ତ୍ରିରଙ୍ଗାକୁ ସିଧା କରିବାକୁ ଯାଇ ଯୋଗୀ ଆଦିତ୍ୟନାଥଙ୍କୁ ଓଲଟାଇଦେଲେ ଲୋକେ ! ସୋସିଆଲ ମିଡିଆରେ ଫଟୋ ଭାଇରାଲ

26

ଯୋଗୀଙ୍କ ସାମ୍ନାରେ ଓଲଟା ରହିଲା ତ୍ରିରଙ୍ଗା । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାମ୍ନାରେ ଭାରତର ରାଷ୍ଟ୍ରୀୟ ଧ୍ୱଜ ତ୍ରିରଙ୍ଗା ପତାକାକୁ ଅସମ୍ମାନ କରାଯାଇଛି । ଏବେ ଏଭଳି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯୋଗୀ ନିଜେ ଏହି ଫଟୋ ନିଜ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି । ଏହି ଫଟୋରେ ଯୋଗୀ ବସିଥିବାର ନଜରକୁ ଆସିଥିବା ବେଳେ ସାମ୍ନାରେ ଥିବା ତ୍ରୀରଙ୍ଗା ପତାକାକୁ ଓଲଟା ରଖାଯାଇଛି । ଯୋଗୀଙ୍କ ମରିସସ ଗସ୍ତ ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମରିସସର ପତାକା ଠିକ୍ ଥିବା ବେଳେ ଭାରତର ପତାକାକୁ ଓଲଟା ରଖାଯାଇଛି । ଯାହା ଭାରତୀୟ ଜାତୀୟ ପତାକାର ଅସମ୍ମାନ । ତେବେ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଏହି ଫଟୋକୁ ଟ୍ୱଟର ଆକାଉଣ୍ଟରୁ ହଟାଇ ଦିଆଯାଇଛି ।

ଏହି ଫଟୋରେ ବିଜେପିର ଆଉ ଜଣେ ନେତା ଗିରିରାଜ ସିଂହ ଯୋଗୀଙ୍କ ପାଖରେ ଛିଡା ହୋଇଛନ୍ତି । କିନ୍ତୁ ତ୍ରିରଙ୍ଗାକୁ ଓଲଟା ରଖାଯାଇଥିଲେ ମଧ୍ୟ ଏହା ଉପରେ କାହାର ମଧ୍ୟ ନଜର ପଡିନଥିଲା । ଏହି ଫଟୋକୁ ଯୋଗୀ ୨ ନଭେମ୍ବରରେ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ । ଫଟୋରେ ତ୍ରିରଙ୍ଗା ଓଲଟା ଥିବା ନେଇ ଲୋକ ଟ୍ୱିଟରରେ କମେଣ୍ଟ ଦେଇଥିଲେ ମଧ୍ୟ ଯୋଗୀ ଏହି ପୋଷ୍ଟକୁ ପରିବର୍ତ୍ତନ କରିନଥିଲେ । ଏହାପରେ ଫଟୋକୁ ନେଇ ଟ୍ୱିଟରରେ ଆରମ୍ଭ ହୋଇଥିଲା ବିରୋଧ । ଏକ ଭିନ୍ନ ଶୈଳୀରେ ଲୋକମାନେ ବିରୋଧ କରିଥିଲେ । ଯୋଗୀ ପୋଷ୍ଟ କରିଥିବା ଫଟୋକୁ ଓଲଟା କରି ରି ଟ୍ୱିଟ୍ କରିଥିଲେ ଲୋକ । ତ୍ରିରଙ୍ଗାକୁ ସିଧା କରିବା ପାଇଁ ଯୋଗୀଙ୍କୁ ଓଲଟାଇବାକୁ ପଡୁଛି ବୋଲି କମେଣ୍ଟରେ ଲୋକ ଲେଖିଥିଲେ । ଦେଶର ଉଦ୍ଧ୍ୱର୍ରେ କେହି ନୁହଁନ୍ତି ବୋଲି କିଛି ଲୋକ କମେଣ୍ଟରେ ଲେଖିଥିଲେ । ଯାହା ସୋସିଆଲ ମିଡିଆରେ କୌତୁହଳ ସୃଷ୍ଟି କରିଥିଲା ।

ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭାରତୀୟ ଜାତୀୟ ପତାକାକୁ ଓଲଟା ରଖିଥିବାରୁ ମରିସସ ଟ୍ରଷ୍ଟ କ୍ଷମା ମାଗିଛି । ଏହି ଫଟୋକୁ ଲୋକେ ଅଧିକ ମାତ୍ରାରେ ଲାଇକ କରିବା ସହ କୌତୁକିଆ କମେଣ୍ଟ ଦେଉଛନ୍ତି ।