ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପାଇଁ ବଢିଲା ଅଡୁଆ । ୨ ଘଂଟା ମଧ୍ୟରେ ହାଜର ହେବାକୁ ରାତି ଅଧରେ ସିବିଆଇ ନୋଟିସ ପରେବି ଦେଖାଦେଲେନି ଚିଦୁ

ଏପଟେ ଗିରଫ ପାଇଁ ଇଡି କରୁଛି ଖୋଳତାଡ; ଜାମିନ୍ ପାଇଁ ଆଜି ସୁପ୍ରିମକୋର୍ଟରେ ଶୁଣାଣି

145

କନକ ବ୍ୟୁରୋ: ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ପାଇଁ ବଢିଲା ଅଡୁଆ । ୨ ଘଂଟା ମଧ୍ୟରେ ହାଜର ହେବାକୁ ରାତି ଅଧରେ ଚିଦାମ୍ୱରମଙ୍କ ଘରେ ନୋଟିସ୍ ମାରିଲା ସିବିଆଇ । ହେଲେ ନୋଟିସ୍ ମାରିବାର ୨ ଘଂଟା ପରେ ବି ତାଙ୍କର ଦେଖାମିଳିନି । ଆଇଏନଏକ୍ସ ମିଡ଼ିଆ ମାମଲାରେ ଅଭିଯୁକ୍ତ ଅଛନ୍ତି ଚିଦାମ୍ବରମ ।

ମିଳିଥିବା ସୂଚନା ଅନୁସାରେ ସିବିଆଇ ଟିମ୍ ଚିଦାମ୍ବରମଙ୍କ ଘରେ ପହଂଚି ଯାଂଚ କରିିବା ବେଳେ ସେ ଅନୁପସ୍ଥିତ ଥିଲେ । ସେହିପରି ଇଡି ମଧ୍ୟ ଖୋଳତାଡ କରିବା ବେଳେ ସେ ଘରୁ କୁଆଡେ ପଳେଇଛନ୍ତି । ତାଙ୍କର ମୋବାଇଲ୍ ମଧ୍ୟ ଅଫ୍ ରହିଛି । ଗତବର୍ଷ ତାଙ୍କ ପୁଅ କାର୍ତି ଚିଦାମ୍ବରମ୍କୁ ଗିରଫ କରାଯାଇଥିଲା । ଯିଏ ଏବେ ଜାମିନରେ ବାହରେ ଅଛନ୍ତି । ଅନ୍ୟପଟେ ଆଇଏନଏକ୍ସ ମିଡ଼ିଆ ମାମଲାରେ ହାଇକୋର୍ଟ ଚିଦାମ୍ବରମଙ୍କୁ ମୁଖ୍ୟ ଅଭିଯୁକ୍ତ କହିବା ସହ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ଇଡ଼ି ଓ ସିବିଆଇ ଶୀଘ୍ର ଚିଦାମ୍ବରମଙ୍କୁ ଗିରଫ କରିବାକୁ ଚାହୁଁଛି । ସେପଟେ ହାଇକୋର୍ଟରୁ ଝଟକା ଲାଗିବା ପରେ ଏବେ ଚିଦାମ୍ବରମଙ୍କ ଓକିଲ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

ମଙ୍ଗଳବାର କୋର୍ଟଙ୍କ ଶୁଣାଣି ସମୟ ଶେଷ ହୋଇଯାଇଥିବାରୁ ଏହାର ଶୁଣାଣି ଆଜି କରିବେ ସୁପ୍ରମିକୋର୍ଟ । ଚିଦାମ୍ବରମଙ୍କ ବିରୋଧରେ ଆଇଏନଏକ୍ସ ମିଡ଼ିଆକୁ ଫରେନ ଇନଭେଷ୍ଟମେଂଟ ପ୍ରୋମୋସନ ବୋର୍ଡ଼ରେ ଅବୈଧ ରୂପେ ସ୍ୱୀକୃତି ଦେବା ପାଇଁ ୩୦୫ କୋଟି ଟଙ୍କାର ଲାଂଚ ନେଇଥିବା ଅଭିଯୋଗ ରହିଛି । ଏହି ମାମଲରେ ଏ ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ କୋର୍ଟରୁ ପ୍ରାୟ ୨୪ ଥର ଗିରଫଦାରୀରୁ ଅନ୍ତରୀଣ ଆଶ୍ୱସ୍ତି ମିଳି ସାରିଛି । ୨୦୦୭ରେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ଏହି ମାମଲା ସାମ୍ନାକୁ ଆସିଥିଲା । ସେପଟେ ସିବିଆଇ ଓ ଇଡିର ଏପରି ତନାଘନା ଦେଖି କଂଗ୍ରେସ ବିଜେପିକୁ ପ୍ରତିଶୋଧମୂଳକ ରାଜନୀତି କରୁଥିବା ଅଭିଯୋଗ ଆଣିଛି ।