ଆଇପିଏଲ-୧୦ ଟାଇଟଲ ହାତେଇଲା ମୁମ୍ବାଇ ଇଣ୍ଡିଆନ୍ସ ! ୧ ରନରେ ହାରିଲା ପୁଣେ

36

କନକ ବ୍ୟୁରୋ : ଏକ ରୋମାଂଚକର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ହୋଇଛି ଆଇପିଏଲ-୧୦ର ଚାମ୍ପିୟନ । ରାଇଜିଂ ପୁଣେ ସୁପରଜାଏଂଟକୁ ୧ ରନରେ ହରାଇ ବାଜି ମାରିଛି ମୁମ୍ବାଇ । ଲୋ ସ୍କୋରିଂ ଫାଇନାଲ ମ୍ୟାଚରେ ଶେଷ ବଲରେ ମ୍ୟାଚ୍ ଜିତି ଟାଇଟଲ ହାତେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଏହା ସହ ତୃତୀୟ ଥର ପାଇଁ ଆଇପିଏଲ ବିଜେତା ହୋଇଛି ମୁମ୍ବାଇ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୨୯ ରନ୍ ସ୍କୋର କରିଥିଲା ।

ମାତ୍ର ୭୯ ରନରେ ୭ ୱିକେଟ୍ ହରାଇ ସଂକଟରେ ପଡିଥିଲା ଦଳ ।  ତେବେ ଅଷ୍ଟମ ୱିକେଟ୍ ଭାଗିଦାରୀରେ କୁଣାଲ ପାଣ୍ଡ୍ୟା ଓ ମିଚେଲ୍ ଜନସନଙ୍କ ଯୋଡି ୩୫ ରନରେ ୫୦ ରନ୍ କରିଥିଲେ । ଫଳରେ ମୁମ୍ବାଇ ଏକ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ୧୩୦ ରନ୍ ଟାର୍ଗେଟକୁ ପିଛା କରୁଥିବା ପୁଣେ ୬ ୱିକେଟ୍ ହରାଇ ୧୨୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ମାତ୍ର ୧୭ ରନରେ ପ୍ରଥମ ୱିକେଟ୍ ହରାଇଥିବା ବେଳେ ଦ୍ୱିତୀୟ ୱିକେଟ୍ ପାଇଁ ଅଜିଙ୍କ୍ୟ ରାହାଣେ ଓ ଷ୍ଟିଭେନ୍ ସ୍ମିଥ୍ ୭୧ ରନ୍ କରି ସ୍ଥିତି ସମ୍ଭାଳିଥିଲେ ।

ରାହାଣେ ୪୪ ରନ୍ କରି ଆଉଟ୍ ହେବା ପରେ ପୁଣେର ଲଗାତର ୱିକେଟ୍ ପତନ ହୋଇଥିଲା । କେବଳ ଅଧିନାୟକ ସ୍ମିଥ୍ ଦୃଢ ବ୍ୟାଟିଂ କରି ୫୧ ରନ୍ କରିଥିଲେ । ତେବେ ଶେଷ ଓଭରରେ ତିନିଟି ୱିକେଟ୍ ଦଖଲ କରି ପୁଣେ ହାତରୁ ମ୍ୟାଚ୍ ଛଡାଇ ଆଣିଥିଲେ ମୁମ୍ବାଇ ଇଣ୍ଡିଆନ୍ସ ବୋଲର ମିଚେଲ୍ ଜନସନ୍ । ୩୮ ବଲରୁ ୪୭ ରନ୍ କରିଥିବା କୁଣାଲ ପାଣ୍ଡ୍ୟାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ୍ ଘୋଷଣା କରାଯାଇଛି ।