୧୦ ବର୍ଷ ପୂର୍ବରୁ ଆଜିର ଦିନରେ ଜନ୍ମ ନେଇଥିଲା ଆଇପିଏଲ୍ ! ମୋଦି ଦେଇଥିଲେ ଆଇଡ଼ିଆ

57

ଇଣ୍ଡିଆନ୍ ପ୍ରିିମିୟର ଲିଗ୍ ତଥା ଆଇପିଏଲ ଆଜି ସାରା ବିଶ୍ୱରେ ଏକ ନୂତନ ସ୍ଥାନ ଅଧିକାର କରିଛି । କେବଳ ଭାରତର ଖେଳାଳି ନୁହେଁ ବିଦେଶୀ ଖେଳାଳି ମଧ୍ୟ ଆଇପିଏଲର ଅଂଶ ହେବା ପାଇଁ ଚାହିଁ ବସିଥାଆନ୍ତି । ଆଇପିଏଲ ମ୍ୟାଚରେ କେବଳ ରନ ବର୍ଷା ହୁଏନି ଟଙ୍କା ବର୍ଷା ମଧ୍ୟ ହୁଏ । ପ୍ରଥମ ଆଇପିଏଲ୍ ମ୍ୟାଚ ଖେଳାଯାଇଥିଲା ୧୮ ଏପ୍ରିଲରେ, ଆଉ ଆଜି ଆଇପିଏଲ ଜନ୍ମକୁ ହୋଇଗଲା ୧୦ ବର୍ଷ ।

ଆଇପିଏଲ୍ ଏକ ଏପରି ପ୍ଲାଟଫର୍ମ ଯାହା ନୂଆ ନୂଆ ଖେଳାଳିଙ୍କୁ ନୂତନ ପରିଚୟ ଦେଉଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ଆରମ୍ଭ କରି ୟୁଜବେନ୍ଦ୍ର ଚହଲ ପରି ଖେଳାଳି ଯେଉଁମାନେ ଆଇପିଏଲରେ ଭଲ ପ୍ରଦର୍ଶନ କରି ଟିମ୍ ଇଂଣ୍ଡିଆରେ ନିଜର ସ୍ଥାନ ଅଧିକାର କରିବାରେ ସଫଳ ହୋଇପାରିଛନ୍ତି । ଆଇପିଏଲର ଗୋଟିଏ ପରେ ଗୋଟିଏ ସିଜିନ ଖେଳାଯିବା ପରେ ଏହି ଖେଳାଳିଙ୍କ ଆଉ ଅଧିକ ଲୋକପ୍ରିୟ ହେଉଛନ୍ତି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଆଇପିଏଲର ଆରମ୍ଭ କିପରି ହୋଇଥିଲା ? କିଏ ଦେଇଥିଲା ଆଇଡ଼ିଆ ?

ସାରା ଦୁନିଆରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଇପିଏଲ ଆଜିକୁ ୧୦ ବର୍ଷ ପୂରଣ କରିଛି । ୧୮ ଏପ୍ରିଲ ୨୦୦୮ରେ ପ୍ରଥମ ଥର ପାଇଁ ଆଇପିଏଲ ମ୍ୟାଚ୍ ଖେଳାଯାଇଥିଲା । ଆଉ ସେତେବେଳେ ସାରା ଦୁନିିଆରେ କ୍ରିକେଟର ପ୍ରଶଂସକମାନଙ୍କ ପାଇଁ ଏହି ମ୍ୟାଚ୍ ବହୁତ ରୋମାଂଚ ସୃଷ୍ଟି କରୁଥିଲା । ଦୁଇ ଦେଶର ଖେଳାଳି ଯେଉଁଠି ଉଭୟେ ଉଭୟ ଦେଶ ବିରୋଧରେ ଖେଳୁଥିଲେ ସେମାନଙ୍କୁ ଏକାଠି ଖେଳିବାର ସୁଯୋଗ ମିଳିଥିଲା । ଏହାସହ ଟିମ୍ ଇଣ୍ଡିଆର ଖେଳାଳିମାନେ ଜଣେ ଜଣଙ୍କ ବିରୋଧରେ ମଧ୍ୟ ଖେଳ ଖେଳିଲେ ।

ଆଇପିଏଲର ଆଇଡ଼ିଆ ଦେଇଥିଲେ ବିସିସିଆଇର ପୂର୍ବ ଅଧ୍ୟକ୍ଷ ଲଳିତ ମୋଦି । ମୋଦି ସେହି ସମୟରେ ଜଣେ ଜଣାଶୁଣା କ୍ରିକେଟ ପ୍ରଶାସକ ଥିଲେ । ଏପରି ଏକ ନିଆରା ପ୍ରୟାସ କରି ସାରା ଦୁନିଆର ଖେଳାଳିଙ୍କୁ ଆଣିବା ପାଇଁ ସେ ଚେଷ୍ଟା କରିଥିଲେ । ଲଳିତ ମୋଦିଙ୍କ ଏହି ଆଇଡ଼ିଆକୁ ତାଙ୍କ ସହଯୋଗୀମାନେ ସମର୍ଥନ ଜଣାଇଥିଲେ । ଆଉ ତା’ପରେ ଆରମ୍ଭ ହେଲା ପ୍ରସ୍ତୁତି । ଲଳିତ ମୋଦି ନିଜେ ଜଣେ ବଡ଼ ବ୍ୟବସାୟୀ । ସେ ଅମ୍ବାନୀ, ବିର୍ଲା ପରି ଧନୀ ଧନୀ ବ୍ୟବସାୟୀଙ୍କୁ ଆଇପିଏଲରେ ଟଙ୍କା ନିବେଶ କରିବା ପାଇଁ କହିିଥିଲେ । ଅନେକ ବିଚାର ବିମର୍ଷ ପରେ ସେମାନେ ଟଙ୍କା ଲଗାଇବା ପାଇଁ ରାଜି ହୋଇଯାଇଥିଲେ । ଆଉ ଆରମ୍ଭ ହୋଇଥିଲା ଆଇପିଏଲ ମ୍ୟାଚ୍ । ଏବେ ଜାରି ରହିଛି ଆଇପିଏଲର ୧୧ ତମ ସିଜିନ୍ । ଆଇପିଏଲ ୨୦୧୮ରେ ଏବେ ପର୍ଯ୍ୟନ୍ତ ୧୪ଟି ମୁକାବିଲା ହୋଇସାରିଛି ।