ଆଇପିଏଲର ମହାସମର ! ଆଜି ପଂଜାବ-ପୁନେ, ଦିଲ୍ଲୀ-ବାଙ୍ଗାଲୋର ଟକ୍କର

22

କନକ ବ୍ୟୁରୋ : ଆଇପିଏଲରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ଅପରାହ୍ନ ୪ଟାରେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ କିଙ୍ଗସ ଇଲେଭେନ୍ ପଂଜାବ ଏବଂ ରାଇଜିଂ ପୁନେ ସୁପରଜାଏଂଟ୍ । ଇନ୍ଦୋରରେ ଖେଳାଯିବ ଏହି ମ୍ୟାଚ୍ । ଗତ ବର୍ଷ ଆଇପିଏଲରେ ଏହି ଦୁଇ ଦଳର ପ୍ରଦର୍ଶନ ସେତେ ଭଲ ନଥିଲା । ଆଇପିଏଲ-୨୦୧୬ରେ ୧୪ଟି ମ୍ୟାଚରୁ ମାତ୍ର ୫ଟି ଜିତିଥିଲା ପୁଣେ । ସେହିପରି ପଂଜାବ ଖେଳିଥିବା ୧୪ଟି ମ୍ୟାଚରୁ ମାତ୍ର ୪ଟି ଜିତିବାକୁ ସକ୍ଷମ ହୋଇଥିଲା । ନୂଆ କ୍ୟାପଟେନ ଷ୍ଟିଭ୍ ସ୍ମିଥଙ୍କ ନେତୃତ୍ୱରେ ବେଶ୍ ଶକ୍ତିଶାଳୀ ମନେ ହେଉଛି ପୁନେ ସୁପରଜାଏଂଟ୍ ।

କ୍ୟାପଟେନ୍ କୁଲ ଧୋନୀଙ୍କ ସ୍ଥାନରେ ଦଳ ସ୍ମିଥଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ମୟଙ୍କ ଅଗ୍ରୱାଲ, ଅଙ୍କିତ ଶର୍ମା, ଡୁପ୍ଲେସିସ, ରଜତ ଭାଟିଆ, ଜୟଦେବ ଉନାଦକତ ଓ ଇମ୍ରାନ୍ ତାହିରଙ୍କ ପରି ଖେଳାଳି । ଅନ୍ୟପଟେ କିଙ୍ଗସ ଇଲେଭେନ୍ ପଂଜାବରେ ଅଛନ୍ତି ଗ୍ଲେନ୍ ମାକ୍ସୱେଲ, ମାର୍ଟିନ୍ ଗପ୍ଟିଲ ଓ ଡେଭିଡ୍ ୱାର୍ଣରଙ୍କ ପରି ବିସ୍ଫୋରକ ବ୍ୟାଟସମ୍ୟାନ୍ । ବରୁନ୍ ଆରୋନ, ଗୁରକିରତ ସିଂହଙ୍କ ପରି ଯୁବ ଖେଳାଳି ମଧ୍ୟ ମ୍ୟାଚର ମୋଡ ବଦଳାଇବାର ଦକ୍ଷତା ରଖିଛନ୍ତି ।

ସେହିପରି ରାତି ୮ଟାରେ ବାଙ୍ଗାଲୋରରେ ଦିଲ୍ଲୀ ଡେୟାର ଡେଭିଲ୍ସ ଏବଂ ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ଟକ୍କର । ଉଭୟ ଦଳ ବେଶ୍ ଶକ୍ତିଶାଳୀ ମନେ ହେଉଥିଲେ ବି ପ୍ରଦର୍ଶନ ଦୃଷ୍ଟିରୁ ବେଶ୍ ଆଗରେ ରହିଛି ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର । କ୍ରିସ ଗେଲ୍, ଏବି ଡିଭିଲ୍ୟର୍ସଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ୍ ଏକାକୀ ନିଜ ଦମରେ ମ୍ୟାଚ୍ ଫଳାଫଳକୁ ନିୟନ୍ତ୍ରଣ କରିବା କ୍ଷମତା ରଖିଛନ୍ତି । ସେନ୍ ୱାଟସନ୍ ଅଧିନାୟକ ଦାୟିତ୍ୱ ତୁଲାଉଥିବା ବେଳେ ଉଭୟ ବୋଲିଂ ଓ ବ୍ୟାଟିଂରେ ତାଙ୍କର ଭରପୂର ଦକ୍ଷତା ରହିଛି ।

ଏହା ସହ ଏସ ଅରବିନ୍ଦ, ଷ୍ଟୁଆର୍ଟ ବିନ୍ନି, କେଦାର ଯାଦବ ଓ ଚହଲଙ୍କ ଭଳି ଯୁବ ଖେଳାଳି ମଧ୍ୟ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି । ସେପଟେ ଦିଲ୍ଲୀ ଡେୟାର ଡେଭିଲ୍ସର ନେତୃତ୍ୱ ନେଉଛନ୍ତି ଭାରତୀୟ ପେସର୍ ଜାହିର ଖାନ୍ । ଦଳରେ ଅଛନ୍ତି ଜେପି ଡୁମିନି, ବ୍ରେଥୱେଟ୍ ଓ କମିନ୍ସଙ୍କ ଭଳି ଶକ୍ତିଶାଳୀ ଖେଳାଳି । ଏହା ସହ କେ. ରାବଡା ଓ ମହମଦ ସାମିଙ୍କ ପରି ପେସ୍ ବୋଲର ମଧ୍ୟ ମ୍ୟାଚ୍ ବିଜେତା ହେବାର ସାମର୍ଥ୍ୟ ରଖିଛନ୍ତି ।