ଆଜି ବିଶ୍ୱ ଯୋଗ ଦିବସ । ରାଂଚିରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗ କଲେ ୪୦ ହଜାରରୁ ଅଧିକ ଲୋକ । ଆମେରିକାରୁ ଆଷ୍ଟ୍ରେଲିଆ, ଆଫଗାନିସ୍ତାନ ଯାଏଁ ଦେଖିବାକୁ ମିଳିବ ଯୋଗର ଝଲକ ।

319

କନକ ବ୍ୟୁରୋ : ଆଜି ବିଶ୍ୱ ଯୋଗ ଦିବସ । ଯୋଗ ଦିବସରେ ସରକାରଙ୍କ ପ୍ରମୁଖ ଆୟୋଜନ ଝାରଖଣ୍ଡର ରାଜଧାନୀ ରାଂଚିରେ ଅନୁଷ୍ଠିତ ହେଉଛି । ରାଂଚିର ତାରା ମୈଦାନରେ ଆୟୋଜିତ ଯୋଗ କାର୍ଯକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସାମିଲ ହୋଇଛନ୍ତି ୪୦ ହଜାରରୁ ଅଧିକ ଲୋକ । ଏଥିରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବୀର ଦାସ ମଧ୍ୟ ସାମିଲ ହୋଇଛନ୍ତି । ସେହିପରି ମହାରାଷ୍ଟ୍ରର ନାନ୍ଦେଡ ଠାରେ ଯୋଗ ଗୁରୁ ରାମଦେବ ବାବା ଯୋଗ ଶିକ୍ଷା ଦେଉଛନ୍ତି । ଏହି ଯୋଗ ଶିବିରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ସାମିଲ ହୋଇ ଯୋଗ କରିଛନ୍ତି ।

ଦେଶ, ବିଦେଶର କୋଣ ଅନୁକୋଣରେ ଆଜି ପାଳିତ ହେଉଛି ଯୋଗ ଦିବସ । ଭାରତ ଠାରୁ ଆମେରିକା, ଅଷ୍ଟ୍ରେଲିଆରୁ ଆଫଗାନିସ୍ତାନ ଯାଏଁ ସବୁଠି ଦେଖିବାକୁ ମିଳିଛି ଯୋଗର ଝଲକ । ଚଳିତ ବର୍ଷ ଯୋଗର ଥିମ ରହିଛି ୟୋଗା ଫର ହାର୍ଟ । ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ତରଫରୁ ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ କରାଯାଉଛି । ରାଜଧାନୀର ବୁଦ୍ଧ ପାର୍କ, ଫରେଷ୍ଟ ପାର୍କ, ଇମ୍ଫା ପାର୍କ, ରେଂଟାଲ କଲୋନି ପାର୍କ ଓ ଜୟଦେବ ବାଟିକାକୁ ମିଶାଇ ମୋଟ ୧୦ଟି ପାର୍କରେ ଯୋଗ ଦିବସ ପାଳିତ ହେଉଛି । ଆୟୁଷ ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ପ୍ରଟୋକଲ ଅନୁସାରେ ଯୋଗ ଦିବସ ପାଳନ କରାଯାଉଛି ।