ଯୁବଦେଶ ଭାରତ : ଶିକ୍ଷା ଠାରୁ ବେରୋଜଗାରୀ ଏକ ଆହ୍ୱାନ

194

କନକ ବ୍ୟୁରୋ: ଅଗଷ୍ଟ ୧୨ରେ ଆନ୍ତର୍ଜାତୀୟ ସ୍ତରରେ ପାଳିତ ହେଉଛି ଯୁବ ଦିବସ । ସମଗ୍ର ଯୁବସମାଜ ପାଇଁ ଏହି ଦିନଟିକୁ ଉତ୍ସର୍ଗୀକୃତ କରାଯାଇଥିବା ବେଳେ ଏହିଦିନ ବିଭିନ୍ନ ସଭାସମିତିର ଆୟୋଜନ ମଧ୍ୟ କରାଯାଇଥାଏ । ୧୯୯୯ ମସିହା ଠାରୁ ଏହି ଦିବସଟିକୁ ପାଳନ କରାଯାଉଛି । ତେବେ ଚଳିତ ବର୍ଷ ଥିମ ରହିଛି ‘ୟୁଥ୍ ବିଲ୍ଡିଂ ପିସ’ ବା ଯୁବସମାଜ ଦ୍ୱାରା ଶାନ୍ତି ପ୍ରତିଷ୍ଠା ।

୧୭ ଡିସେମ୍ବର ୧୯୯୯ରେ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଅଗଷ୍ଟ ୧୨କୁ ଆନ୍ତର୍ଜାତୀୟ ଯୁବଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା । ସେବେଠାରୁ ଏହି ଦିବସ ପାଳନ କରାଯାଉଛି । ଯୁବସମାଜ ପ୍ରତି ବିଶ୍ୱସ୍ତରରେ ଦୃଷ୍ଟି ନିକ୍ଷେପ କରିବା ଏହିଦିନର ମୂଳ ଉଦ୍ଦେଶ୍ୟ । ଚଳିତ ବର୍ଷ ଯୁବସମାଜ ଦ୍ୱାରା ଶାନ୍ତିି ପ୍ରତିଷ୍ଠାକୁ ଗୁରୁତ୍ୱ ଦିଆଯାଇଛି । ଏନେଇ ଯୁବକମାନଙ୍କୁ ଆହ୍ୱାନ ଦିଆଯାଇଛି ।

ଅନ୍ୟପଟେ ଭାରତରେ ଜାତୀୟ ଯୁବଦିବସର ତାରିଖ ଭିନ୍ନ । ଅଗଷ୍ଟ ୧୨ ତାରିଖରେ ଆନ୍ତର୍ଜାତୀୟ ଯୁବଦିବସ ପାଳନ ଭଳି ଜାନୁଆରୀ ୧୨ ତାରିଖରେ ଦେଶରେ ଜାତୀୟ ଯୁବଦିବସ ପାଳନ କରାଯାଉଛି । ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିବସକୁ ଜାତୀୟ ଯୁବଦିବସ ଭାବେ ପାଳନ କରିବା ନେଇ ୧୯୮୪ରେ ଭାରତ ସରକାର ଘୋଷଣା କରିବା ପରେ ୧୯୮୫ ଠାରୁ ଏହାକୁ ପାଳନ କରାଯାଉଛି । ଦେଶ ଜନସଂଖ୍ୟାରେ ୧୩ରୁ ୩୫ବର୍ଷ ବୟସ୍କଙ୍କ ସଂଖ୍ୟା ପ୍ରାୟ ୪୦ ପ୍ରତିଶତ । ତେଣୁ ଦେଶ ଗଠନରେ ଯୁବସମାଜର ଭୁମିକା ଗୁରୁତ୍ୱପୂର୍ଣ୍ଣ ।

ତେବେ ଭାରତରେ ଯୁବସମାଜ ଆଗରେ କିଛି ପ୍ରମୁଖ ଆହ୍ୱାନ ରହିଛି । ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଏହାର ଉପଯୋଗ ଉପରେ ଗୁରୁତ୍ୱାରୋପ କରାଯାଇପାରେ । କାରଣ ଦେଶର ଅନେକ ସ୍ଥାନରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରୁନାହିଁ । ଉତ୍ତମ ଶିକ୍ଷା ହିଁ ଏକ ରାଷ୍ଟ୍ର ନିର୍ମାଣର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ।

ସେହିଭଳି ଏକ ଆନ୍ତର୍ଜାତୀୟ ରିପୋର୍ଟ ଅନୁସାରେ ଭାରତରେ ବେକାରୀ ସମସ୍ୟା ବଢ଼ିଛି । ୧୫ରୁ ୨୪ ବର୍ଷ ବୟସ ମଧ୍ୟରେ ଭାରତର ପ୍ରାୟ ୯ ପ୍ରତିଶତ ଯୁବକ ଓ ୧୧ ପ୍ରତିଶତ ଯୁବତୀ ବେରୋଜଗାର ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି । ୨୦୦-୧୦ର ତଥ୍ୟ ଅନୁଯାୟୀ, ଭାରତରେ ୯.୭ପ୍ରତିଶତ ପୁରୁଷ ଓ ୧୮.୭ ପ୍ରତିଶତ ମହିଳା ବେରୋଜଗାର ଅଟନ୍ତି । ତେବେ ବେରୋଜଗାର କ୍ଷେତ୍ରରେ ଶିକ୍ଷିତ ଯୁବକଯୁବତୀଙ୍କ ସଂଖ୍ୟା ଅଧିକ ବୋଲି ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ଏଦିଗରେ ସଂରକ୍ଷଣ କୋଟା ଏକ ପ୍ରମୁଖ କାରଣ ବୋଲି ମଧ୍ୟ କୁହାଯାଇପାରେ । ତେବେ ଶିକ୍ଷିତ ଓ ରୋଜଗାରକ୍ଷମ ହେବା ବର୍ତ୍ତମାନର ଯୁବସମାଜ ପାଇଁ ଏକ ବଡ ଚ୍ୟାଲେଞ୍ଜ ।