ସମ୍ବଲପୁର ବୋର୍ଡ ଅଫିସ ଭଙ୍ଗାରୁଜା ନେଇ ଛାନଭିନ୍ ! ୮ରୁ ୧୦ ଅଜଣା ବ୍ୟକ୍ତିଙ୍କ ନାଁରେ ଏତଲା, କର୍ତ୍ତୃପକ୍ଷ କହିଲେ, ପରୀକ୍ଷାରେ ହେବନି ଅସୁବିଧା ।

81

କନକ ବ୍ୟୁରୋ : ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦର ବୋର୍ଡ ଅଫିସରେ ନିଆଁ ଲଗାଇଦେବା ଘଟଣାର ଛାନଭିନ ଆରମ୍ଭ ହୋଇଛି । ଆଜି ତଦନ୍ତକାରୀ ଦଳ ଘଟଣାସ୍ଥଳକୁ ଯାଇ ପୋଡାଜଳା ସ୍ଥାନ ଦେଖିବା ସହ ଭିଡିଓଗ୍ରାଫି କରିଛନ୍ତି । ଏ ନେଇ ବୋର୍ଡ ଅଫିସର ଅଧିକାରୀଙ୍କୁ ପଚରାଉଚରା ବି କରାଯାଉଛି । ୮ରୁ ୧୦ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଛି । ସେପଟେ ଯେଉଁ ଛାତ୍ରଛାତ୍ରୀମାନେ ଫର୍ମ ଫିଲପ କରିଥିଲେ ସେମାନଙ୍କ ପରୀକ୍ଷାରେ କୌଣସି ଅସୁବିଧା ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଉପନିର୍ଦ୍ଦେଶକ । ଏ ନେଇ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲର ତଥ୍ୟ ମଗାଯିବ ।

ଗତକାଲି ବୋର୍ଡ ଅଫିସରେ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା ହୋଇଥିଲା । ଏଥିରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର ପୋଡି ପାଉଁଶ ହୋଇଯାଇଥିଲା । ଦୁର୍ବୃତମାନେ ଗାଡିରେ ବି ନିଆଁ ଲଗାଇଦେଇଥିଲେ । କିଏ ଏବଂ କାହିଁକି ବୋର୍ଡ ଅଫିସରେ ନିଆଁ ଲଗାଇଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଅଗ୍ନିକାଣ୍ଡର ଦୁଇଚକିଆ ଯାନ ପୋଡି ଯାଇଥିବାବେଳେ ବହୁ କାଗଜପତ୍ର ଜଳି ଛାରଖାର ହୋଇଯାଇଛି । ଗାଡି ପୋଡିବା ପୂର୍ବରୁ ଦୃର୍ବୃତମାନେ ଅଫିସର, ଆଲମିରା, ଟେବୁଲ ଓ ଚୌକି ଓଲଟାଇ ଭାଙ୍ଗିରୁଜି ଦେଇଥିଲେ । ବୁଧବାର ମାଟ୍ରିକ କରେସପଣ୍ଡେଣ୍ଟ କୋର୍ସ ପାଇଁ ଫର୍ମ ପୂରଣ ଶେଷ ତାରିଖ ଥିବାରୁ ପିଲାମାନେ ଫର୍ମ ପୂରଣ କରୁଥିଲେ । ଦିନ ୨ଟାବେଳେ ଦୁର୍ବୃତମାନେ ଅଫିସରେ ପଶି ସମସ୍ତଙ୍କୁ ବାହାରିଯିବାକୁ କହିଥିଲେ । ଏହାପରେ ଅଫିସରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ ।