ଭୁବନେଶ୍ୱରରେ ଆରମ୍ଭ ହେଲା ଆନ୍ତର୍ଜାତିକ ବାଣିଜ୍ୟ ମେଳା ! ଦେଶ ବିଦେଶରୁ ଆସିଥିବା ଉଦ୍ୟୋଗୀ ଦେଲେ ଯୋଗ

33

କନକ ବ୍ୟୁରୋ : ସୋମବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆନ୍ତର୍ଜାତିକ ବାଣିଜ୍ୟ ମେଳା । କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାରେ ୩୦୦ରୁ ଅଧିକ ଉଦ୍ୟୋଗୀ ଯୋଗ ଦେଇଥିବା ବେଳେ ପ୍ରଥମ ଥର ପାଇଁ ଇରାନ୍, ଦକ୍ଷିଣ କୋରିଆ, ବାଂଲାଦେଶରୁ ବି ୩୦ ଉଦ୍ୟୋଗୀ ଯୋଗ ଦେଇଛନ୍ତି ।

ଇରାନର ଖଜୁରୀ କୋଳି ବା ଡେଟ୍ । ସେଥିରୁ ପ୍ରସ୍ତୁତ ହୋଇଛି ଚକୋଲେଟ୍ ଓ ଖଜରା । ଆଉ ତାର ମାର୍କେଟିଂ ପାଇଁ ଭୁବନେଶ୍ୱର ଆନ୍ତର୍ଜାତିକ ମେଳାରେ ଯୋଗ ଦେଇଛନ୍ତି ଇରାନର କିଛି ଫାର୍ମ । ଇରାନର ଖଜୁରୀ କୋଳି ହେଉ କିମ୍ବା ବାଂଲାଦେଶର ଶାଢ଼ୀ କିମ୍ବା ଓଡ଼ିଶାର ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ କୋଲ୍ଡ ଡ୍ରିଙ୍କ୍ସ, ପାଇପ୍ ଓ ସାନିଟାରୀ ଆପ୍ଲାଏନ୍ସ- ଟେରୋକୋଟା କାମ ହେଉ କି ଏମ୍ବ୍ରୋଡୋରୀ, କିମ୍ବା ସଫ୍ଟୱେର ହେଉ କି ପଥର କାମ- ସବୁ ପ୍ରକାର କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗୀ ଯୋଗ ଦେଇଛନ୍ତି ଏହି ମେଳାରେ ।

ସୋମବାର ସନ୍ଧ୍ୟାରେ ଏହି ମେଳାକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, କେନ୍ଦ୍ର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ଅରୁଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶାରେ ବର୍ତ୍ତମାନ ୩ ଲକ୍ଷ ୧୨ ହଜାର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରହିଥିବା ବେଳେ ଏଥିରେ ପ୍ରାୟ ୧୩ ଲକ୍ଷ ଲୋକ ନିଯୁକ୍ତି ପାଇଛନ୍ତି । ୨ ବର୍ଷରେ ଏକ୍ଷେତ୍ରରେ ନିଯୁକ୍ତି ୧୫ ଲକ୍ଷରେ ପହଂଚିବ ବୋଲି ଲକ୍ଷ୍ୟ ରଖାଯାଇଛି ।