ମିଶିଲେ ମହାନଦୀର ଦୁଇଟି କୂଳ ! ଅନ୍ତଃରାଜ୍ୟ ପରିଷଦ ବୈଠକରେ ଏକାଠି ବସିଲେ ନବୀନ ଓ ରମଣ

26

କନକ ବ୍ୟୁରୋ : ଦିଲ୍ଲୀରେ ମିଶିଲା ଦିଲ୍ । ପାଖାପାଖି ବସିଲେ ଦୁଇ ପଡୋଶୀ ମୁଖ୍ୟମନ୍ତ୍ରୀ । ମହାନଦୀ ପ୍ରସଙ୍ଗରେ ଆଲୋଚନା ବି କଲେ । ୫ ଦିିନିଆ ଦିଲ୍ଲୀ ଗସ୍ତରେ ଥିବା ନବୀନ ଆଜି ନୂଆଦିଲ୍ଲୀରେ ଅନ୍ତଃରାଜ୍ୟ ପରିଷଦ ବୈଠକରେ ଯୋଗ ଦେଇଛନ୍ତି । ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଆଗରେ ନବୀନ ଉଠାଇଛନ୍ତି ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗ । କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ।

ମହାନଦୀ ବନ୍ଧ କାର୍ଯ୍ୟ ତୁରନ୍ତ ବନ୍ଦ କରିବା ସହ କେନ୍ଦ୍ର ମଧ୍ୟସ୍ଥତାରେ ଗଠିତ ବୁଝାମଣା କମିଟି ବାତିଲ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ରିବ୍ୟୁନାଲ ଗଠନ କରିବାକୁ କହିଛନ୍ତି । ତେବେ ଏହାରି ଭିତରେ ରମଣ ସିଂ ଏବଂ ନବୀନ ଅନେକ ସମୟ ଧରି ଖୁସି ଗପ କରିଥିବା କୁହାଯାଉଛି । ଏପରିକି ଉଭୟ ବ୍ରେକଫାଷ୍ଟ ଓ ଲଂଚ କରିଥିବା ବି ଚର୍ଚା ହେଉଛି ।

ମହାନଦୀ ଜଳ ବିବାଦ ପରେ ପରସ୍ପରର ବିରୋଧୀ ପାଲଟିଥିବା ଉଭୟ ରାଜ୍ୟ ମୁଖିଆଙ୍କ ଏଭଳି ଆଲୋଚନାକୁ ଅନେକ ଚର୍ଚା ହେଉଛି । ସେପଟେ ଅନ୍ତଃରାଜ୍ୟ ପରିଷଦ ବୈଠକରେ ଭଦ୍ରକ ହିଂସା ବାବଦରେ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।