ଗ୍ରାହକଙ୍କ ଚିନ୍ତା ବଢାଇବ ଏଟିଏମ ଚାର୍ଜ ! ବଢିପାରେ ଇଣ୍ଟର ବ୍ୟାଙ୍କ ଚାର୍ଜ, ଜାଣନ୍ତୁ କେଉଁ ସର୍ଭିସ ବାବଦକୁ ବ୍ୟାଙ୍କ ନେଉଛି କେତେ ଟଙ୍କା

66

ପୁଣି ଗ୍ରାହକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିବ ଏଟିଏମ ସେବା । ବଢିବ ଏଟିଏମ ସର୍ଭିସ ଚାର୍ଜ । ଏଟିଏମ କାରବାରରେ ଇଣ୍ଟର ବ୍ୟାଙ୍କ ଶୁଳ୍କ ବଢାଇବାକୁ ଦାବି କରିଛନ୍ତି କିଛି ପ୍ରାଇଭେଟ ବା ବେସରକାରୀ ବ୍ୟାଙ୍କ । ଯଦି ଏଭଳି ହୁଏ ତେବେ ଏଟିଏମ ସେବା ମହଙ୍ଗା ହେବ । ଆଉ ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ । ଯାହା ଏବେ ବ୍ୟାଙ୍କ ଗ୍ରାହକଙ୍କ ଚିନ୍ତା ବଢାଇଦେଇଛି ।

ଇଣ୍ଟର ବ୍ୟାଙ୍କ ଚାର୍ଜ କଣ : ଏହି ଚାର୍ଜ ବା ଶୁଳ୍କ ବ୍ୟାଙ୍କ ପରସ୍ପରକୁ ଏଟିଏମ ବ୍ୟବହାର କରିବା ପାଇଁ ଦେଇଥାନ୍ତି । ଯାହାଫଳରେ ଯେକୌଣସି ବ୍ୟାଙ୍କ ଗ୍ରାହକ ଅନ୍ୟ ଏକ ବ୍ୟାଙ୍କର ଏଟିଏମରୁ ପଇସା ଉଠାଇପାରିବେ । ଏହି ବାବଦରେ କିଛି ଶୁଳ୍କ ବ୍ୟାଙ୍କ ପରସ୍ପରକୁ ଦେଇଥାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଶୁଳ୍କ ଗ୍ରାହକଙ୍କ ଠାରୁ ଆଦାୟ କରାଯାଇଥାଏ । ଏହାକୁ ଇଣ୍ଟର ବ୍ୟାଙ୍କ ଚାର୍ଜ କୁହାଯାଏ । ଏବେ ଗ୍ରାହକ ଇଣ୍ଟର ବ୍ୟାଙ୍କ ଶୁଳ୍କ ବାବଦକୁ ୧୫ ଟଙ୍କା ଦେଉଛନ୍ତି । ତେବେ ଏହାକୁ ବଢାଇ ୧୮ ଟଙ୍କା କରିବାକୁ ବିଭିନ୍ନ ବେସରକାରୀ ବ୍ୟାଙ୍କ ଦାବି କରୁଛନ୍ତି । ଯଦି ଇଣ୍ଟର ବ୍ୟାଙ୍କ ଚାର୍ଜରେ ବୃଦ୍ଧି ହୁଏ ତେବେ ଗ୍ରାହକଙ୍କୁ ଯେତିକିଥର ଫ୍ରି ଟ୍ରାଞ୍ଜାକସନ ମିଳୁଛି ତାହାକୁ କମାଇ ଦିଆଯାଇପାରେ । ନଚେତ ବ୍ୟାଙ୍କ ଶୁଳ୍କରେ ବୃଦ୍ଧି ହୋଇପାରେ ।

atms-queue-759କିଛି ବେସରକାରୀ ବ୍ୟାଙ୍କ ଅଧିକାରୀଙ୍କ କହିବା ଅନୁଯାୟୀ, ଦିନକୁ ଦିନ ଏଟିଏମ ମ୍ୟାନେଜମେଣ୍ଟ ଦରରେ ବୃଦ୍ଧି ଘଟୁଛି ।ଏଟିଏମର ରକ୍ଷାଣବେକ୍ଷଣ ଦାୟିତ୍ୱରେ ରହୁଥିବା ସୁରକ୍ଷାକର୍ମୀଙ୍କ ଦରମା ବୃଦ୍ଧି, ହାଉସକିପିଙ୍ଗ ଭଡା ବୃଦ୍ଧି ପାଇଛି । କିନ୍ତୁ ଇଣ୍ଟର ବ୍ୟାଙ୍କ ଶୁଳ୍କରେ କୌଣସି ପରିବର୍ତ୍ତନ ଆସିନାହିଁ । ଏଥିରେ ବ୍ୟାଙ୍କର କ୍ଷତି ହେଉଛି । ଏହାବାଦ ବିମୁଦ୍ରାକରଣ ପରେ ଏଟିଏମ ମନିଟରିଂ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଏଟିଏମ ସୁରକ୍ଷା ପାଇଁ ମଧ୍ୟ ଖର୍ଚ୍ଚ ଅଧିକ ହେଉଛି । ତେଣୁ ଇଣ୍ଟର ବ୍ୟାଙ୍କ ଚାର୍ଜ ବୃଦ୍ଧି କରିବା ଆବଶ୍ୟକ ବୋଲି ଅଧିକାଂଶ ବେସରକାରୀ ବ୍ୟାଙ୍କ କହିଛନ୍ତି । ତେବେ ଏହି ଚାର୍ଜରେ ବୃଦ୍ଧି କରାଯିବ କି ନାହିଁ ସେନେଇ ଆରବିଆଇ ନିଷ୍ପତି ନେବ ।

148ଏସବୁ ବାଦ ବ୍ୟାଙ୍କ ବିଭିନ୍ନ ସେବା ବାବଦକୁ ଗ୍ରାହକଙ୍କ ଠାରୁ ପଇସା ନେଉଛି । ଯେପରିକି ଆକାଉଣ୍ଟରେ ସର୍ବନିମ୍ନ ଜମା ରାଶି ନ ରଖିବା ହେତୁ ବ୍ୟାଙ୍କ ୫୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ନେଉଛି । ଠିକ୍ ସେହିଭଳି ଏଟିଏମରୁ ୪ ଥର ଫ୍ରୀରେ ଟଙ୍କା ଉଠାଣ ପରେ ପରବର୍ତ୍ତୀ ଟ୍ରାଞ୍ଜାକସନ ପାଇଁ ୧୫୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ନେଇଥାଏ । ବ୍ୟାଙ୍କ ସର୍ବାଧିକ ୮ ଥର ଫ୍ରୀ ଏଟିଏମ ଟ୍ରାଞ୍ଜାକସନ ପାଇଁ ଅନୁମତି ଦେଇଥାଏ । ଏହାପରେ ପ୍ରତି ଟ୍ରାଞ୍ଜାକାସନ ପାଇଁ ୧୫ରୁ ୨୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ନେଇଥାଏ ବ୍ୟାଙ୍କ । ଏସବୁ ବ୍ୟତୀତ ନୂଆ ଡେବିଟ କାର୍ଡ ପାଇଁ ଗ୍ରାହକଙ୍କ ଠାରୁ ୧୩୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ନେଇଥାଏ ବ୍ୟାଙ୍କ । ତେବେ ଇଣ୍ଟର ବ୍ୟାଙ୍କ ଚାର୍ଜରେ ବୃଦ୍ଧି ଘଟିଲେ ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡିବ ।