ୧୦ ଜଣ ଏହି ଝୁଡ଼ିରେ ରହିଛନ୍ତି। ୧ କୋଟି ଟଙ୍କିଆ ଝୁଡ଼ିରେ ଭାରତରୁ ୪ ଓ ବିଦେଶରୁ ୧୫ ଜଣ, ୭୫ ଲକ୍ଷ ଟଙ୍କା ଝୁଡ଼ିରେ ୨ ଭାରତୀୟ ଓ ୧୬ ବିଦେଶୀ, ୫୦ ଲକ୍ଷ ଟଙ୍କା ଝୁଡ଼ିରେ ୧୮ ଭାରତୀୟ ଓ ୪୪ ବିଦେଶୀ, ୪୦ ଲକ୍ଷ ଟଙ୍କା ଝୁଡ଼ିରେ କେବଳ ୭ ବିଦେଶୀ, ୩୦ ଲକ୍ଷ ଟଙ୍କାରେ ୫ ଭାରତୀୟ ଓ ୩ ବିଦେଶୀ ଏବଂ ୨୦ ଲକ୍ଷ ଟଙ୍କା ଝୁଡ଼ିରେ ୧୯୬ ଭାରତୀୟ ଓ ୧୭ ବିଦେଶୀ ରହିଛନ୍ତି।

ଏହି ନିଲାମ ପ୍ରକ୍ରିୟାରେ ସାମିଲ ଥିବା ଖେଳାଳିଙ୍କ ମଧ୍ୟରୁ ବଡ଼ ଭାରତୀୟ ତାରକାଙ୍କ ମଧ୍ୟରେ ରହିଛନ୍ତି ଯୁବରାଜ ସିଂହ, ଅକ୍ଷର ପଟେଲ, ରିଦ୍ଧିମାନ ସାହା, ମହମ୍ମଦ ସାମି। ଏମାନଙ୍କ ମୂଳ ରାଶି ଏକ କୋଟି ରହିଛି। ନମନ ଓଝା, ଦ୍ରୁତ ବୋଲର ଈଶାନ୍ତ ଶର୍ମା (୭୫ ଲକ୍ଷ) ଏବଂ ଟେଷ୍ଟ୍ ବିଶେଷଜ୍ଞ ଚେତେଶ୍ବର ପୂଜାର (୫୦ ଲକ୍ଷ) ୧ କୋଟି ତଳେ ରହିଛନ୍ତି। ଏଥିସହ ଓଡ଼ିଶାରୁ ପପୁ ରାୟ ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ (ମୂଳ ଦଳ ୨୦ ଲକ୍ଷ ଲେଖାଏଁ) ମଧ୍ୟ ଏହି ନିଲାମରେ ରହିଛନ୍ତି।

ଖେଳାଳୀଙ୍କୁ କିଣିବାକୁ କିଙ୍ଗସ ଏକାଦଶ ପଞ୍ଜାବ ପାଖରେ ସର୍ବାଧିକ ୩୬.୨୦ କୋଟି ଟଙ୍କା ରହିଛି । ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ୨୫.୫୦ କୋଟି, ରାଜସ୍ଥାନ ରୟାଲ୍ସ ପାଖରେ ୨୦.୯୫ କୋଟି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୧୮.୧୫ କୋଟି, କୋଲକାତା ନାଇଟ ରାଇଡର୍ସ ପାଖରେ ୧୫,୨୦ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ୧୧.୧୫ କୋଟି, ସନରାଇଜର୍ସ ହାଇଦ୍ରାବାଦ ୯.୭୦ କୋଟି ଓ ଚେନ୍ନାଇ ସୁପର କିଙ୍ଗସ ନିକଟରେ ୮.୪୦ କୋଟି ଟଙ୍କା ରହିଛି । ଏହି ଟଙ୍କା ବିନିମୟରେ ନିଜ ଦଳ ପାଇଁ ଖେଳାଳି କିଣିପାରିବେ ଫ୍ରାଞ୍ଜାଇଜ ।