ମୋଦି ସରକାରଙ୍କ ଶେଷ ବଜେଟ ଆଗତ ! ପୀୟୁଷ ଗୋଏଲଙ୍କ ଅଭିଭାଷଣରେ ମୋଦି ସରକାରଙ୍କ ସଫଳତା

140

କନକ ବ୍ୟୁରୋ : କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଅନ୍ତରୀଣ ବଜେଟ୍ ବଜେଟ୍ ଉପସ୍ଥାପନ କରୁଛନ୍ତି । ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍‌ ଆଗତ କରିଛନ୍ତି । ସରକାର ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୪ ମାସର ଖର୍ଚ ତୁଲାଇବା ପାଇଁ ଲେଖାନୁଦାନ ଆଗତ କରିଛନ୍ତି । ନିର୍ବାଚନ ପରେ ନୂଆ ସରକାର ଗଠନ ହେଲେ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଗତ କରିବେ। ସାଧାରଣ ବଜେଟ୍‌ ସହିତ ରେଳ ବଜେଟକୁ ମିଶାଇ ଦିଆଯାଇଥିବାରୁ ରେଳ ବିଭାଗର ବ୍ୟୟବରାଦ ନେଇ ଅନ୍ତରୀଣ ବଜେଟରେ ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ।

– ପୀୟୁଷ ଗୋଏଲଙ୍କ ଅଭିଭାଷଣରେ ମୋଦି ସରକାରଙ୍କ ସଫଳତା । ଦରବୃଦ୍ଦି ନିୟନ୍ତ୍ରଣ କରିବାରେ ଆମେ ସଫଳ ହୋଇପାରିଛୁ । ଦୁଇ ଅଙ୍କ ଛୁଇଁ ପାରିଛି ଭାରତର ଅଭିବୃଦ୍ଧି । ୨୦୨୨ ସୁଦ୍ଧା ନୂଆ ଭାରତ ଗଠନ କରିବାର ଉଦ୍ୟମ ଜାରି ରହିବ ।

– ଚାଷୀଙ୍କ ଆୟ ଦୁଇ ଗୁଣା ହୋଇଛି । ଦୁର୍ନୀତି କମିଛି । ଭାରତ ବିଶ୍ୱର ଷଷ୍ଠ ବୃହତ୍ତ୍ ଅର୍ଥନୀତି । ୫ ବର୍ଷରେ ବିଦେଶୀ ପୁଞ୍ଜିନିବେଶରେ ବଡ଼ ଧରଣର ବୃଦ୍ଧି ଆସିଛି । ଏନପିଏ କମ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ।

– ଟାକ୍ସ ସୁଧାର ପାଇଁ ଆମୁଳଚୂଳ ପ୍ରୟାସ କରାଯାଉଛି । ବଡ଼ ବ୍ୟବସାୟୀଙ୍କୁ ଋଣ ପରିଶୋଧ କରିବା ପାଇଁ ବାଧ୍ୟ କରାଯାଇଛି ।

–  ଚାଷୀଙ୍କ ପାଇଁ ବଡ଼ ଘୋଷଣା । ପିଏମ କିଷାନ ଯୋଜନାରେ ଲାଭ ପାଇବେ ଚାଷୀ । ୨ ହେକ୍ଟରରୁ କମ୍ ଜମି ଥିବା ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ମିଳିବ । ପାଖାପାଖି ୧୨ କୋଟି ଚାଷୀ ଉପକୃତ ହେବେ । ୧ ଡିସେମ୍ବର ୨୦୧୮ରୁ ଲାଗୁ ହେବ ନିୟମ । ପ୍ରଥମ କିସ୍ତିରେ ୨ ହଜାର ଟଙ୍କା ପଠାଯିବ ।

– ବର୍ତ୍ତମାନ ଦେଶରେ ୨୧ଟି ଏମ୍ସ କାର୍ଯ୍ୟକାରୀ ଅଛି । ୨୦୧୪ପରେ ଆମେ ୧୪ଟି ଏମ୍ସ ପ୍ରତିଷ୍ଠା କରିଛୁ । ୨୨ତମ ଏମ୍ସ ହରିୟାଣାରେ ପ୍ରତିଷ୍ଠା ହେବାକୁ ଯାଉଛି । ଆୟୁଷ୍ମାନ ଯୋଜନାରେ ୧୦ଲକ୍ଷ ରୋଗୀଙ୍କୁ ମାଗଣା ଚିକିତ୍ସା ଦେଇଛୁ । ଇତିହାସରେ ପ୍ରଥମ ଥର ୨୨ଟି ଖାଦ୍ୟ ଶସ୍ୟ ଏମଏସପି ବୃଦ୍ଧି ହୋଇଛି ।

-ଗୋମାତା ସୁରକ୍ଷା ପାଇଁ ଆସିବ ରାଷ୍ଟ୍ରୀୟ କାମଧେନୁ ଆୟୋଗ । କାମଧେନୁ ଯୋଜନାରେ ୭୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ପଶୁପାଳନ ପାଇଁ ଋଣ ଉପରେ ସୁଧରେ ୨ ପ୍ରତିଶତ ରିହାତି ମିଳିବ ।

– ଅଣସଂଗଠିକ ଶ୍ରମିକଙ୍କ ପାଇଁ ବୃଦ୍ଧାବସ୍ଥା ପେନସନ୍ । ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ନିଯୋଗ ଯୋଜନାରେ ଶ୍ରମିକଙ୍କୁ ମିଳିବ ଲାଭ । ମାସିକ ୧୫ ହଜାର ରୋଜଗାର କରୁଥିବା ଶ୍ରମିକଙ୍କୁ ମିଳିବ ପେନସନ୍  । ଶ୍ରମିକଙ୍କ ମୃତ୍ୟୁ ହେଲେ ମିଳିବ ୬ ଲକ୍ଷ ଟଙ୍କାର ମିଳିବ କ୍ଷତିପୂରଣ ।

– ଉଜ୍ଜ୍ୱଳା ଯୋଜନାରେ ୮କୋଟି ଗ୍ୟାସ ସଂଯୋଗ ପାଇଁ ଯୋଜନା ରହିଛି । ବର୍ତମାନ ସୁଦ୍ଧା ୬କୋଟି ଗ୍ୟାସ କନେକସନ ଦିଆଯାଇଛି । ଗର୍ଭବତୀ ମାନଙ୍କ ପାଇଁ ପିଏମ ମାତୃ ବନ୍ଦନା ଯୋଜନା ଚାଲିଛି । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୭୦ପ୍ରତିଶତ ମହିଳା ଋଣ ନେଇ ବ୍ୟବସାୟ କରୁଛନ୍ତି ।

– ମୁଦ୍ରାସ୍ଫୀତି ହେଉଛି ଏକ ଲୁକ୍କାୟିତ ଓ ମନ୍ଦ ଟିକସ। ୨୦୦୯-୧୪ ମଧ୍ୟରେ ଏହା ୧୦.୧ ଥିବା ବେଳେ ଆମେ ମେରୁହାଡ଼ ଭାଙ୍ଗୁଥିବା ମୁଦ୍ରାସ୍ଫୀତିକୁ ଭାଙ୍ଗୁଛୁ। ୨. ୬ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ୍‌ ରିକ୍ୟାପିଟାଲାଇଜେସନ୍‌ କରାଯାଇଛି। ବ୍ୟାଙ୍କ୍‌ ସେକ୍ଟରରେ ଯେଉଁ ବେଗରେ ସଂସ୍କାର ଚାଲିଛି ଅନ୍ୟ ବ୍ୟାଙ୍କ୍‌ ମଧ୍ୟ ଉଦ୍ଧାର ପାଇ ଯିବେ। ବ୍ୟାଙ୍କ୍‌ ଏବଂ ଋଣ ପ୍ରଦାନକାରୀ ସଂସ୍ଥା ତରଫରୁ ବଡ଼ ବଡ଼ ଋଣ ଖିଲାପକାରୀଙ୍କ ଠାରୁ ଆମ ସରକାର ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଉଦ୍ଧାର କରିଛନ୍ତି ।

– ଗତ ୫ ବର୍ଷରେ ମୋବାଇଲ ନେଟୱର୍କ ଦୁଇ ଗୁଣା ବଢ଼ିଛି । ମୋବାଇଲ୍ ଡାଟା ଓ ଭଏସ୍ କଲ୍ ଦର ଯଥେଷ୍ଟ କମିଛି । ଦେଶର ଗାଁ ଗୁଡ଼ିକୁ ଡିଜିଟାଲ ଗାଁ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି । ଆଗାମୀ ୫ ବର୍ଷରେ ଏକ ଲକ୍ଷ ଡିଜିଟାଲ ଗାଁ କରିବା ପାଇଁ ଲକ୍ଷ୍ୟ । ମେକ୍ ଇନ୍ ଇଣ୍ଡିଆ ଯୋଗୁଁ ମୋବାଇଲ୍ କମ୍ପାନୀ ସଂଖ୍ୟା କମିଛି ।

– ୨୭କିମି ଜାତୀୟ ରାଜପଥ ତିଆରି ହେଉଛି । ଉଡାନ ଯୋଜନାରେ ଦେଶର ଗରିବ ବିମାନ ଯାତ୍ରା କରୁଛନ୍ତି । ଦେଶରେ ଆଉ ନାହିଁ ମାନବ ବୀହିନ ରେଳ ଫାଟକ । ରେଳବାଇର କ୍ଷତି କମାଇବାକୁ ଚେଷ୍ଟା କରାଯାଉଛି ପୂର୍ବାଂଚଳ ରାଜ୍ୟ ଗୁଡିକରେ ରେଳସେବା ପହଂଚିଛି ।

– ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୭୫% ହେଉଛନ୍ତି ମହିଳା।ପ୍ରଧାନମନ୍ତ୍ରୀ ମାତୃତ୍ୱ ଯୋଜନାରେ ମହିଳାମାନଙ୍କୁ ୨୬ ସପ୍ତାହ ମାତୃତ୍ୱକାଳୀନ ଛୁଟି ମିଳୁଛି । ସୁଦ୍ଧ ଇନ୍ଧନ ଓ ସ୍ୱାସ୍ଥ୍ୟ ଲାଗି ଗ୍ରାମୀଣ ପରିବାରଗୁଡ଼ିକୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୮ କୋଟି ମାଗଣା ଏଲ୍‌ପିଜି ସଂଯୋଗ ଦିଆଯିବ। ଏପର୍ଯ୍ୟନ୍ତ ୬ କୋଟି ସଂଯୋଗ ଦିଆ ଗଲାଣି ।

– ଦେଶରେ ଏବେ ଟିକସ ଆଦାୟ ବଢ଼ିଛି । ୨୪ ଘଂଟାରେ ଆଇଟି ରିଟର୍ଣ୍ଣ ପ୍ରୋସେସ୍ ହେଉଛି । ୨୦୧୪ରେ ଟିକସ ଆଦାୟ ପରିମାଣ ୬ ଲକ୍ଷ ୩୮କାଟି ଥିଲା । ବର୍ତ୍ତମାନ ତାହା ୧୨ କୋଟିରେ ପହଞ୍ଚିଛି । ୨୦୧୪ରେ ଟିକସଦାତାଙ୍କ ସଂଖ୍ୟା ଥିଲା ୩.୭୯ କୋଟି । ଆଉ ଏବେ ଟିକସଦାତାଙ୍କ ସଂଖ୍ୟା ୬.୮୪ କୋଟିରେ ପହଞ୍ଚିଛି ।

–  ଜାନୁଆରି ୨୦୧୯ରେ ଜିଏସ୍ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଛି । ବାର୍ଷିକ ୫ କୋଟିରୁ କମ୍ କାରବାର ହେଉଥିବା ବ୍ୟବସାୟକୁ ପ୍ରତି ୩ ମାସରେ ରିଟର୍ଣ୍ଣ ଦାଖଲ କରିବାକୁ ଅନୁମତି ପାଇବେ। ଜାନୁଆରି ୨୦୧୯ରେ ଜିଏସ୍ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ୯୦% ଜିଏସ୍ଟି ପୈଠକାରୀ। କ୍ରମାଗତ ଭାବେ ଜିଏସ୍ଟି ହ୍ରାସ ପାଉଥିବା ଯୋଗୁଁ ୮୦, ୦୦୦ କୋଟି ଗ୍ରାହକ ଆଶ୍ୱସ୍ତି ପାଇଛନ୍ତି। ଗରିବ ଓ ମଧ୍ୟମ ବର୍ଗର ଲୋକମାନଙ୍କ ନିତ୍ୟ ବ୍ୟବହାର‌୍ୟ୍ୟ ପଦାର୍ଥଗୁଡ଼ିକୁ ୦% ରୁ ୫% ଟିକସ ବନ୍ଧନୀ ମଧ୍ୟରେ ରଖାଯାଇଛି।ରିୟଲ୍ ଇଷ୍ଟେଟ୍ କ୍ଷେତ୍ରରେ ଥିବା ୧୮% ଥିବା ଜିଏସ୍ଟି ହ୍ରାସ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯିବ ବୋଲି ଗୋୟଲ୍ କହିଛନ୍ତି।

– ବଢ଼ିଲା ଆୟକର ଛାଡ଼ ସୀମା । ୫ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ଼ ଘୋଷଣା । ଅର୍ଥାତ୍ ବାର୍ଷିକ ୫ ଲକ୍ଷ ପର୍ଯ୍ୟନ୍ତ ଆୟକାରୀଙ୍କୁ ଦେବାକୁ ପଡ଼ିବ ନାହିଁ ଟିକସ । ଅନ୍ୟାନ୍ୟ ନିବେଶ ଉପରେ ସାଢ଼େ ୬ ଲକ୍ଷ ପର୍ଯ୍ୟନ୍ତ ଟିକସ ରିହାତି । ଆଡ଼ିସନାଲ୍ ଡିଡ଼କସନ୍ ସୀମା ୨ ଲକ୍ଷକୁ ବୃଦ୍ଧି ।