ଫେରିବକି ୧୧ଶହ କୋଟି ! ଆରମ୍ଭ ହେଲା ଋଣ ଘୋଟାଲାର ଖୋଳତାଡ

49

କନକ ବ୍ୟୁରୋ : ୧୧ଶହ କୋଟି ଟଙ୍କା ଋଣ ଘୋଟାଲାର ହେବ ଖୋଳତାଡ । ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମରୁ ଋଣ ନେଇ ଶୁଝୁ ନଥିବା ହିତାଧୀକାରୀମାନଙ୍କଠାରୁ ଋଣ ଟଙ୍କା ଆଦାୟ କରିବା ପାଇଁ ସରକାର ଓ ନିଗମ ତତ୍ପର ହୋଇଛନ୍ତି । କନକ ନ୍ୟୁଜରେ ଏନେଇ ଖବର ପ୍ରସାରଣ ପରେ ବିଭିନ୍ନ ବିଭାଗ ନିଜ ଆଡୁ ଋଣ ନେଇଥବା କର୍ମଚାରୀମାନଙ୍କୁ ଠାବ କରି ଋଣ ଆଦାୟ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଏପଟେ ନିଗମ ମଧ୍ୟ ଋଣ ପଇଠ କରୁନଥିବା ହିତାଧିକାରୀଙ୍କ ବନ୍ଧକ ଥିବା ସମ୍ପତିକୁ ଜବତ କରି କ୍ଷତିଭରଣା କରିବାକୁ ଅଂଟା ଭିଡିଛି ।

୧୯୯୪ରେ ମସିହାରେ ପ୍ରତିଷ୍ଠିତ ଓଆରଏଚ୍ଡିସି ୨୦୦୩ ପର୍ଯ୍ୟନ୍ତ ଛଅଟି ସ୍କିମରେ ୫୫୦କୋଟି ଟଙ୍କାର ଋଣ ପ୍ରଦାନ କରିଥିଲା । ୨୦୦୭ ମସିହା ସୁଧା ସମସ୍ତ ଋଣ ପରିଶୋଧ କରିବାର ସମୟ ସୀମା ଥିଲା । କିନ୍ତୁ ଋଣ ନେଇଥିବା ହଜାର ହଜାର ସରକାରୀ କର୍ମଚାରୀ, ବ୍ୟୁଲଡର ଓ ଶିଳ୍ପପତିଙ୍କ ସମେତ ୧୯୯୯ ବାତ୍ୟା ପ୍ରପିଡିତ ଲୋକ ଏହାକୁ ପଇଠ କରୁନଥିଲେ । ଫଳରେ ଏବେ ସୁଧ ସହ ଏହି ଋଣ ପରିମାଣ ୧୧ଶହ କୋଟି ଟଙ୍କାକୁ ଟପି ଯାଇଛି । ଏଣୁ ନିଗମରେ ତାଲା ଝୁଲିବା ଭଳି ପରିସ୍ଥିତି ଆସିଛି ।

ସୂଚନା ଅନୁଯାୟୀ ବିଭିନ୍ନ ବିଭାଗରୁ ଡେପୁଟେସନରେ ଆସି ୧୫୦ରୁ ଉର୍ଦ୍ଧ କର୍ମଚାରୀ ଏହି ନିଗମରେ କାର୍ଯ୍ୟ କରୁଥିଲେ । କିନ୍ତୁ ଏବେ ଏହି ନିଗମରେ ମାତ୍ର ୨୫ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ତେଣୁ ଏତେ କମ୍ ସଂଖ୍ୟକ କର୍ମଚାରୀ କିଭଳି ଏତେ ପରିମାଣର ଋଣ ଟଙ୍କା ଆଦାୟ କରିବାରେ ସକ୍ଷମ ହେବ ତାକୁ ନେଇ ପ୍ରଶ୍ନ ଉଠିଛି । ଓଏଚଆରଡିସି ଦୁର୍ନୀତିରେ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।