ଆଇଓସିଏଲରେ ଚାକିରି ଦେବା ନାଁରେ ଠକେଇ ଘଟଣା : ଠକେଇର ମାଷ୍ଟରମାଇଣ୍ଡ ସହ ଦାମଙ୍କ ଫଟୋକୁ ନେଇ ଚର୍ଚ୍ଚା

33

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ବିଜେଡି ହେଭିୱେଟଙ୍କ ସହ ଠକେଇର ମାଷ୍ଟର ମାଇଣ୍ଡ । ଆଇଓସିଏଲରେ ଚାକିରି ଦେବା ନାଁରେ କୋଟିକୋଟି ଟଙ୍କା ଚୂନ ଲଗାଇଥିବା ମୁକେଶ ସାମଲ ଜଣେ ବିଜେଡି କର୍ମୀ ବୋଲି ଚର୍ଚ୍ଚା ହେଉଛି । ଆଉ ମନ୍ତ୍ରୀ ଦାମୋଦର ରାଉତଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ତାକୁ ଏକାଠି ଦେଖିବାକୁ ମିଳିଛି । ଅନ୍ୟଜଣେ ଅଭିଯୁକ୍ତ ସାରଦା ପ୍ରସନ୍ନ ବାରିକ ସହ ଠକେଇ ଅଭିଯୋଗରେ ମୁକେଶକୁ ପାରାଦୀପରୁ ଉଠାଇ ନେଇଛି ଆନ୍ଧ୍ର ପୋଲିସ । ପାରାଦୀପସ୍ଥିତି ଇଣ୍ଡିଆନ ଅଏଲର ତୈଳ ବିଶୋଧନାଗାରରେ ଚାକିରି କରାଇ ଦେବାକୁ କହି ଏମାନେ ଆନ୍ଧ୍ରପ୍ରଦେଶରେ ଅନେକ ଯୁବକ ଯୁବତୀଙ୍କଠାରୁ ୧୦ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି । ଆଉ ଏଭଳି ଅପରାଧୀ ସହ ମନ୍ତ୍ରୀ ଦାମୋଦର ରାଉତଙ୍କ ଫଟୋକୁ ନେଇ ଉଠିଛି ଅନେକ ପ୍ରଶ୍ନ । ମୁକେଶ ସହ ମନ୍ତ୍ରୀ ଦାମ ରାଉତଙ୍କ ସଂପର୍କକୁ ନେଇ ସନ୍ଦେହ ବଢିଛି ।

ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା ମୁକେଶକୁ । ମନ୍ତ୍ରୀ ଦାମ ରାଉତଙ୍କ ସହ ବିଭିନ୍ନ ସଭା ଓ ରାଲିରେ ସାମିଲ ହେଉଥିଲା । ଏପରିକି ବନଯାଗ ଯାତ୍ରା ସମୟରେ ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ରଙ୍କ ସହ ବି ଏକାଠି ଫଟୋ ଉଠାଇଛି ମୁକେଶ । ଏସବୁ ଫଟୋ ତାର ପ୍ରଭାବ ବିସ୍ତାର କରିବାରେ ସହାୟତ ହୋଇଥିବା ଚର୍ଚ୍ଚା ହେଉଛି । ପାରାଦୀପ ବଡପଡିଆ ଓ ରଙ୍ଗିଆଗଡରୁ ଆନ୍ଧ୍ର ପୁଲିସ ଏ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ପାରାଦୀପ ପୁଲିସ ଓ ଆନ୍ଧ୍ର ପୁଲିସର ମିଳିତ ଉଦ୍ୟମରେ ଏମାନଙ୍କୁ ଗିରଫ କରାଯାଇଛି ।