୫୫ହଜାର ଲୋକଙ୍କ ସହ ମିଶି ଯୋଗ ଦିବସ ପାଳନ କଲେ ପ୍ରଧାନମନ୍ତ୍ରୀ : ମୋଦି କହିଲେ, ଯୋଗ ମାନବ ସମାଜକୁ ଯୋଡେ

35

କନକ ବ୍ୟୁରୋ : ବିଶ୍ୱ ଯୋଗ ଦିବସ ଅବସରରେ ଆଜି ଯୋଗମୟ ହୋଇଯାଇଛି ସାରା ଦେଶ । ଡେରାଡୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୬୦ ହଜାର ଲୋକଙ୍କ ଗହଣରେ ଯୋଗଭ୍ୟାସ କରି ଯୋଗର ଉପକାରିତା ବୁଝାଇଛନ୍ତି । ସେପଟେ ରାଜସ୍ଥାନର କୋଟାରେ ଅଢ଼େଇ ଲକ୍ଷ ଲୋକଙ୍କ ଏକାଠି ଯୋଗ ଶିଖାଇ ଗିନିସ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଅଧିକାରୀ ହୋଇଛନ୍ତି ଯୋଗଗୁରୁ ବାବା ରାମଦେବ । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ କରିଛନ୍ତି ନେତା ଓ ଅଭିନେତା ।

ଯୋଗ ମୁଦ୍ରାରେ ପ୍ରଧାନମନ୍ତ୍ରୀ । ହଜାର ହଜାର ଲୋକଙ୍କ ଗହଣରେ ଯୋଗାଭ୍ୟାସ କରିଛନ୍ତି ନରେନ୍ଦ୍ର ମୋଦି । ଡେରାଡୁନ ଯୋଗ ଶିବିରରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ, ସାରା ବିଶ୍ୱକୁ ଯୋଗର ମହତ୍ୱ ଉପରେ ବୁଝାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଯୋଗାଭ୍ୟାସ କରିବାର ସୁଯୋଗ ପାଇ ପ୍ରାୟ ୬୦ ହଜାର ଶିକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

modi
image courtesy-https://www.ndtv.com/

ବିଶ୍ୱ ଯୋଗ ଦିବସରେ ସାରା ଦେଶ ଯୋଗମୟ ହୋଇଯାଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପ୍ରାୟ ୫ ହଜାର ଶିବିରର ଆୟୋଜନ କରାଯାଇଥିଲା । ରାଜସ୍ଥାନର କୋଟାରେ ପ୍ରାୟ ଅଢେଇ ଲକ୍ଷ ଲୋକଙ୍କୁ ଯୋଗାଭ୍ୟାସ କରାଇଛନ୍ତି ବାବା ରାମଦେବ । ଏତେ ସଂଖ୍ୟକ ଲୋକଙ୍କୁ ଏକାଠି ଯୋଗ ଶିକ୍ଷା ଦେଇ ଗିନିସ ବୁକ ଅଫ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଛନ୍ତି ରାମଦେବ ।

ରାଜ୍ୟ ସରକାରଙ୍କ ତରଫରୁ ଶେଷ ମୁହୂର୍ତରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳନ ବାତିଲ ହୋଇ ଯାଇଥିଲେ ବି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାରା ରାଜ୍ୟରେ ଆୟୋଜିତ ହୋଇଛି ଯୋଗ ଶିବିର । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଯୋଗ ପାଠ ପଢାଇଛନ୍ତି ସାଂସଦ ପ୍ରସନ୍ନ ପାଟଶାଣୀ । ବାଘ୍ରାସନ କିପରି କରାଯାଏ, ଲୋକମାନଙ୍କୁ ଶିଖାଇଛନ୍ତି ପାଟଶାଣୀ । ବିଶ୍ୱ ଯୋଗ ଦିବସ ଅବସରରେ ପୁରୀ ଗଜପତି ମହାରାଜଙ୍କୁ ଯୋଗମୁଦ୍ରାରେ ଦେଖିବାକୁ ମିଳିଥିଲା । ଗଜପତି କହିଛନ୍ତି ଯୋଗ ମଣିଷକୁ ପ୍ରେରଣା ଦିଏ, ଜଣଙ୍କ ଜୀବନରେ ଯୋଗ ପ୍ରବେଶ କଲେ ପ୍ରକୃତ ମଣିଷ ହୋଇଯାଏ ।

 

ନୀଳଗିରିରେ ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀ, ରାଉରକେଲାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ଯୋଗାଭ୍ୟାସ କରିଛନ୍ତି । କଟକରେ ଯୋଗଶିବିରରେ ସାମିଲ ହୋଇଥିଲେ ଓଲିଉଡ୍ ଷ୍ଟାର । ରାମଦେବଙ୍କ ଷ୍ଟାଇଲରେ ଅଭିନେତା ଶ୍ରୀତମ ଦାସଙ୍କ କପାଳଭାତି କରୁଥିବା ଦେଖିବାକୁ ମିଳିଥିଲା ।

ସେପଟେ ବିଶ୍ୱ ଯୋଗ ଦିବସରେ ସାରା ଦେଶ ଆଜି ଯୋଗମୟ ହୋଇ ଯାଇଥିବା ବେଳେ ଏହାକୁ ନେଇ ବିଜେପି-ବିଜେଡି ତୁ ତୁ ମେଁ ମେଁ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ତରଫରୁ ଆଜି ଯୋଗ ଦିବସ ପାଳନ କରାଯାଇନାହିଁ । ରାଜ୍ୟସ୍ତରରେ ଏ ନେଇ କୌଣସି କାର୍ଯ୍ୟକ୍ରମ ହୋଇନାହିଁ । ଏଥିପାଇଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଦଳ ପକ୍ଷରୁ କୁହାଯାଇଛି, ବିଜେଡିକୁ ମୋଦି ଭୟ ଘାରିଛି । ତେଣୁ ଭଲ କାର୍ଯ୍ୟକ୍ରମ ବି ଖରାପ ଦେଖାଯାଉଛି । ସେପଟେ ଏହାର ଜବାବ ଦେଇଛି ବିଜେଡି । ବିଜେଡି ନେତା ଅରୁଣ ସାହୁ କହିଛନ୍ତି, ଅଭିଯୋଗର କୌଣସି ଆଧାର ନାହିଁ । ରାଜ୍ୟ ସରକାର କାହାକୁ ଯୋଗ କରିବାକୁ ମନା କରିନାହାନ୍ତି । ବିଜେପି ମାଇଲେଜ ନେବା ପାଇଁ ଏଭଳି କରୁଛି ।