ଛିଣ୍ଡିଲା ଅଙ୍କ! ଦିଲ୍ଲୀ ଦରବାରରେ ହେଲା ଆଇଓସିଏଲ ବିଚାର! ଓଡିଶା ପାଇଲା ହକ୍, ଆଇଓସିଏଲ ଦେବ ଭାଟ୍ ବାବଦ ଅର୍ଥ ।

25

କନକ ବ୍ୟୁରୋ: ଶେଷରେ ଯାହା ଆଶା କରାଯାଉଥିଲା ସେଇଆ ହେଲା । ଦିଲ୍ଲୀ ଦରବାରରେ ବିଚାର ହେଲା ଆଇଓସିଏଲ ବିବାଦର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସକରାତ୍ମକ ଆଲୋଚନା ନେଇ ଗତକାଲି ସୂଚନା ଦିଆଯାଇଥିବା ବେଳେ ଆଇଓସିଏଲ ବିବାଦର ଅନ୍ତ ହୋଇଥିବା ନେଇ ଘୋଷଣା ହୋଇଛି ଦିଲ୍ଲୀରେ ।

ଛିଣ୍ଡିଲା ଅଙ୍କ । ଅନ୍ତ ହେଲା ଆଇଓସିଏଲ ବିବାଦର । ଓଡିଶାରେ ନୁହେଁ ଦିଲ୍ଲୀରେ ଦରବାର ବସି ଦୁଇ ନେତା ବାହାର କଲେ ଉପାୟ । ରାଜ୍ୟର ଦାବୀକୁ ବିଚାରକୁ ନେଇଥିବା ପେଟ୍ରୋଲିୟମ ବିଭାଗ ଶେଷରେ ନିଜର ମତ ରଖିଛି । ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛି ବିଭାଗ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇ କହିଛନ୍ତି, ୨୦୧୬-୧୭ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ବିନା ସୁଧରେ ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୭୦୦ କୋଟି ଟଙ୍କା ଲେଖାଏଁ ଆଇଓସିଏଲକୁ ଋଣ ଦେବେ । ୧୬ତମ ବର୍ଷରୁ ଆଇଓସିଏଲ ଏହାକୁ ପରିଶୋଧ କରିବା ଆରମ୍ଭ କରିବ । ସେହିଭଳି ୨୦୧୬-୧୭ରେ ଆଇଓସିଏଲ ୨୨୦୦କୋଟି ଆୟ ହୋଇଛି । ସେଥିରୁ ଆଇଓସିଏଲକୁ ରାଜ୍ୟ ସରକାର ୭୦୦କୋଟି ଦେବା ପରେ ୧୫୦୦ କୋଟି ଟଙ୍କା ରାଜସ୍ୱ ଆକାରରେ ରହିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେହିଭଳି ୨୦୧୫-୧୬, ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ ଅଦାୟ ହୋଇଥିବା ଭାଟକୁ ଖୁବଶୀଘ୍ର ଆଇଓସିଏଲ ଜମା କରିବ ବୋଲି ନିଷ୍ପତି ହୋଇଛି ।

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ କହିଛନ୍ତି, ବାର୍ଷିକ ୨ହଜାର କୋଟି ବଦଳରେ ୭ଶହ କୋଟି ଋଣ ଦେବା କିଛି ମନ୍ଦ ହେବନି । ରାଜ୍ୟ ରାଜସ୍ୱ ଆଦାୟ କରିବା ସହିତ ଆଇଓସିଏଲ ମଧ୍ୟ କ୍ଷତି ସହିବ ନାହିଁ । ଏହା ଉଭୟ ପକ୍ଷଙ୍କ ପାଇଁ ଉତ୍ତମ ବୁଝାମଣା । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଧର୍ମେନ୍ଦ୍ର କହିଥିଲେ, ଆଇଓସିଏଲର ପକ୍ଷକୁ ଅଣଦେଖା କରି ଓଡିଶା ସରକାର କ୍ୟାବିନେଟ ବୈଠକରେ ପ୍ରସ୍ତାବ ଗ୍ରହଣ କରିଥିଲେ । ଯାହା ଓଡିଶାରେ ଶିଳ୍ପାୟନକୁ ବ୍ୟାହତ କରିବା ନେଇ ଆଶଙ୍କା ସୃଷ୍ଟି କରିଥିଲା । ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ କାର୍ଯ୍ୟ ହୋଇଛି । ଓଡିଶାରେ ଏକ ବଡ ପୁଂଜିନିବେଶକାରୀ ହେଉଛି ଆଇଓସିଏଲ । ଏହାର ପ୍ରେଟ୍ରୋକେମିକାଲ ପ୍ରକଳ୍ପରୁ ଓଡିଶା ଲାଭବାନ ହେବ । ଏହାଦ୍ୱାରା ଓଡିଶାକୁ ରାଜସ୍ୱ ମିଳିବ ଓ ଓଡିଆଙ୍କୁ କାମ ମିଳିବ । ସମ୍ମାନ ପାଇଁ ନୁହେଁ ଓଡିଶାର ସ୍ୱାର୍ଥ ପାଇଁ ଆଲୋଚନା ହୋଇଥିଲା ।

ପାରାଦୀପ ତୈଳ ରିଫାଇନାରୀ ନିମନ୍ତେ ୨୦୦୪ ଫେବୃଆରୀ ୧୬ରେ ରାଜ୍ୟ ସରକାର ଓ ଆଇଓସିଏଲ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ବୁଝାମଣା ପତ୍ରର ସର୍ତ୍ତ ଅନୁସାରେ ୧୧ ବର୍ଷ ପର୍ଯ୍ୟନ୍ତ ପାରାଦୀପ ରିଫାଇନାରୀରୁ ଉତ୍ପାଦିତ କୌଣସି ଉତ୍ପାଦର ବିକ୍ରିି ପାଇଁ ରାଜ୍ୟ ସରକାର କୌଣସି ଟ୍ୟାକ୍ସ ମାଗିବେ ନାହିଁ । କିନ୍ତୁ ଏହି ଟିକସ ଅର୍ଥକୁ ଋଣ ଆକାରରେ ଦ୍ୱାଦଶ ବର୍ଷ ଠାରୁ ରାଜ୍ୟ ସରକାରଙ୍କୁ ଆଇଓସିଏଲ ଭରଣା କରିବା ନେଇ ସର୍ତ୍ତରେ ଉଲ୍ଲେଖ କରାଯାଇଥିଲା । ରିଫାଇନାରୀରେ ଉତ୍ପାଦନ ଆରମ୍ଭ ହେବା ସହ ଏହି ସର୍ତ୍ତ ଲାଗୁ କରାଯିବା ନେଇ ଉଲ୍ଲେଖ ରହିଥିଲା । ୨୦୧୫ ସେପ୍ଟେମ୍ବର ୨୨ରୁ ପାରାଦୀପ ରିଫାଇନାରୀରେ ଉତ୍ପାଦନ ଆରମ୍ଭ କରାଯାଇଥିଲା ଆଉ ୨୦୧୬ ଡିସେମ୍ବର ସୁଦ୍ଧା ଏହି ଉତ୍ପାଦ ଓଡିଶା ଭିତରେ ବିକ୍ରୟ କରି ପ୍ରାୟ ୧୪୮୫ କୋଟି ଟଙ୍କା ଟିକସ ଆକାରରେ ଆଦାୟ କରିଥିଲା ।

ତେବେ ଫେବୃଆରୀ ୨୭ରେ ରାଜ୍ୟ ସରକାର ଆଇଓସିଏଲକୁ ଏକ ଡିମାଣ୍ଡ ନୋଟିସ ମାଧ୍ୟମରେ ୧୪୮୫ କୋଟି ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନୋଟିସ ପାଇବା ପରେ ତୁରନ୍ତ ଏହି ଅର୍ଥ ପ୍ରଦାନ ପାଇଁ ନିର୍ଦ୍ଦେଶନାମା ଜାରୀ କରାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ବିବାଦ ।

ଓଡିଶା ସରକାରଙ୍କ ଏହି ନୋଟିସକୁ ଚ୍ୟାଲେଞ୍ଜ କରି ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲା ଆଇଓସିଏଲ । ଓଡିଶା ହାଇକୋର୍ଟ ମଧ୍ୟ ଆଇଓସିଏଲ ଠାରୁ ଏହି ଅର୍ଥ ଆଦାୟ ନେଇ କୌଣସି ପଦକ୍ଷେପ ନ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

୧୬ ମାର୍ଚ୍ଚ ୨୦୧୭ରେ ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ ବିଶ୍ୱଜିତ ମହାନ୍ତି ରାଜ୍ୟ ସରକାର ଜାରୀ କରିଥିବା ଡିମାଣ୍ଡ ନୋଟିସ ଉପରେ ରୋକ ଲଗାଇବା ସହିତ ଆଇଓସିଏଲ, ରାଜ୍ୟ ସରକାର, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଅଧିକାରୀଙ୍କୁ ନେଇ କାର୍ଯ୍ୟକାରୀ ଗୃପ ଦୁଇମାସ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଉକ୍ତ ଖଣ୍ଡପୀଠ ରାୟ ଦେଇଥିଲେ ।

ହାଇକୋର୍ଟଙ୍କ ଏହି ରାୟ ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଅନେକ ଥର ବୈଠକ ହୋଇଥିଲେ ବି ସମାଧାନର କୌଣସି ରାସ୍ତା ବାହାରି ପାରିନଥିଲା । କିନ୍ତୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଏହି ବିବାଦର ସମାଧାନ ନେଇ ଆଲୋଚନା ହୋଇଥିଲା । ଦିଲ୍ଲୀ ସ୍ଥିତ ଓଡିଶା ଭବନରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ରାଜ୍ୟର ସ୍ୱାର୍ଥ ପାଇଁ ବୁଝାମଣା କରାଯିବ ବୋଲି ଦୁଇ ନେତା ପରୋକ୍ଷରେ ସୂଚନା ଦେଇଥିଲେ । ତେବେ ଏହି ବିବାଦର ଅବସାନ ହେବା ପରେ ରାଜନୀତିର ପାଣିପାଗ କେଉଁ ମୋଡ ନେଉଛି ତାହା ଉପରେ ରହିବ ନଜର ।