ସୁକମାରେ ମାଓବାଦୀ ଆକ୍ରମଣ ଘଟଣା ! ମାଓନେତା ହିଡମାର ରହିଛ ହାତ

34

କନକ ବ୍ୟୁରୋ : ସୁକମା ମାଓବାଦୀ ଆକ୍ରମଣ ଗୁଇନ୍ଦା ବିଭାଗର ବିଫଳତାକୁ ପ୍ରମାଣ କରିଛି । ମିଳିଥିବା ଖବର ଅନୁସାରେ, ୪୫ ଦିନ ପୂର୍ବରୁ ହୋଇଥିବା ଆକ୍ରମଣ ପରେ ବି ଛତିଶଗଡ ସରକାର ସଜାଗ ହୋଇନଥିଲେ । ଯାହା ଫଳରେ ପୁଣି ଥରେ ଏଭଳି ବଡ ଧରଣ ମାଓବାଦୀ ଆକ୍ରମଣ ହୋଇଛି । ମାର୍ଚ୍ଚ ୧୧ରେ ବି ଛତିଶଗଡରେ ଠିକ ଏଭଳି ଆକ୍ରମଣ ହୋଇଥିଲା ଓ ଏଥିରେ ୭ ଜଣ ଯବାନ ସହିଦ ହୋଇଥିଲେ ।

ତାସତ୍ୱେ ବି ଏଭଳି ବଡ ଆକ୍ରମଣର ସୁରାକ୍ ସିଆରପିଏଫ କିମ୍ବା ପ୍ରଶାସନକୁ ମିଳିନଥିଲା । ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଭଳି ବଡ ଆକ୍ରମଣ କରି ମାଓବାଦୀମାନେ ନିଜର ଉମସ୍ଥିତି ଜାହିର କରିଛନ୍ତି । କେନ୍ଦ୍ରୀୟ ସୁରକ୍ଷା ବଳ ଓ ରାଜ୍ୟ ପୋଲିସ ମଧ୍ୟରେ ସମନ୍ୱୟ ଅଭାବକୁ ବି ଏହା ପ୍ରମାଣିତ କରିଛି । ବଡ ପ୍ରଶ୍ନ ଉଠୁଛି, ୩ ଶହ ମାଓବାଦୀ ଏକାଠି ହେବା, ବିଭିନ୍ନ ସ୍ଥାନରେ ମେଳି କରି ରଣନୀତି ପ୍ରସ୍ତୁତ କରିବା ସମ୍ପର୍କରେ ଗୁଇନ୍ଦା ବିଭାଗ ସୁରାକ ପାଇଲାନି କେମିତି ।

କୁହାଯାଉଛି, ସୁକମା ଆକ୍ରମଣ ପଛରେ ମାଓନେତା ହିଡମାର ହାତ ରହିଛି । ହିଡମା ପ୍ରାୟ ୩ଶହ ମାଓବାଦୀଙ୍କ ସହ ମିଶି ଏହି ଆକ୍ରମଣ କରିଥିଲା । ଆକ୍ରମଣ ପଛରେ ମାଓବାଦୀ ସଙ୍ଗଠନ ପିପୁଲସ ଲିବରେନସ ଅଫ ଗରିଲା ଆର୍ମିର ହାତଥିବା ସନ୍ଦେହ କରାଯାଉଛି । ୨୫ ବର୍ଷିୟ ହିଡମା ହେଉଛି ଏହି ସଙ୍ଗଠନର ମୁଖିଆ । ଅଚାନକ ଆକ୍ରମଣ କରିବାରେ ମାଷ୍ଟର ହେଉଛି ହିଡମା ।