କିଭଳି ସିବିଆଇ ଘେରକୁ ଆସିଲେ ପୂର୍ବତନ ଅର୍ଥମନ୍ତ୍ରୀ? ଆଇଏନଏକ୍ସ ମିଡିଆ କେସରେ କାହିଁକି ଉଠିଲା ପି ଚିଦାମ୍ବରମଙ୍କ ନାଁ? ସଂକ୍ଷେପରେ ଜାଣନ୍ତୁ ପୂରା ଘଟଣା

346

କନକ ବ୍ୟୁରୋ: ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ପାଇଁ ବଢିଲା ଅଡୁଆ । ୨ ଘଂଟା ମଧ୍ୟରେ ହାଜର ହେବାକୁ ରାତି ଅଧରେ ଚିଦାମ୍ୱରମଙ୍କ ଘରେ ନୋଟିସ୍ ଲଟକାଇଲା ସିବିଆଇ । ହେଲେ ନୋଟିସ୍ ମାରିବାର ୨ ଘଂଟା ପରେ ବି ଏହି ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଦେଖା ମିଳି ନଥିିଲା । ଆଜି ସକାଳୁ ସକାଳୁ ସିବିଆଇର ଏକ ଟିମ୍ ପୁଣି ଚିଦାମ୍ବରମଙ୍କ ଦିଲ୍ଲୀସ୍ଥିତ ବାସଭବନ ଉପରେ ଚଢ଼ଉ କରିଛନ୍ତି । ତେବେ ଚିଦାମ୍ବରମଙ୍କ ଟେର୍ ପାଇନାହାଁନ୍ତି ସିବିଆଇର ଏହି ଟିମ୍ । ଆଇଏନଏକ୍ସ ମିଡ଼ିଆ ମାମଲାରେ ଅଭିଯୁକ୍ତ ଅଛନ୍ତି ଚିଦାମ୍ବରମ । ସିବିଆଇ ଟିମ୍ ଚିଦାମ୍ବରମଙ୍କ ଘରେ ପହଂଚି ଯାଂଚ କରିିବା ବେଳେ ସେ ଅନୁପସ୍ଥିତ ଥିଲେ । ସେହିପରି ଇଡି ମଧ୍ୟ ଖୋଳତାଡ କରିବା ବେଳେ ସେ ଘରୁ କେଉଁଆଡେ ଚାଲିଯାଇଛନ୍ତି । ତାଙ୍କର ମୋବାଇଲ୍ ମଧ୍ୟ ଅଫ୍ ରହିଛି । ଗତବର୍ଷ ତାଙ୍କ ପୁଅ କାର୍ତି ଚିଦାମ୍ବରମ୍ଙ୍କୁ ଗିରଫ କରାଯାଇଥିଲା । ସେ ଏବେ ଜାମିନରେ ବାହାରେ ଅଛନ୍ତି । ଅନ୍ୟପଟେ ଆଇଏନଏକ୍ସ ମିଡ଼ିଆ ମାମଲାରେ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ଇଡ଼ି ଓ ସିବିଆଇ ଶୀଘ୍ର ଚିଦାମ୍ବରମଙ୍କୁ ଗିରଫ କରିବାକୁ ଚାହୁଁଛି ।

ତେବେ ଏହି ମାମଲା ଚିଦାମ୍ବରମଙ୍କ ବିରୋଧରେ ଆଇଏନଏକ୍ସ ମିଡ଼ିଆକୁ ଫରେନ ଇନଭେଷ୍ଟମେଂଟ ପ୍ରୋମୋସନ ବୋର୍ଡ଼ରେ ଅବୈଧ ରୂପେ ସ୍ୱୀକୃତି ଦେବା ପାଇଁ ୩୦୫ କୋଟି ଟଙ୍କାର ଲାଂଚ ନେଇଥିବା ଅଭିଯୋଗ ରହିଛି । ଏହି ମାମଲାରେ ଏ ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ କୋର୍ଟରୁ ପ୍ରାୟ ୨୪ ଥର ଗିରଫଦାରୀରୁ ଅନ୍ତରୀଣ ଆଶ୍ୱସ୍ତି ମିଳି ସାରିଛି । ୨୦୦୭ରେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ଏହି ମାମଲା ସାମ୍ନାକୁ ଆସିଥିଲା ।

ସେହିଭଳି ଇନ୍ଦ୍ରାଣୀ ମୁଖାର୍ଜି ଏବଂ ତାଙ୍କ ସ୍ୱାମୀ ପିଟର ମୁଖାର୍ଜି, ଯିଏକି ୨୦୦୭ରେ ଆଇଏନଏକ୍ସ ମିଡିଆର ସହ ସଂପାଦକ ଥିଲେ, ଉଭଭଙ୍କ ଉପରେ ବି ଏହି ପୂରା ଘୋଟାଲାରେ ସଂପୃକ୍ତି ଥିବା ଅଭିଯୋଗ ରହିଛି । କାର୍ତ୍ତି ଚିଦାମ୍ବରମଙ୍କ ଉପରେ ମଧ୍ୟ ଏହି ଷଡଯନ୍ତ୍ରରେ ସାମିଲ ଥିବା ଅଭିଯୋଗ ରହିଛି । ୨୦୧୮ରେ ଇନ୍ଦ୍ରାଣୀ ମୁଖାର୍ଜି ସିବିଆଇକୁ ଦେଇଥିବା ନିଜ ବୟାନରେ ଏସଂପର୍କରେ କହିଥିଲେ । ସେ କହିଥିଲେ କି, ସେ ଏଥିପାଇଁ କାର୍ତ୍ତି ଙ୍କ ସହ ଡିଲ କରିଥିଲେ । ଯେଉଁ କାରଣରୁ କାର୍ତ୍ତିଙ୍କୁ ଗତବର୍ଷ ଫେବ୍ରୁଆରୀରେ ଗିରଫ ମଧ୍ୟ କରାଯାଇଥିଲା ମାତ୍ର ମାର୍ଚ୍ଚରେ ତାଙ୍କୁ ଜାମିନ ମିଳିଯାଇଥିଲା ।

ତେବେ କାର୍ତ୍ତି ଏବଂ ତାଙ୍କ ବାପା ପି.ଚାଦାମ୍ବରମଙ୍କୁ ଇଡି ଏସଂପର୍କରେ ଅନେକ ଥର ପଚରାଉଚରା ମଧ୍ୟ କରିସାରିଲାଣି ।
ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କାର୍ତ୍ତି ଚିଦାମ୍ବରମଙ୍କ ସହ ଜଡିତ ୫୪ କୋଟିର ସଂପତିକୁ ବି ଆଟାଚ କରାଯାଇଛି । ଏଥି ସହିତ ହିଁ ପିଟର ଏବଂ ଇନ୍ଦ୍ରାଣୀଙ୍କ ସଂପତିକୁ ବି ଆଟାଚ କରାଯାଇଛି । ତେବେ ଏବେ ନଜର ପକାନ୍ତୁ ଏହି ଚର୍ଚ୍ଚିତ ମାମଲାରେ ଏଯାବତ୍ କଣ କଣ ସବୁ ଘଟିଛି..

• ୧୫ ମଇ ୨୦୧୭: ସିବିଆଇ ଏହି ମାମଲାରେ ଏଫଆଇଆର ଦାଖଲ କରିଥିଲା, ଯେଉଁଥିରେ ଆଇଏନଏକ୍ସ ମିଡିଆ ପାଇଁ ଏଫଆଇପିବି ମଂଜୁରୀରେ ଅନିୟମିତତା ନେଇ ଅଭିଯୋଗ ରହିଥିଲା । ୨୦୦୭ରେ ୩୦୫ କୋଟିର ବିଦେଶୀ ଫଣ୍ଡ ମିଡିଆ ଗ୍ରୁପକୁ ମିଳିଥିଲା, ଯେତେବେଳେ କାର୍ତ୍ତିଙ୍କ ବାପା ପି.ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିଲେ ।

• ୧୬ ଜୁନ ୨୦୧୭: କାର୍ତ୍ତିଙ୍କ ବିରୋଧରେ ଏଫଆରଆରଓ ତରଫରୁ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଥିଲା ।

• ୧୦ ଅଗଷ୍ଟ ୨୦୧୭: ମାଡ୍ରାସ ହାଇକୋର୍ଟ କାର୍ତ୍ତି ଏବଂ ଅନ୍ୟ ୪ଜଣ ବ୍ୟକ୍ତିଙ୍କ ବିରୋଧରେ ଜାରି ହୋଇଥିବା ଲୁକ୍ ଆଉଟ ନୋଟିସ ଉପରେ ଏବେ ୱାରେଂଟ ଜାରି ହୋଇନାହିଁ ବୋଲି କହି ରୋକ୍ ଲଗାଇଦେଇଥିଲେ ।

• ୧୪ ଅଗଷ୍ଟ ୨୦୧୭: ସୁପ୍ରିମକୋର୍ଟ ତରଫରୁ ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତି ଉପରେ ରୋକ ଲଗାଇ କେନ୍ଦ୍ରକୁ ଲୁକ ଆଉଟ ନୋଟିସ ଜାରି କରିବାକୁ ମଂଜୁରୀ ଦେଇଥିଲେ ।

• ୧୮ ଅଗଷ୍ଟ ୨୦୧୭: ସୁପ୍ରିମକୋର୍ଟ କାର୍ତ୍ତି ଚିଦାମ୍ବରମଙ୍କୁ ୨୩ ଅଗଷ୍ଟ ସୁଦ୍ଧା ସିବିଆଇ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

• ୧୧ ସେପ୍ଟେମ୍ବର ୨୦୧୭: ସିବିଆଇ ଯାଂଚ ପରେ ସୁପ୍ରିମକୋର୍ଟକୁ ବନ୍ଦ ଲଫାପାରେ ବିଦେଶରେ ଥିବା କାର୍ତ୍ତିଙ୍କ ସମ୍ବାବିତ ଦେଣନେଣ ସହ ଜଡିତ ସୂଚନା ଦେଇଥିଲେ ।

• ୨୨ ସେପ୍ଟେମ୍ବର ୨୦୧୭: ସିବିଆଇ କୋର୍ଟରୁ କାର୍ତ୍ତିଙ୍କ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିବେଦନ କରିଥିଲା କାହିଁକି ନା ଏଜେନ୍ସକୁ ସନ୍ଦେହ ରହିଥିଲା କି ସେ ବିଦେଶରେ ନିଜ ବ୍ୟାଙ୍କ ଖାତା ବନ୍ଦ କରିପାରନ୍ତି ।

• ୯ ଅକ୍ଟୋବର ୨୦୧୭: କାର୍ତ୍ତି କୋର୍ଟରୁ ଝିଅର ପାଠାପଢା ନେଇ ବ୍ରିଟେନ ଯିବାକୁ ଅନୁମତି ମାଗିଥିଲେ ଏବଂ କହିଥିଲେ କି ଏହି ସମୟରେ ସେ କୌଣସି ବି ବ୍ୟାଙ୍କ ଯିବେ ନାହିଁ ବୋଲି । ଏଥି ସହିତ ହିଁ ପି. ଚିଦାମ୍ବରମ ସୁପ୍ରିମକର୍ଟରେ କହିଥିଲେ କି କେନ୍ଦ୍ରରେ ସତାଧାରୀ ବିଜେପି ସରକାର ତାଙ୍କୁ ଏବଂ ତାଙ୍କ ପୁଅ କାର୍ତ୍ତିଙ୍କ ବିରୋଧରେ ରାଜନୈତିକ ପ୍ରତିଶୋଧ ନେବା ପାଇଁ ଏଭଳି କରୁଛନ୍ତି ।

• ୨୦ ନଭେମ୍ବର ୨୦୧୭: ସୁପ୍ରିମକୋର୍ଟ କାର୍ତ୍ତିଙ୍କୁ ଏଥିପାଇଁ ଅନୁମତି ଦେଇଥିଲେ ।

• ୮ ଡିସେମ୍ବର ୨୦୧୭: କାର୍ତ୍ତି ଏୟାରସେଲ-ମେକ୍ସିସ ଡିଲରେ ସିବିଆଇ ତରଫରୁ ଜାରି ସମନକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ ଦେଇଥିଲେ ।

• ୩୧ ଜାନୁଆରୀ ୨୦୧୮: ସୁପ୍ରିମକୋର୍ଟ କାର୍ତ୍ତିଙ୍କ ବିରୋଧରେ ଲୁକ୍ ଆଉଟ ନୋଟିସ ଉପରେ ରୋକ ଲଗାଇଥିବା ମାଡ୍ରାସ ହାଇକୋର୍ଟର ନିଷ୍ପତିକୁ ଫେରାଇ ନେଇଥିଲେ ।

• ୧୬ ଫେବ୍ରୁଆରୀ ୨୦୧୮: କାର୍ତ୍ତିଙ୍କ ସିଏ ଏସ.ଭାସ୍କର ରମଣକୁ ଅବୈଧ ତରିକାରେ ଟଙ୍କା ରୋଜଗାର କରିବାରେ ସହାୟତା କରିବା ଅଭିଯୋଗରେ ଗିରଫ କରାଯାଇଥିଲା ।

• ୨୮ ଫେବ୍ରୁଆରୀ ୨୦୧୮: ଚେନ୍ନାଇ ଏୟାରପୋର୍ଟରୁ କାର୍ତ୍ତିଙ୍କୁ ଗିରଫ କରାଯାଇଥିଲା ଏବଂ ଦିଲ୍ଲୀ ଅଣାଯାଇଥିଲା ।

• ୨୩ ମାର୍ଚ୍ଚ ୨୦୧୮:କାର୍ତ୍ତିଙ୍କୁ ୨୩ ଦିନ ଯାଏଁ ଜେଲରେ ରହିବା ପରେ ଜାମିନ ମିଳିଥିଲା ।

• ୨୫ ଜୁଲାଇ ୨୦୧୮: ହାଇକୋର୍ଟ ପି ଚିଦାମ୍ବରମଙ୍କ ଗିରଫଦାରୀରୁ ବଂଚିବା ପାଇଁ ଅଗ୍ରୀମ ଜାମିନ ଆବେଦନକୁ ମଂଜୁରୀ ମିଳିଥିଲା ।

• ୧୧ ଅକ୍ଟୋବର ୨୦୧୮: ଆଇଏନକ୍ସ ମିଡିଆର ମନି ଲଣ୍ଡ୍ରିଂ କେସରେ ଇଡିରେ କାର୍ତ୍ତିଙ୍କ ୫୪ କୋଟି ସଂପତି ଆଟାଚ କରିନେଇଥିଲା । ଯେଉଁଥିରେ କାର୍ତ୍ତିଙ୍କ ଭାରତ, ବ୍ରିଟେନ ଏବଂ ସ୍ପେନ ଥିବା ସଂପତି ସାମିଲ ରହିଛି ।

• ୧୧ ଜୁଲାଇ ୨୦୧୯:ଇନ୍ଦ୍ରାଣୀ ମୁଖାର୍ଜିଙ୍କୁ କୋର୍ଟ ସର୍ତ୍ତ ସହିତ ମାମଲାର ସାକ୍ଷ୍ୟ ରୂପେ ଗ୍ରହଣ କରିଥିଲା ।

• ୧ ଅଗଷ୍ଟ ୨୦୧୯: ଇଡି କାର୍ତ୍ତିଙ୍କୁ ଦିଲ୍ଲୀର ଜୋରବାଗ ସ୍ଥିତ ବାସଭବନକୁ ଖାଲି କରିବାକୁ କହିଥିଲା, ଯାହାକୁ ଏଜେନ୍ସି ପୂର୍ବରୁ ହିଁ ଆଟାଚ କରିସାରିଛି ।

• ୨୦ ଅଗଷ୍ଟ ୨୦୧୯: ଦିଲ୍ଲୀ ହାଇକୋର୍ଟ ପି ଚିଦାମ୍ବରମଙ୍କ ଅଗ୍ରୀମ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଯାହା ପରେ ସିବିଆଇ ତାଙ୍କୁ ଗିରଫ କରିବାକୁ ପହଂଚି ଥିଲେ କିନ୍ତୁ ଚିଦାମ୍ବରମ ନିଜ ଘରେ ଅନୁପସ୍ଥିତ ଥିଲେ ଆଉ ତାଙ୍କ ଫୋନ ସୁଇଚ ଅପ ରହିଛି ।