ପାକିସ୍ତାନ ଠାରୁ ପଛରେ ଭାରତ । ଆତଙ୍କବାଦର କଳାବାଦଲ ଭିତରେ ରହୁଥିବା ପାକିସ୍ତାନର ଲୋକେ ଭାରତ ଠାରୁ ସୁଖୀ । କିଛି ଏଭଳି ଚକିତ କଲା ଭଳି ଖବର ଏବେ ସାମ୍ନାକୁ ଆସିଛି । ବିଶ୍ୱରେ ସୁଖୀ ରହିବାର ରାଷ୍ଟ୍ର ତାଲିକାରେ ଭାରତ ପଡୋଶୀ ରାଷ୍ଟ୍ରମାନଙ୍କ ଠାରୁ ଯଥେଷ୍ଟ ପଛରେ ରହିଛି । ଖାଲି ପାକିସ୍ତାନ ନୁହେଁ, ନେପାଳ, ଚୀନ, ଭୁଟାନ, ବାଂଲାଦେଶ ଆଉ ଶ୍ରୀଲଙ୍କା ଠାରୁ ବି ପଛରେ ରହିଛି ଭାରତ ।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୧୭ ୱାର୍ଲଡ ହାପିନେସ ରିପୋର୍ଟରେ ୧୫୫ ଦେଶର ତାଲିକାରେ ୧୨୨ ତମ ସ୍ଥାନରେ ଭାରତ ରହିଥିବା ବେଳେ ପାକିସ୍ତାନ ୮୦ ତମ ସ୍ଥାନରେ ରହିଛି । ଅର୍ଥାତ୍ ଭାରତ ଠାରୁ ପାକିସ୍ତାନରେ ରହୁଥିବା ଲୋକ ଅଧିକା ସୁଖି ରହୁଛନ୍ତି । ଗତବର୍ଷ ଏହି ତାଲିକାର ୧୧୮ ତମ ସ୍ଥାନରେ ଥିଲା ଭାରତ । ଏଥର ଆଉ ୪ ସ୍ଥାନ ତଳକୁ ଖସି ଆସିଛି ଭାରତ । ଅନ୍ୟ ପଡୋଶୀ ରାଷ୍ଟ୍ରମାନଙ୍କ ମଧ୍ୟରେ ଭୁଟାନ ୯୭, ନେପାଳ ୯୯, ବାଂଲାଦେଶ ୧୧୦, ଶ୍ରୀଲଙ୍କା ୧୨୦ ତମ ସ୍ଥାନରେ ରହିଛି ।
ବିଶ୍ୱରେ ସୁଖୀ ରହିବା ପାଇଁ ଦେଖାଯାଉଥିବା ମାପଦଣ୍ଡରେ କେବଳ ଟଙ୍କାକୁ ଗୁରୁତ୍ୱ ଦିଆଯାଉନାହିଁ । ଏଥିପାଇଁ ଉକ୍ତ ଦେଶର ଲୋକଙ୍କ ଆୟ, ଶାରିରୀକ ଆଉ ମାନସିକ ସ୍ୱାସ୍ଥ୍ୟ, ଉଦାରତା, ସାମାଜିକ ସ୍ତର ଓ ଦୁର୍ନୀତିର ସ୍ତରକୁ ମାପଦଣ୍ଡ ହିସାବରେ ଗ୍ରହଣ କରାଯାଏ । ତାଲିକାର ଶୀର୍ଷରେ ରହିଛି ନରୱେ । ଡେନମାର୍କକୁ ପଛରେ ପକାଇ ନରୱେ ଏହି ସ୍ଥାନ ଦଖଲ କରିଛି ।