ଦେଶରେ ୫୦ କୋଟି ଟପିଲା ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା : ଟ୍ରାଇ ରିପୋର୍ଟ

96

ଦେଶରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୫୦ କୋଟି ଟପିଛି । ୨୦୧୬ ମାର୍ଚ୍ଚରେ ଦେଶରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୩୪ କୋଟି ଥିବାବେଳେ ୨୦୧୮ ସେପ୍ଟେମ୍ବର ସେପ୍ଟେମ୍ବରରେ ଏହା ୫୬ କୋଟିରେ ପହଞ୍ଚିଛି । ଉପରୋକ୍ତ ସମୟ ମଧ୍ୟରେ ଦେଶରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟାରେ ୬୫ ପ୍ରତିଶତ ବୃଦ୍ଧି ଘଟିଛି । ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟରୁ ଏହା ଜଣାଯାଇଛି ।

୨୦୧୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରେ ୩୪ କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ଥିଲେ। ୨୦୧୭ ମାର୍ଚ୍ଚ ବେଳକୁ ଏମାନଙ୍କ ସଂଖ୍ୟା ୪୨ କୋଟିକୁ ବୃଦ୍ଧି ପାଇଥିଲା । ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ଏହି ସଂଖ୍ୟା ୪୯ କୋଟି ରହିଥିଲା । କିନ୍ତୁ ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୫୦ କୋଟି ଅତିକ୍ରମ କରି ୫୧ କୋଟିରେ ପହଞ୍ଚିଥିଲା । ତେବେ ସେପ୍ଟେମ୍ବର ୩୦ ସୁଦ୍ଧା ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୫୬ କୋଟି ଛୁଇଁଛି ।

୫୬ କୋଟି ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରୁ ୬୪ ପ୍ରତିଶତ ଅର୍ଥାତ୍ ୩୬ କୋଟି ସହରାଞ୍ଚଳର ହୋଇଥିବାବେଳେ ୩୬ ପ୍ରତିଶତ ବା ୧୯.୪ କୋଟି ଗ୍ରାମାଞ୍ଚଳର ଅଟନ୍ତି । ୫୬ କୋଟିଙ୍କ ମଧ୍ୟରୁ ୫୪ କୋଟି ମୋବାଇଲ ମାଧ୍ୟମରେ ଇଣ୍ଟରନେଟ୍ ବ୍ୟବହାର କରୁଥିବାବେଳେ ୨ କୋଟି ବ୍ରଡବ୍ୟାଣ୍ଡ୍ ମାଧ୍ୟମରେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । ସମୁଦାୟ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରେ ୬ଟି ରାଜ୍ୟର ଯୋଗଦାନ ୩୬ ପ୍ରତିଶତ ରହିଛି। ସେହି ରାଜ୍ୟ ଗୁଡ଼ିକ ହେଲେ କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଗୁଜରାଟ ଏବଂ ମହାରାଷ୍ଟ୍ର ।