କୁଖ୍ୟାତ ଆତଙ୍କୀର କେନ୍ଦ୍ରାପଡା କନେକ୍ସନ ନେଇ ଚାଲିଛି ଖୋଳତାଡ଼ ! ପଟିଆଲା ହାଉସକୋର୍ଟରେ ହାଜର ପରେ ଜେରା କରୁଛି ଏନଆଇଏ, ପରିବାର କହିଲା ୨୦୦୬ରୁ ନାହିଁ ସଂପର୍କ

26

କନକ ବ୍ୟୁରୋ : ଆତଙ୍କବାଦୀ ସଂଗଠନ ଲସ୍କର–ଇ-ତୋଏବା ଲିଙ୍କରେ ଗିରଫ ହବିବୁର ରେହମାନକୁ ଜେରା କରୁଛି ନାସନାଲ୍ ଇନଭେଷ୍ଟିଗେଟିଭ୍ ଏଜେନ୍ସି । ସେପଟେ ହବିବୁର୍ ଓଡିଶାର କେନ୍ଦ୍ରାପଡା ବାସିନ୍ଦା ହୋଇଥିବାରୁ ପୋଲିସ ତାଙ୍କ ପରିବାରକୁ ପଚରାଉଚରା କରିଛି । ହବିବୁରର ପରିବାର କହିଛନ୍ତି, ଶେଷଥର ପାଇଁ ୨୦୦୬ରେ ଭାଇର ବାହାଘରରେ ଯୋଗ ଦେବାକୁ ହବିବୁର ଘରକୁ ଆସିଥିଲା । ସେପଟେ ଏନଆଇଏର ତଦନ୍ତରେ ସବୁ ପ୍ରକାର ସହଯୋଗ କରାଯିବ ବୋଲି ପୁଲିସ ଡିଜି ଦାୟିତ୍ୱରେ ଥିବା ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି ।

ଦିଲ୍ଲୀ ବିମାନ ବନ୍ଦରରୁ ଲସ୍କର ଆତଙ୍କବାଦୀ ହବିବୁର ରେହମାନକୁ ଗିରଫ କରିବା ପରେ ପଟିଆଲା କୋର୍ଟରେ ହାଜର କରିଛି ଏନଆଇଏ । ରିମାଣ୍ଡରେ ନେଇ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ସହ ଲିଙ୍କର ଅଧିକ ଖୋଳତାଡ କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ତେଣ୍ଡାକୁଦାର ମୁସଲିମ୍ ବସ୍ତି । ଏହି ଘରେ ରହୁଛନ୍ତି ହବିବର ପରିବାର । ହେଲେ ୩୫ ବର୍ଷ ହେଲା ଘର ଛାଡିଦେଇଥିଲା ହବିବୁର, ରହୁଥିଲା ରିୟାଦରେ । ଏନଆଇଏ ହବିବକୁ ଗିରଫ କରିବା ପରେ ପରିବାରକୁ ପଚରାଉଚରା କରିଛି ପୋଲିସ । ହବିବୁର ସହ ଏବେ ପରିବାରର କଣ ସମ୍ପର୍କ ରହିଛି, ସେ କେବେ ଘରକୁ ଆସିଥିଲା, ପରିବାର ସହ ଫୋନରେ କଥା ହୋଇଛି କି, ଘରକୁ ଟଂକା ଦିଏ କି ନାହିଁ, ପରିବାରକୁ ଏସବୁ ପ୍ରଶ୍ନ କରିଛି ପୋଲିସ । ସେପଟେ ପୋଲିସ ଡିଜି ଦାୟିତ୍ୱରେ ଥିବା କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି, ହବିବୁର ସମ୍ପର୍କରେ ଯଦି ଏନଆଇଏ ତଥ୍ୟ ଜାଣିବା ପାଇଁ ଚାହିଁବ ତେବେ ସହଯୋଗ କରାଯିବ ।

ହବିବୁର ରେହମାନ ଓରଫ୍ ହବିବ୍ । ଲସ୍କର ଆତଙ୍କବାଦୀ ସେଖ୍ ଅବଦୁଲ ନଇମର ସହଯୋଗୀ । ଆତଙ୍କବାଦୀଙ୍କୁ ଦେଶକୁ ଆଣିବା, ସେମାନଙ୍କୁ ରଖିବାର ବ୍ୟବସ୍ଥା କରିବା ଏବଂ ସଂଗଠନ ପାଇଁ ଚାନ୍ଦା ଆଦାୟ କରିବା ଭଳି ଦାୟିତ୍ୱ ସମ୍ଭାଳୁଥିଲା ହବିବୁର । ନଇମ୍ ଓ ହବିବୁରଙ୍କ ସମେତ ୧୦ ଜଣଙ୍କ ନାଁରେ ଚାର୍ଜସିଟ୍ କରିଥିଲା ଏନଆଇଏ । ଏବେ ଧରାପଡିଛି ଏହି ଆତଙ୍କବାଦୀ ।