ଅପରାଧୀଙ୍କୁ ଖୋଜୁଥିବା ସଂସ୍ଥାର ମୁଖିଆ ନିଜେ ହୋଇଗଲେ ନିଖୋଜ । ପୋଲିସ ପାଉନି ପତ୍ତା

51

ଅନ୍ୟକୁ ଖୋଜୁଥିବା ବ୍ୟକ୍ତି ଏବେ ନିଜେ ନିଖୋଜ । ଚୀନ ଗସ୍ତରେ ଯାଇଥିବା ଇଣ୍ଟରପୋଲ ଅଧ୍ୟକ୍ଷ ମେଙ୍ଗ ହୋଙ୍ଗୱେଇ ନିଖୋଜ ହୋଇଯିବା ଘଟଣା ସାମ୍ନାକୁ ଆସିବା ପରେ ପୂରା ବିଶ୍ୱରେ ଚହଳ ସୃଷ୍ଟି କରିଛି । ଏହି ଘଟଣା ପରେ ଫ୍ରାନ୍ସ ପୋଲିସ ତାଙ୍କୁ ଖୋଜିବା ଆରମ୍ଭ କରିଛି । ମେଙ୍ଗ ହୋଙ୍ଗୱେଇ ନିଖୋଜ ହେବା ନେଇ ତାଙ୍କ ପତ୍ନୀ ମଧ୍ୟ ପୋଲିସରେ ଅଭିଯୋଗ କରିଛନ୍ତି । ଚୀନ ନେତା ମେଙ୍ଗଙ୍କୁ ଶେଷ ଥର ସେପ୍ଟେମ୍ବର ଶେଷ ଆଡକୁ ଦକ୍ଷିଣ-ପୂର୍ବ ଫ୍ରାନ୍ସର ଲାୟନ ସ୍ଥିତ ଇଣ୍ଟରପୋଲ ମୁଖ୍ୟାଳୟରୁ ବାହାରୁ ଥିବା ଦେଖା ଯାଇଛି। ସେହି ସମୟରେ ସେ ଚୀନ ଅଭିମୁଖେ ବାହାରୁଥିଲେ। ସେ ଇଣ୍ଟରପୋଲରେ ପ୍ରଥମ ଚୀନ ନେତା।

ସୂଚନା ଅନୁଯାୟୀ, ମେଙ୍ଗ ହୋଙ୍ଗୱେଇ ପୂର୍ବରୁ ଚୀନର ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାମ କରିଛନ୍ତି । ଚୀନର ପବ୍ଲିକ ସିକ୍ୟୁରିଟି ବିଭାଗର ଉପମନ୍ତ୍ରୀ ଭାବେ ମଧ୍ୟ ସେ କିଛି ବର୍ଷ କାର୍ଯ୍ୟ କରିଛନ୍ତି । ୨୦୧୬ ମସିହାରେ ସେ ଇଣ୍ଟରପୋଲର ମୁଖିଆ ଭାବେ ନିଯୁକ୍ତି ପାଇଥିଲେ । ୨୦୨୦ ପର୍ଯ୍ୟନ୍ତ ସେ ଏହି ପଦରେ କାମ କରିଥାନ୍ତେ । ଇଣ୍ଟରପୋଲ ସହ ୧୯୨ ଦେଶର ପୋଲିସ ଏଜେନ୍ସି ଯୋଡି ହୋଇ ରହିଛନ୍ତି । ଏହି ସଂସ୍ଥାର ମୁଖ୍ୟ କାମ ହେଉଛି କୌଣସି ଦେଶରୁ ଫେରାର ହୋଇଯାଇଥିବା ବ୍ୟକ୍ତି ଅନ୍ୟ ଦେଶରେ ଲୁଚିଥିଲେ ସେମାନଙ୍କୁ ଚିହ୍ନଟ କରିବା ଓ ତାଙ୍କୁ ଧରିବା ପରେ ପୁର୍ନବାର ଉକ୍ତ ଦେଶକୁ ଫେରାଇଦେବା ।