ଶିଳ୍ପପତିଙ୍କ ପ୍ରଶ୍ନର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଶିଳ୍ପପତିଙ୍କ ସହ ନବୀନଙ୍କ ୱାନ-ଟୁ-ୱାନ ।

ଦେଶର ପ୍ରତିଷ୍ଠିତ ବିଜନେସ୍ ଟାଇକୁନମାନେ ଓଡ଼ିଶାର ଅଗ୍ରଗତି , ଉନ୍ନତି ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ନବୀନଙ୍କୁ ପ୍ରଶ୍ନ କରିଥିଲେ ।

3,671

କନକ ବ୍ୟୁରୋ: ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଶିଳ୍ପପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ପ୍ରତିଷ୍ଠିତ ବିଜନେସ୍ ଟାଇକୁନମାନେ ଓଡ଼ିଶାର ଅଗ୍ରଗତି , ଉନ୍ନତି ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ନବୀନଙ୍କୁ ପ୍ରଶ୍ନ କରିଥିଲେ । ଏବଂ ଯାହାର ଗୋଟି ଗୋଟି କରି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାର ଉତ୍ତର ପାଇ ବିଜନେସ୍ ଲିଡ଼ରସିପ୍ ସମ୍ମିନଳୀରେ ଯୋଗଦେଇଥିବା ଶିଳ୍ପପତିମାନେ କରତାଳି ଦେଇ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ ଜଣାଇଛନ୍ତି ।

ଶିଳ୍ପପତିଙ୍କୁ ମଧ୍ୟରୁ ଆପୋଲ ହସ୍ପିଟାଲର ମ୍ୟାନେଜିଙ୍ଗ ଡାଇରେକ୍ଟର ସୁନିତା ରେଡ୍ଡି ମୁଖ୍ୟମନ୍ତ୍ରୀଙ୍କୁ ଦୁଇଟି ପ୍ରଶ୍ନ କରିଥିଲେ ଯେ, ସବୁଜ ସହର କରିବା ଦିଗରେ ଓଡ଼ିଶାର ଭୂମିକା ଏବଂ ସ୍ୱାସ୍ଥ୍ୟଯୋଜନାକୁ ନେଇ ସରକାରଙ୍କ ଆଭିମୂଖ୍ୟ କ’ଣ? ମୁଖ୍ୟମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି ଯେ, ବୃକ୍ଷ ପ୍ରିୟ ହେଉଛନ୍ତି ଓଡ଼ିଶାବାସୀ,ଯେଉଁଥି ପାଇଁ ଭାରତରେ ବୃକ୍ଷରୋପଣ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର ରହିଛି । ସେହିପରି ରାଜ୍ୟବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ସ୍ୱାସ୍ଥ୍ୟ ସେବା ନୀତି ଆରମ୍ଭ କରିଛନ୍ତି । ଯେଉଁଥିରେ ସଭିଏଁ ଉପକୃତ ହୋଇପାରିବେ ।

ବିଜନେସ୍ ଟାଇକୁନ ମୁକେଶ ଅମ୍ବାନୀ ନବୀନଙ୍କୁ ପ୍ରଶ୍ନ କରିଥିଲେ ଯେ, ଓଡ଼ିଶାର ବିକାଶ ପାଇଁ କେଉଁ ଦିଗରେ ନିବେଶ କରିବାକୁ ଗୁରତ୍ୱ ଦେବେ ? ଏବଂ କ୍ରୀଡ଼ା କ୍ଷେତ୍ରର ବିକାଶ ନେଇ ଆପଣଙ୍କ ଅଭାମୁଖ୍ୟ କ’ଣ ରହିବ ? ମୁଖ୍ୟମନ୍ତ୍ରୀ ଅମ୍ବାନୀଙ୍କ ଉତ୍ତର ଦେଇ କହିଥିଲେ ଯେ, ଓଡ଼ିଶା ହେଉଛି ଖଣିଜସମ୍ପଦ ଭରା ରାଜ୍ୟ ତେଣୁ ରାଜ୍ୟର ଉନ୍ନତି ପାଇଁ ଖଣିଜ ସମ୍ପଦର ସଦୁପଯୋଗ କରିବା କ୍ଷେତ୍ରରେ ଗୁରୁତ୍ୱ ଦିଆଯିବ । ଏହାସହ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକା ସର୍ବଦା ସ୍ପଷ୍ଟ ରହିଛି । କାରଣ କ୍ରୀଡ଼ା ମାନେ ହିଁ ଯୁବପିଢ଼ୀ ଆଉ ଯୁବପିଢ଼ୀ ହିଁ ଆମର ଆଗାମୀ ଭବିଷ୍ୟତ । ତେଣୁ ରାଜ୍ୟରୁ ଅଲମ୍ପିକ୍ ଖେଳାଳୀ ବାହାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ବୋଲି କହି ଅମ୍ବାନୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ନବୀନ ।

ସେହିପରି ଜେଏସଡବ୍ଲୁର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ସ୍କିଲ ଡେଭଲପମେଣ୍ଟ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ ପ୍ରଶ୍ନ କରିଥିଲେ ଯାହାର ଉତ୍ତର ମୁଖ୍ୟମନ୍ତ୍ରୀ ରଖିଥିଲେ ଏବଂ କହିଥିଲେ ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ରାଜ୍ୟରେ ଅଧିକ କୁଶଳୀ ସୃଷ୍ଟି କରିବା । ଯେଉଁଥି ପାଇଁ ସିଙ୍ଗାପୁର ସହଭାଗିତାରେ ୧୦୦ ଶିକ୍ଷକଙ୍କୁ ସେଠାକୁ ସ୍କିଲ୍ ଡେଭଲପମେଣ୍ଟ ତାଲିମ ପାଇଁ ପଠାଯାଇଛି । ସେମାନେ ରାଜ୍ୟର ଯୁବପିଢ଼ୀଙ୍କୁ ଦକ୍ଷତା କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରିବେ ।

ଅନ୍ୟପଟେ ବେଦାନ୍ତର ମୁଖ୍ୟ ଅନିଲ ଅଗ୍ରୱାଲ ମଧ୍ୟ ପ୍ରଶ୍ନ କରିଥିଲେ ଯେ, ପ୍ରକୃତି ସୌନ୍ଦର୍ଯ୍ୟଭରା ଓଡ଼ିଶାକୁ କିଭଳି ଅଧିକ ବିକାଶ କରିବେ, ଯାହାଦ୍ୱାରା ଓଡ଼ିଶାକୁ ପର୍ଯ୍ୟଟକ ମାନେ ଆକର୍ଷିତ ହେବେ ? ଏହାର ଉତ୍ତରରେ ନବୀନ କହିଛନ୍ତି ଯେ, ଚିଲିକା ହ୍ରଦ ଏବଂ ଅନେକ ଐତିହାସିକ ମନ୍ଦିରମାନ ଓଡ଼ିଶାରେ ରହିଛି ତେଣୁ ପର୍ଯ୍ୟଟନ ବିକାଶ ଦିଗରେ ରାଜ୍ୟ ସରକାର ଯଥେଷ୍ଟ ପଦକ୍ଷେପ ନେଉଛନ୍ତି । ଏଭଳି କରି ବିଭିନ୍ନ ସଂସ୍ଥାର ସମସ୍ତ ଶିଳ୍ପପତିଙ୍କ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।