କାଠଯୋଡି ଟ୍ରେନ ଦୁର୍ଘଟଣାରେ ରେଳ ସୁରକ୍ଷା ଆୟୁକ୍ତର ଛାନଭିନ୍ : ପ୍ରାଥମିକ ପର୍ଯ୍ୟାୟରେ ୧୨ଜଣଙ୍କୁ ଜେରା

37

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ କାଠଯୋଡି ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣା ମାମଲାରେ ତଦନ୍ତ ଆରମ୍ଭ କରିଛନ୍ତି ରେଳ ସୁରକ୍ଷା ଆୟୁକ୍ତ । କଟକ ରେଳ ଷ୍ଟେସନ ନିକଟ ରେଳବାଇ ଅଧିକାରୀ ବିଶ୍ରାମ ଗୃହରେ ଇଷ୍ଟକୋଷ୍ଟ ରେଳବାଇର ବରିଷ୍ଠ ଅଧିକାରୀ ମାନେ ତଦନ୍ତ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ୧୨ ଜଣଙ୍କୁ ଜେରା କରାଯାଇଛି । ଏନେଇ ତଦନ୍ତ କମିଶନ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି । ଫେରାର୍ ଡ୍ରାଇଭର, ଆସିଷ୍ଟାଂଟ୍ ଡ୍ରାଇଭର୍ ଓ ଗାର୍ଡଙ୍କୁ ଧରିବାକୁ ମଧ୍ୟ ତନାଘନା ଜାରି ରହିଛି ।

ମାସେ ମଧ୍ୟରେ ଏହି ଟ୍ରେନ ଦୁର୍ଘଟଣାର ଚୂଡାନ୍ତ ରିପୋର୍ଟ ପ୍ରଦାନ କରାଯିବ ବୋସି ସେ କହିଛନ୍ତି । ଦୁର୍ଘଟଣା ସମ୍ପର୍କରେ ଯେକୌଣସି ବ୍ୟକ୍ତି ବିଶେଷତଥ୍ୟ ଉପସ୍ଥାପନ କରିପାରିବେ । ଏହାସହ ସାଧାରଣ ଲୋକ ମଧ୍ୟ ସାକ୍ଷ୍ୟ ଦେଇପାରିବେ । କେଉଁ ପରିସ୍ଥିତିରେ ଏତେ ବଡ ଦୁର୍ଘଟଣା ଘଟିଲା ? ଦୁର୍ଘଟଣା ପାଇଁ କିଏ ଦାୟୀ? ଏହି ସବୁ ଦିଗ ଉପରେ ତଦନ୍ତ କରୁଛି ରେଳ ସୁରକ୍ଷା ଆୟୁକ୍ତ । ସେପ୍ଟେମ୍ବର ୨୯ତାରିଖରେ କାଠଯୋଡି ଷ୍ଟେସନରେ ଭୁବନେଶ୍ୱର-ଭଦ୍ରକ ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।