ସଂଖ୍ୟା ବଢୁଛି ହେଲେ ଚିନ୍ତା କମୁନି ! ବାଘ ଦିବସରେ ସୁରକ୍ଷା ଚିନ୍ତା . . ଜାଣନ୍ତୁ କିଛି ରୋଚକ ତଥ୍ୟ

65

ପ୍ରତିବର୍ଷ ଜୁଲାଇ ୨୯କୁ ବିଶ୍ୱ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଏ । ବ୍ୟାଘ୍ର ସଂରକ୍ଷଣ ପାଇଁ ୨୦୧୦ରୁ ଲଗାତର ଭାବେ ଏହି ଦିବସ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ରହିଛି ଫ୍ରେଶ ଇକୋଲୋଜୀ ଫର୍ ଟାଇଗରସ ପ୍ରୋଟେକ୍ସନ୍ । ବାଘ ବାସସ୍ଥଳୀକୁ ସୁରକ୍ଷିତ ରଖିବା ସହ କିଭଳି ଏମାନଙ୍କର ସଂରକ୍ଷଣ କରାଯାଇପାରିବ ତା ଉପରେ ଜୋର୍ ଦିଆଯାଉଛି । ଯଦିଓ ୧୦ ବର୍ଷ ପୂର୍ବେ ସାରା ଦେଶରେ ଯେତିକି ବାଘଙ୍କ ସଂଖ୍ୟା ଥିଲା ଆଜିର ଦିନରେ ତାହା ଦ୍ୱିଗୁଣିତ ହୋଇଛି, ତଥାପି ବିପଦ ଏବେ ବି ପିଛା ଛାଡିନି । ତଥ୍ୟ କହୁଛି, ୨୦୧୬ରେ ବାଘ ଶିକାର ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି ।

ଆଜିର ଦିନରେ ଲକ୍ଷ ହେଉଛି, ବାଘଙ୍କ ପ୍ରକୃତିକ ବାସସ୍ଥଳୀକୁ ସୁରକ୍ଷିତ ରଖିବା । ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରି ୨୦୨୨ ମଧ୍ୟରେ ବାଘ ସଂଖ୍ୟାକୁ ଦ୍ୱିଗୁଣିତ କରିବା ଲକ୍ଷରେ ୱାର୍ଲଡ ୱାଇଲ୍ଡ ଲାଇଫ ଫଣ୍ଡ ରେଂଜର୍ ମାନଙ୍କ ମଧ୍ୟରେ ବାଘ ସଂଖ୍ୟା ଦ୍ୱିଗୁଣିତ କରିବାକୁ ନେଇ ସବୁବେଳେ ପ୍ରମୋସନ କରିଆସୁଛି । ଗତବର୍ଷ ୱାର୍ଲଡ ୱାଇଲ୍ଡ ଲାଇଫ୍ ଫଣ୍ଡର ଘୋଷଣା ଅନୁସାରେ, କିଛି ଦଶନ୍ଧି ଧରି ବାଘ ସଂଖ୍ୟା କମିଥିଲେ ମଧ୍ୟ ହତ କିଛି ବର୍ଷ ଧରି ଏହା ବଢିବାରେ ଲାଗିଛି ।

3994216-tiger୨୦୧୬ରେ ସାରା ଦେଶରେ ମୋଟ୍ ୫୦ଟି ବାଘ ଶିକାର କରାଯାଇଛି । ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ସୋସାଇଟି ଅଫ୍ ଇଣ୍ଡିଆ ଅନୁସାରେ, ଗତ ୧୫ ବର୍ଷ ତୁଳନାରେ ଏହି ସଂଖ୍ୟା ଅଧିକ । ତେବେ ଆଶ୍ୱସ୍ତିର କଥା ହେଉଛି, ଗତ କିଛି ବର୍ଷ ଭିତରେ ବାଘଙ୍କ ସଂଖ୍ୟାରେ ମଧ୍ୟ ଆଅନୁରୂପକ ଭାବେ ବୃଦ୍ଧି ଘଟିଛି । ୨୦୧୧ରେ ସଂଖ୍ୟା ୧୭୦୬ ଥିବା ବେଳେ ୨୦୧୪ରେ ଏହି ସଂଖ୍ୟା ଛୁଇଁଛି ୨୨୨୬ । ନ୍ୟାସନାଲ୍ ଟାଇଗର୍ କନଜରଭେସନ ଅଥରିଟି ମୁଖ୍ୟଙ୍କ ସୂଚନା ଅନୁସାରେ ଚାଲିଥିବା ବାଘ ଗଣନାରେ ସଂଖ୍ୟା ୨୫୦୦ ଅତିକ୍ରମ କରିଯିବ । ଅର୍ଥାତ୍ ବର୍ଷ ପରେ ବର୍ଷ ବାଘଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

୧୯୭୩ରେ ଭାରତ ପ୍ରୋଜେକ୍ଟ ଟାଇଗର୍ ଆରମ୍ଭ କରିଥିଲା । ୨୦୦୬ରେ ଏନଟିସିଏ ଗଠନ କରାଗଲା । ବାଘଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ କମିବା ପରେ ଏହି ସଂସ୍ଥା ଗଠନ କରାଯାଇଥିଲା । ଯାହାର ମୂଳ ଉଦ୍ଦେଶ୍ୟ ଥିଲା, କିଭଳି କମୁଥିବା ବାଘ ସଂଖ୍ୟାକୁ ରୋକାଯିବ । ଏଥିସହ ବାଘ ବାସସ୍ଥଳୀକୁ ମଧ୍ୟ ସୁରକ୍ଷିତ ରଖିବାକୁ ଆରମ୍ଭ ହୋଇଥିଲା ଉଦ୍ୟମ । ତେବେ ବଡ କଥା ହେଉଛି, ଏବେ ବି ବାଘଙ୍କ ପ୍ରତି ବିପଦ କିଛି କମ ନୁହେଁ ।

ଆଶ୍ଚର୍ଯ୍ୟ କରିଦେଲା ଭଳି ତଥ୍ୟ ହେଲା, ୨୦ ଲକ୍ଷ ବର୍ଷ ଆଗରୁ ସାରା ବିଶ୍ୱରେ ୨ ଲକ୍ଷ ବାଘ ଥିଲେ । ବିଂଶ ଶତାଦ୍ଦୀ ବେଳକୁ ସଂଖ୍ୟା ଖସି ଆସିଲା ୧ ଲକ୍ଷକୁ । ଆଉ ଏହି ସମୟରେ ଭାରତରେ ଥିଲେ ୪୦ ହଜାର ବାଘ । ୧୯୭୨ ବେଳକୁ ସଂଖ୍ୟା ଖସି ଆସିଲା ୧୮୦୦ । ଯେତେବେଳେ ପ୍ରୋଜେକ୍ଟ ଟାଇଗର୍ ଆରମ୍ଭ କରାଗଲା । ୨୦୦୮ ବେଳକୁ ସଂଖ୍ୟା ଖସି ଆସିଲା ୧୪୦୦କୁ । ହେଲେ ଏବେ ସାରା ବିଶ୍ୱରେ ୩୨୦୦ ବାଘ ଥିବା ବେଳେ ଭାରତରେ ଅଛନ୍ତି ୨୨୦୦ । ଅର୍ଥାତ୍ ସାରା ବିଶ୍ୱରେ ଥିବା ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ଅଛନ୍ତି ।

WhatsApp Image 2017-07-29 at 2.35.25 PMବଡ କଥା ହେଉଛି, ବାଘଙ୍କ ଭିତରେ ଝଗଡା/ଗଣ୍ଡଗୋଳ ସେମାନଙ୍କ ପାଇଁ ବିପଦ ଆଣିଦେଇଛି । ଜାନୁୟାରୀ ୨୦୧୧ରୁ ସେପଟେମ୍ବର ୨୦୧୬ ମଧ୍ୟରେ ପରସ୍ପର ଆକ୍ରମଣରେ ଅଧିକ ବାଘଙ୍କ ଜୀବନ ଯାଇଛି । ଦ୍ୱିତୀୟରେ ରହିଛି ବାଘ ଶିକାର । ସରକାରୀ ସ୍ତରରେ ପ୍ରକାଶ ପାଇଥିବା ପରିସଂଖ୍ୟାନ କିଛି ଏଭଳି ଦିଗକୁ ସାମ୍ନାକୁ ଆଣିଛି । ଏହି ଅବଧି ମଧ୍ୟରେ ୪୦୭ଟି ବାଘ ମୃତ୍ୟୁର ଖବର ଆସିଥିଲା । ଯେଉଁଥିରୁ ୨୦୦ଟି ମୃତ୍ୟୁର କାରଣ ନିର୍ଦ୍ଦିଷ୍ଟ ଭାବେ ମିଳିଥିବା ସରକାରୀ ସ୍ତରରେ କୁହାଯାଇଛି । ପରସ୍ପରକୁ ଆକ୍ରମଣ ଘଟଣାରେ ୬୭ଟି ବାଘଙ୍କ ଜୀବନ ଯାଇଛି । ଏହି ଅବଧି ମଧ୍ୟରେ ୫୨ଟି ବାଘ ଶିକାର ହୋଇଛି । ବିଷ ଦେଇ ବାଘ ଶିକାର କରିବା ସବୁଠାରୁ ଅଧିକ ହୋଇଥିବା ଜଣାପଡିଛି ।

ଚଳିତବର୍ଷ ୬୧ଟି ବାଘ ମୃତ୍ୟୁ ବରଣ କରିସାରିଲେଣି । ୨୦୧୬ରେ ଏହି ସଂଖ୍ୟା ଥିଲା ୧୨୨, ଯାହା ଗତ ପାଂଚ ବର୍ଷରେ ସର୍ବାଧିକ । ଭାରତରେ ସବୁଠାରୁ ଅଧିକ ବାଘ ଥିବା ବେଳେ ଚିନ୍ତାର ବିଷୟ ହେଉଛି, କିଛି ପ୍ରଜାତିର ବାଘ ସାରା ବିଶ୍ୱରୁ ଲୋପ ପାଇଗଲେଣି । ଭାରତ, ନେପାଳ, ଭୁଟାନ୍, ଋଷିଆ ଭଳି ରାଷ୍ଟ୍ରରେ ବାଘ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଆଜି ବି ଏହି ପ୍ରାଣୀ ବିପଦସଂକୁଳ ଅବସ୍ଥାରେ ରହିଛି । ବିଲୁପ୍ତପ୍ରାୟ ପ୍ରାଣୀ ଭାବେ ଆଜିର ଦିନରେ ବାଘକୁ ଚିନ୍ତା କରାଯାଉଛି ।

ଭାରତରେ ବାଘ ଶିକାର ସବୁଠାରୁ ଚିନ୍ତାଜନକ ବିଷୟ । ୨୦୧୪ରେ ୮୧, ୨୦୧୫ରେ ୨୫, ଏପ୍ରିଲ ୨୦୧୬ ସୁଦ୍ଧା ୨୮ । ଏଭଳି ତଥ୍ୟ ଲଗାତର ଭାବେ ସରକାରୀ ସ୍ତରରେ ଚିନ୍ତା ବଢାଇଛି । ସେହିଭଳି ବାଘଙ୍କ ବାସସ୍ଥଳୀ ସଂକୁଚିତ ହେବା ମଧ୍ୟ ସଂଖ୍ୟା କମିବା ପଛର ଗୋଟିଏ ପ୍ରମୁଖ କାରଣ । ସହର ବୃଦ୍ଧି ପାଇବା ଓ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ବାଘଙ୍କ ବାସସ୍ଥଳୀ ପାଖାପାଖି ୯୩ ପ୍ରତିଶତ କମିଛି । ପ୍ରତିଦିନ ଦେଶରେ ୩୩୩ ଏକର ଜଙ୍ଗଲ କମୁଛି । କିଛି ବାଘ ଛୋଟ ଜଙ୍ଗଲରେ ରହିବାକୁ ସକ୍ଷମ ଥିଲେ ମଧ୍ୟ ଶିକାରୀଙ୍କ ପ୍ରାଦୁର୍ଭାବ ଏମାନଙ୍କ ସଂଖ୍ୟାକୁ ଲଗାତର ଭାବେ କମାଇଚାଲିଛି । ସରକାରୀ ତଥ୍ୟ କହୁଛି, ପରସ୍ପରକୁ ଆକ୍ରମଣରେ ଯାଇଥିବା ୪୦୭ ବାଘଙ୍କ ଜୀବନ ମଧ୍ୟରୁ ଅଧିକାଂଶ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡିଶା, ମଧ୍ୟପ୍ରଦେଶ, ଝାଡଖଣ୍ଡ ଓ ଛତିଶଗଡ ରାଜ୍ୟରୁ ।

WhatsApp Image 2017-07-29 at 2.31.42 PMତେବେ ଓଡିଶାରେ ବାଘ ସଂଖ୍ୟାକୁ ନେଇ ବିବାଦ ଥମିବାର ନାଁ ନେଉନି । ୨୦୧୫ରେ ଏନଟିସିଏ ଦେଇଥିବା ତଥ୍ୟ ଅନୁସାରେ, ଓଡିଶାରେ ବାଘ ସଂଖ୍ୟା ୨୮ । ହେଲେ ରାଜ୍ୟ ସରକାର ଏହି ସଂଖ୍ୟାକୁ ନେଇ ଆପତ୍ତି ଉଠାଇଥିଲେ । ବିଭିନ୍ନ ଜଙ୍ଗଲରେ ପୁଣି ଗଣନା କରି ରାଜ୍ୟ ସରକାର କହିଥିଲେ ବାଘ ସଂଖ୍ୟା ୪୦ । ହେଲେ କିଛିଦିନ ତଳେ ଜଙ୍ଗ ଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରଉତରାୟ ଦେଇଥିଲେ ରୋଚକ ବୟାନ । ଯେଉଁଥିରେ ସେ ସୂଚନା ଦେଇ କହିଥିଲେ ରାଜ୍ୟରେ ବାଘ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି । ତେବେ ଏହା ପଛର ଆଧାରକୁ ନେଇ ବିବାଦ ଦେଖାଦେଇଛି । କ୍ୟାମେରା ଟ୍ରପିଂ ଓ ପଗ୍ ମାର୍କ ଆଧାରରେ ରାଜ୍ୟରେ ବାଘ ଗଣତି କରି ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକୁ ନେଇ ରାଜ୍ୟ ସରକାର ଓ ଏନଟିସିଏ ମୁହାଁମୁହିଁ ହୋଇଥିଲେ ।

ତେବେ ବିଶ୍ୱ ସ୍ତରରେ ବାଘକୁ ନେଇ ଓଡିଶା ଖ୍ୟାତି ଅର୍ଜନ କରିଛି । କାରଣ ମେଲାନିଷ୍ଟିକ୍ ଟାଇଗର୍ ଅର୍ଥାତ୍ କଳାବାଘ କେବଳ ଓଡିଶାରେ ଦେଖାଦେଉଥିବା ବେଳେ ସବୁଠାରୁ ଅଧିକ ସଂଖ୍ୟକ ଧଳାବାଘ ମଧ୍ୟ ଓଡିଶାରେ ଅଛି । ନନ୍ଦନକାନନରେ କଳାବାଘ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ମଧ୍ୟ ପାଲଟିଛି ।

ବାଘଙ୍କ ବାବଦରେ କିଛି ରୋଚକ ତଥ୍ୟ ଉପରେ ନଜର ପକାନ୍ତୁ । ପ୍ରତି ବାଘ ଦେହରେ ପାଖାପାଖି ୧୦୦ ପ୍ରକାରର ପଟା ଦାଗ ଥାଏ । ହେଲେ କୌଣସି ବି ଦୁଇଟି ବାଘର ଦେହରେ ସମାନ ପଟା ନଥାଏ । ଅର୍ଥାତ୍ ପ୍ରତି ବାଘ ଦେଖିବାକୁ ଅଲଗା ଅଲଗା, ଠିକ୍ ଫିଙ୍ଗର ପ୍ରଂଟ ଭଳି । ବାଘ ମୋଟ୍ ୮ଟି ଉପ-ପ୍ରଜାତିର । ବିଭିନ୍ନ ସ୍ଥାନରେ ଦେଖାଦେଉଥିବା ବାଘକୁ ନେଇ ଏହିସବୁ ପ୍ରଜାତିର ନାମକରଣ ହେଉଛି । ବାଘ, ସିଂହ, ଚିତାବାଘ, ଜାଗୁଆର ହେଉଛନ୍ତି ବିଲେଇ ପ୍ରଜାତିର, ଯେଉଁମାନେ ଗର୍ଜନ କରିପାରିବେ ହେଲେ ବିଲେଇ ପରି ଶଦ୍ଦ କରିପାରିବେ ନାହିଁ । ରାତିରେ ମଣିଷ ଯେତିକି ଦେଖିପାରିବ, ତାଠାରୁ ୬ ଗୁଣ ଅଧିକ ଦେଖିପାରେ ବାଘ । ଦେଖିକରି ଓ ଶୁଣିକରି ବାଘ ଶିକାର କରେ, ଶୁଂଘିକରି ନୁହେଁ । ଗୋଟିଏ ଥରକୁ ବାଘ ୨୨ ରୁ ୩୨ କିଲୋଗ୍ରାମ ଯାଏଁ ଖାଦ୍ୟ ଖାଇପାରେ । ଗୋଟିଏ ବାଘ ଥରକେ ପାଖାପାଖି ୧୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଡେଇଁପାରେ ।

ଆଜିର ଦିନରେ ସଂକଳ୍ପ ନେବାର ଆବଶ୍ୟକତା ରହିଛି, ବିଲୁପ୍ତପ୍ରାୟ ଏହି ପ୍ରଜାତିର ପ୍ରାଣୀଙ୍କୁ ରକ୍ଷା କରିବା ସହ ସେମାନଙ୍କର ବାସସ୍ଥଳୀକୁ ଯଥାସମ୍ଭବ ସୁରକ୍ଷା ଦେବା । ଫଳରେ ଆମର ପରବର୍ତ୍ତୀ ପିଢୀ ବାଘଙ୍କୁ ଦେଖିପାରିବେ ଓ ସେମାନଙ୍କ ବାବଦରେ ଅନେକ କଥା ଜାଣିପାରିବେ ।