ସୁରକ୍ଷା ଦୃଷ୍ଟିରୁ କ୍ରାଇମବ୍ରାଞ୍ଚର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ଏଣିକି ଆଉ କାଫେରେ ମିଳିବନି ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା

52

କନକ ବ୍ୟୁରୋ : ସାଇବର୍ କାଫେରେ ଅନଲାଇନରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗକୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ନିଷ୍ପତ୍ତି ନେଇଛି କ୍ରାଇମବ୍ରାଞ୍ଚ୍। ଅନଲାଇନରେ ଅର୍ଥ କାରବାର ପାଇଁ କାଫେ ଆଦୌ ସୁରକ୍ଷିତ ନୁହେଁ। କାଫେର ସୁରକ୍ଷିତ ବ୍ରାଉଜର୍ କିମ୍ବା ଆଣ୍ଟି ଭାଇରସ ବ୍ୟବସ୍ଥା ଉପଯୁକ୍ତ ନଥିବାରୁ ସାଇବର ଅପରାଧୀମାନେ ଏହାର ସିଧାସଳଖ ଫାଇଦା ଉଠାଉଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସର କ୍ରାଇମବ୍ରାଞ୍ଚର କାଫେରେ ଅନଲାଇନରେ କାରବାରକୁ ସମ୍ପୂର୍ଣ୍ଣ ନିଷେଧ ପାଇଁ ଘୋଷଣା କରିଛି। ଅନଲାଇନରେ କାରବାର ପାଇଁ ବ୍ୟକ୍ତିଗତ ମୋବାଇଲ୍ ଫୋନ୍ କିମ୍ବା ନିଜର କମ୍ପ୍ୟୁଟର ବ୍ୟବହାର କରିବାକୁ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ପରାମର୍ଶ ଦେଇଛନ୍ତି।

 

କ୍ରାଇମବ୍ରାଞ୍ଚର ସାଇବର୍ ସେଲ୍ ସାଇବର୍ ଅପରାଧୀଙ୍କ ଅପରାଧର ନୂଆ ଶୈଳୀ ସମ୍ପର୍କରେ ଏକ ବୈଠକରେ ସମୀକ୍ଷା କରାଯାଇଛି। ମୁଖ୍ୟତଃ କମ୍ପ୍ୟୁଟର୍ କିମ୍ବା ମୋବାଇଲ୍କୁ ଭାଇରସ୍ ଆକ୍ରମଣ, ଅନଲାଇନରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ଏଟିଏମ୍ରୁ ସ୍କିିମର୍ ଓ କ୍ୟାମେରା ଜରିଆରେ ପାସ୍ଓ୍ଵାଡ୍ ଚୋରି କରିବା ଏବଂ ସୋସିଆଲ୍ ମିଡିଆ କିମ୍ବା ଇମେଲରେ ଆସୁଥିବା ଅବାଞ୍ଛିତ ୱେବସାଇଟ ଲିଙ୍କ୍ ମାଧ୍ୟମରେ ସାଇବର ଅପରାଧୀମାନେ ଲକ୍ଷାଧିକ ଟଙ୍କା ଓ ବ୍ୟକ୍ତିଗତ ଲୁଟିବା ପୂର୍ବରୁ ତାହାର କିଭଳି ଦୃଢ଼ ଭାବେ ମୁକାବିଲା କରାଯାଇପାରିବ, ସେ ସମ୍ପର୍କରେ ଆଲୋଚନା କରାଯାଇଛି। ଅଫିସ କିମ୍ବା ଘରେ ବ୍ୟବହାର କରାଯାଉଥିବା ସମସ୍ତ ବ୍ରାଉଜର୍ ପ୍ରତ୍ୟେକ ଦିନ ଅପଡେଟ କରିବା ନିହାତି ଜରୁରି। ଯେଉଁ ବ୍ରାଉଜର୍ରେ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ରହିଛି, ସେଗୁଡ଼ିକ ମୁଖ୍ୟତଃ ଭାଇରସକୁ ପ୍ରତିରୋଧ କରିବାରେ ସହାୟକ ହୋଇପାରିବ। ଉଚ୍ଚ କ୍ଷମତା ସମ୍ପନ୍ନ ଆଣ୍ଟିଭାଇରସ୍ ବ୍ୟବହାର କରିବା ଦ୍ୱାରା ଅନଲାଇନରେ କମ୍ପୁଟରକୁ ଆସୁଥିବା ଭାଇରସକୁ ରୋକାଯାଇ ପାରବ। ଯେଉଁଗୁଡ଼ିକ ପାଇରେଟେଡ୍ ସଫଟୱେରା, ସେଗୁଡ଼ିକ ଆତ୍ମଘାତୀ ସଦୃଶ। ଇ-ମେଲ୍ ମାଧ୍ୟମରେ ଆସୁଥିବା ଫାଇଲଗୁଡିକ ଡାଉନଲୋଡ ପୂର୍ବରୁ ଯାଞ୍ଚ କରିବା ଆବଶ୍ୟକ। ଫାଇଲ୍ ମାଧ୍ୟମରେ ମାଲ୍ଓୟାର ଭାଇରସ୍, ଟ୍ରୋଜନ୍ ଏବଂ ସ୍ପାଏଓୟାର ଭଳି ଭାଇରସ୍ ଆସିପାରେ।

 

ଅନଲାଇନରେ ପାସ୍ଓ୍ଵାର୍ଡ୍ ବ୍ୟବହାର ସମୟରେ ସଂଖ୍ୟା ଏବଂ ଅକ୍ଷରକୁ ମିଶାଇ ପାସ୍ଓ୍ଵାର୍ଡ୍ ପ୍ରସ୍ତୁତ କରିବା ଜରୁରି। ଅଜଣା ୱେବସାଇଟ ଲିଙ୍କ୍ ପ୍ରତି ସାବଧାନ ନରହିଲେ ଭାଇରସ୍ ଏହା ମାଧ୍ୟମରେ ଆସିପାରେ। କମ୍ପ୍ୟୁଟର ବାଦ୍ ସୋସିଆଲ୍ ମିଡିଆରେ ଅନେକ ସମୟରେ ୟୁଜର୍ ବ୍ୟକ୍ତିଗତ ତଥ୍ୟ ଦେଉଛି। ଏଗୁଡ଼ିକ ସାଇବର୍ ଅପରାଧୀ ଚୋରି କରି ଅପରାଧିକ କାର୍ଯ୍ୟରେ ବ୍ୟବହାର କରିବାର ଯଥେଷ୍ଟ ଆଶଙ୍କା ରହିଛି। ନୂଆ ବନ୍ଧୁଙ୍କୁ ସୋସିଆଲ୍ ମିଡିଆରେ ଗ୍ରହଣ କରିବା ପୂର୍ବରୁ ଆକାଉଣ୍ଟର ସତ୍ୟତା ଜାଣିବା ଆବଶ୍ୟକ। ଅନ୍ୟପଟେ ଯଦି ଏକାଧିକ ଅନଲାଇନରେ ଇଣ୍ଟର୍ନେଟ୍ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଜଣେ ବ୍ୟାଙ୍କ ଜମାକାରୀ ଗ୍ରହଣ କରିଛି, ତେବେ ପ୍ରତ୍ୟେକ ଆକାଉଣ୍ଟ ପାଇଁ ପୃଥକ ପାସ୍ଓ୍ଵାର୍ଡ ଏବଂ ୟୁଜର୍ ନେମ୍ ବ୍ୟବହାର କରାଯାଇ ଅନଲାଇନରେ ହ୍ୟାକିଂ କିମ୍ବା ଟଙ୍କା ଲୁଟ୍ରୁ ଆକାଉଣ୍ଟ ରକ୍ଷା କରାଯାଇ ପାରିବ। ଏସବୁ ନିୟମ ପାଳନ କରିବା ଦ୍ୱାରା ଅନଲାଇନରେ ସାଇବର୍ ଅପରାଧକୁ ଅନେକାଂଶରେ ରୋକାଯାଇ ପାରିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି।