ଇଣ୍ଡୋନେସିଆ ଆକାଶରେ ବଡ଼ ଦୁର୍ଘଟଣା ! ୫ ଜଣ କ୍ରିଉ ମେମ୍ବରଙ୍କ ସମେତ ୧୮୯ ଜଣଙ୍କ ମୃତ୍ୟୁ ଆଶଙ୍କା

251
କନକ ବ୍ୟୁରୋ : ଇଣ୍ଡୋନେସିଆ ଆକାଶରେ ବଡ ଧରଣର ଦୁର୍ଘଟଣା  । ଲାୟନ ଏୟାରର ବିମାନ, ଉଡାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହେବାରୁ ବିମାନରେ ଥିବା ୧୮୯ଜଣଙ୍କର କୌଣସି ପତ୍ତା ମିଳୁନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ବିମାନରେ ଜଣେ ଭାରତୀୟ ପାଇଲଟ ଥିବା ଜଣାପଡିଛି ।
ଲାୟନ ଏୟାରର ଏହି ବିମାନ ଉଡିବାର ଅଳ୍ପ ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇ ଜାଭା ସମୁଦ୍ରକୁ ଖସିପଡିଥିଲା । ବିମାନରେ ଥିଲେ ୧୮୯ ଜଣ ବ୍ୟକ୍ତି । ୧୭୮ ଯାତ୍ରୀଙ୍କ ସମେତ ୩ ଜଣ ଶିଶୁ, ୨ ପାଇଲଟ ଓ ୬ ଜଣ କ୍ରିଉ ମେମ୍ବର ଥିଲେ । ବିମାନଟି ସକାଳ ୬ଟା ୨୦ରେ ଉଡାଣ ଆରମ୍ଭ କରିଥିଲା ଏବଂ ୭ଟା ୨୦ରେ ଲ୍ୟାଣ୍ଡ କରିବାର ଥିଲା । ବିମାନଟି ଉଡ଼ାଣ ଭରିବାର ୧୩ମିନିଟ ପରେ ଏଟିଏସ୍ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା । ଆଉ ତା’ପରେ ଘଟିଲା ଦୁର୍ଘଟଣା । ଏହା ସ୍ପଷ୍ଟ କରିଛନ୍ତି ଇଣ୍ଡୋନେସିଆର ସର୍ଚ୍ଚ ଓ ରେସକ୍ୟୁ ଏଜେନ୍ସିର ମୁଖପାତ୍ର ।
ଘଟଣା ପରେ ଆରମ୍ଭ ହୋଇଯାଇଛି ରେସକ୍ୟୁ ଅପରେସନ । ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କ ମଧ୍ୟରୁ ଜଣେ ବି ଯାତ୍ରୀ ଜୀବିତ ଥିବାର କୌଣସି ସୂଚନା ମିଳୁନଥିବା ଉଦ୍ଧାରକାରୀ ଦଳ ସୂଚନା ଦେଇଛି । ତେବେ ଯାତ୍ରୀ ସୁରକ୍ଷିତ ରହିବା ନେଇ କେବଳ ପ୍ରାର୍ଥନା କରାଯାଇପାରିବ । ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ପାରୁନାହିଁ ବୋଲି ଲାୟନ ଏୟାର ଗ୍ରୁପର ମୁଖ୍ୟ କହିଛନ୍ତି ।
ଉଦ୍ଧାରକାରୀ ଦଳକୁ ଯାତ୍ରୀଙ୍କ ଲଗେଜ୍ ଓ ବିମାନର ଭଙ୍ଗା ସିଟ୍ ପଡିଥିବା ଦେଖିବାକୁ ମିଳିଛି । ଏହି ବିମାନରେ  ୨ଜଣ ପାଇଲଟଙ୍କ ମଧ୍ୟରେ ଥିଲେ ଜଣେ ଭାରତୀୟ ପାଇଲଟ । ଦିଲ୍ଲୀ ମୟୁର ବିହାରର ୩୧ ବର୍ଷୀୟ କ୍ୟାପଟେନ ଭବ୍ୟ ସୁନେଜା ବିମାନ ଉଡାଉଥିଲେ । ଜାକର୍ତାରୁ ପ୍ରାୟ ୧ଘଂଟା ୧୦ମିନିଟର ଯାତ୍ରା ପରେ ବିମାନଟି  ସୁମାତ୍ରା ଦ୍ୱୀପରେ ଥିବା ପଙ୍ଗକଲ୍ ପିନାଙ୍ଗରେ ପହଂଚିବାର ଥିଲା । ଏଟିଏସ୍ ସହ ଯୋଗାଯୋଗ ବିଛିନ୍ନ ହେବା ସମୟରେ ବିମାନଟି୩ହଜାର ୬୫୯ଫୁଟ ଉ୍ଚ୍ଚ ଏବଂ ଇଣ୍ଡୋନେସିଆ ସମୁଦ୍ର ତଟଠାରୁ ପ୍ରାୟ ୧୫କଲୋମିଟର ଦୂରରେ ଉଡାଣ ଭରୁଥିଲା ।