୮୦ ବର୍ଷରେ ମନୋଜ କୁମାର୍ ! ପଢନ୍ତୁ କେଉଁ ଅଭିନେତାଙ୍କ ଦ୍ୱାରା ପ୍ରଭାବିତ ହୋଇ ନିଜ ନାଁ କରିଥିଲେ ପରିବର୍ତ୍ତନ

50

ଦେଶଭକ୍ତି ସିନେମାରେ ଅଭିନୟ କରୁଥିବା ବଲିଉଡର ଭାରତ କୁମାର ଅର୍ଥାତ୍ ମନୋଜ୍ କୁମାରଙ୍କୁ କିଏ ନଜାଣେ । ହିନ୍ଦି ସିନେମାର କିମ୍ବଦନ୍ତୀ ଅଭିନେତା ମନୋଜ କୁମାର ଆଜି ୮୦ ବର୍ଷରେ ପାଦ ରଖିଛନ୍ତି । ୨୪ ଜୁଲାଇ ୧୯୩୭ରେ ଜନ୍ମ ଗ୍ରହଣ କରିଥିଲେ ମନୋଜ କୁମାର । ତେବେ ମନୋଜ କୁମାରଙ୍କ ପ୍ରକୃତ ନାମ ହେଉଛି ହରିକ୍ରିଷ୍ଣ ଗିରୀ ଗୋସ୍ୱାମୀ । ଏହି କିମ୍ବଦନ୍ତୀ ଅଭିନେତାଙ୍କ ଜନ୍ମ ଦିନ ଅବସରରେ ଜାଣନ୍ତୁ ତାଙ୍କ ଜୀବନକୁ ନେଇ କିଛି ଅଜଣା କଥା ।

ମନୋଜ କୁମାର ନିଜ ନାଁ ପରିବର୍ତ୍ତନ କରିବା ପଛରେ ହାତ ରହିଛି ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ୍ କୁମାରଙ୍କ । ସ୍କୁଲରେ ପଢିବା ସମୟରେ ଦିଲ୍ଲୀପ୍ କୁମାରଙ୍କ ସିନେମା ‘ଶବନମ୍’ ଦେଖିବାକୁ ଯାଇଥିଲେ ମନୋଜ୍ କୁମାର । ସିନେମାରେ ଦିଲ୍ଲୀପ୍ କୁମାରଙ୍କ ନାଁ ଥିଲା ମନୋଜ କୁମାର । ସିନେମାରେ ଦିଲ୍ଲୀପ୍ କୁମାରଙ୍କ ଅଭିନୟରେ ଏତେ ପ୍ରଭାବିତ ହୋଇଥିଲେ ନିଜ ନାଁ ପରିବର୍ତ୍ତନ କରି ହରିକ୍ରିଷ୍ଣ ଗିରୀ ଗୋସ୍ୱାମୀରୁ ମନୋଜ୍ କୁମାର ରଖିଥିଲେ ।

ଯେତେବେଳେ ହିନ୍ଦି ସିନେମାରେ ପାଦ ରଖିଥିଲେ ମନୋଜ କୁମାର ସେତେବେଳେ ଦର୍ଶକ ନାୟକ ମାନଙ୍କୁ ରୋମାଂଟିକ୍ ଅବତାରରେ ଦେଖିବାକୁ ପସନ୍ଦ କରୁଥିଲେ । କିନ୍ତୁ ମନୋଜ କୁମାର ଦେଶଭକ୍ତି ସିନେମା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଅଧିକାଂଶ ସିନେମାରେ ତାଙ୍କ ନାଁ ଭାରତ ରହୁଥିଲା । ତେଣୁ ପ୍ରଶଂସକ ମହଲରେ ସେ ଭାରତ କୁମାର ନାଁରେ ଲୋକପ୍ରିୟ ।

୧୯୫୭ ଆସିଥିବା ସିନେମା ‘ଫ୍ୟାସନ୍’ ଜରିଆରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ ମନୋଜ କୁମାର । ଏହି ସିନେମା ମନୋଜ କୁମାରଙ୍କ ପ୍ରିୟ ସିନେମା ମଧ୍ୟରୁ ଅନ୍ୟତମ । ମନୋଜ କୁମାର ଅଭିନେତା ଭାବରେ ଯେତିକି ଭଲ ଥିଲେ ସେତିକି ସେ ସିନେମା ନିର୍ମାଣକୁ ନେଇ ମଧ୍ୟ ଥିଲେ । ଦେଶଭକ୍ତିର ନିଶା ଏମିତି ତାଙ୍କ ମୁଣ୍ଡରେ ଥିଲା ଯେ ଏହାକୁ ସେ ନିଜ ସିନେମା ଜରିଆରେ ଦର୍ଶକଙ୍କ ସାମ୍ନାକୁ ଆଣିଥିଲେ । ମନୋଜ କୁମାର ଏକଥା ମଧ୍ୟ ପ୍ରମାଣ କରିବାକୁ ଚାହୁଁଥିଲେ ଯେ ଏଭଳି ସିନେମା ତିଆରି କରି ମଧ୍ୟ ଟଙ୍କା ରୋଜଗାର କରିହେବ ।

ସେହିପରି ଲଗାତାର ଫ୍ଲପ୍ ସିନେମାରେ ଚିନ୍ତିତ ହୋଇ ଯେତେବେଳେ ଅମିତାଭ୍ ବଚ୍ଚନ ମୁମ୍ବାଇ ଛାଡି ଚାଲିଯିବାକୁ ବାହାରିଥିଲେ ସେତେବେଳେ ମନୋଜ କୁମାର ହିଁ ବିଗ୍ ବିଙ୍କୁ ‘ରୋଟି କପଡା ଔର୍ ମକାନ୍’ରେ ସୁଯୋଗ ଦେଇଥିଲେ ।

ଦମଦାର ଅଭିନୟ ସହ ହିନ୍ଦି ସିନେମା ଜଗତକୁ ନିଜ ଅବଦାନ ପାଇଁ ମନୋଜ କୁମାରଙ୍କୁ ଦାଦା ସାହେବ ଫାଲକେ, ପଦ୍ମଶ୍ରୀ ଏବଂ ଫିଲ୍ମ ଫେୟାର୍ ଲାଇଫ୍ ଟାଇମ୍ ଆଚିଭମେଂଟ୍ ସମ୍ମାନରେ ସମ୍ମାନିତ କରାଯାଇଛି ।