ଟିମ ଇଣ୍ଡିଆର ହକି ଅଧିନାୟକଙ୍କୁ ହକି ଇଣ୍ଡିଆ ସିଇଓଙ୍କ ଦୁର୍ବ୍ୟବହାର ଘଟଣା : ଟୁର୍ଣ୍ଣାମେଂଟ ପରେ ଘଟଣାର ତଦନ୍ତ ନେଇ ସୂଚନା

ମନପ୍ରିତ ସିଂହ ସମେତ ୪ଜଣ ଖେଳାଳିଙ୍କୁ ଭିଆଇପି ଲାଉଂଜରୁ ଗାଳି କରି ବାହାର କରିଦେଇଥିଲେ ସିଇଓ

144

କନକ ବ୍ୟୁରୋ : ଭୁବନେଶ୍ୱରରେ ବିଶ୍ୱକପ ହକି ବେଳେ ଟିମ୍ ଇଣ୍ଡିଆ କ୍ୟାପଟେନ ମନପ୍ରୀତଙ୍କ ସହ ୪ଜଣ ଖେଳାଳିଙ୍କୁ ଅଶୋଭନୀୟ ଆଚରଣ ଘଟଣାର ତଦନ୍ତ ହେବ ବୋଲି ଜଣାପଡିଛି । କଳିଙ୍ଗ ଷ୍ଟାଡିୟମ ଭିତରେ ଟିମ୍ ଇଣ୍ଡିଆର ଅଧିନାୟକ ମନପ୍ରୀତ ସିଂଙ୍କୁ ହକି ଇଣ୍ଡିଆର ସିଇଓ ଏଲେନା ନରମନ୍ ଅସଦାଚରଣ କରିଥିବା ନେଇ ଅଭିଯୋଗ ରହିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଶ୍ୱକପ ହକି ଟୁର୍ଣ୍ଣାମେଂଟ ଉଦ୍ଯାପିତ ହେବା ପରେ ଏଲେନା ନରମନଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଘଟଣାର ଅନ୍ତରୀଣ ତଦନ୍ତ କରିବ ହକି ଇଣ୍ଡିଆ ।

ସୂଚନା ଅନୁସାରେ ଖେଳାଳିମାନେ ବିନା ବେଣ୍ଡ ପିନ୍ଧି ଭିଆଇପି ଲାଉଂଜରେ ପ୍ରବେଶ କରିଥିବାରୁ ଏଲେନା ଅପମାନିତ କରିଥିଲେ । ଏମିତି କି ପାଟି ଚୁପ୍ କରି ବାହାରି ଯିବାକୁ ତାଗିଦ୍ କରିଥିଲେ । ତୁମ ମାନଙ୍କୁ ଲାଉଂଜକୁ କିଏ ଡାକିଥିଲା ବୋଲି କହିଥିଲେ ଏଲେନା ନରମନ୍ । ମନପ୍ରୀତଙ୍କ ସହ ମନ୍ଦୀପ ସିଂ, ଗୁରଜନ୍ତ ସିଂ ଏବଂ ଶ୍ରୀସନ ପାଠକ୍ କଥାବାର୍ତ ହେଉଥିବା ସମୟରେ ଅଜାଣତରେ ଭିଆଇପି ଲାଉଂଜରେ ପଶି ଯାଇଥିଲେ । ତେବେ ଏହି ଘଟଣା ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ନେଇ ମନପ୍ରୀତ କହିଥିଲେ ଯେ, ଏଥିରେ ସିଇଓଙ୍କ କୌଣସି ଭୁଲ ନାହିଁ ଏବଂ ଦୋଷ ଆମର । ଖେଳାଳିଙ୍କୁ ଲାଉଂଜକୁ ପ୍ରବେଶ କରିବାର ଅନୁମତି ନାହିଁ । କୌଣସି ଦଳର ଖେଳାଳି ଯାଆନ୍ତି ନାହିଁ । ତେଣୁ ଏହି ଘଟଣାରେ ଆମ ଖେଳାଳିମାନଙ୍କର ହିଁ ଭୁଲ ରହିଲା ବୋଲି ମନପ୍ରୀତ ସିଂ କହିଥିଲେ ।