ରାତି ଅଧରେ ବଡ ଧରଣର ଆକ୍ରମଣ କରିପାରନ୍ତି ଆତଙ୍କବାଦୀ! ସର୍ତକ କଲା ଗୁଇନ୍ଦା ବିଭାଗ

217

ସଂସଦ ଭବନ ଆକ୍ରମଣର ଦୋଷୀ ଅଫଜଲ ଗୁରୁ ଓ ଜେକେଏଲଏଫର ସଂସ୍ଥ୍ାପକ ମହମ୍ମଦ ମକବୁଲ ଭଟ୍ଟଙ୍କ ମୃତ୍ୟୁବାର୍ଷିକରେ ଆତଙ୍କବାଦୀ ମାନେ ବଡ ଧରଣର ଆକ୍ରମଣ ଯୋଜନା କରିଛନ୍ତି । ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ, ଆତଙ୍କବାଦୀ ମାନେ ଜମ୍ମୁ-କାଶ୍ମୀରରେ ସେନା ଉପରେ ଆଇଡିରେ ଆକ୍ରମଣ କରିପାରନ୍ତି । ଏପରିକି ବିଚ୍ଛିନ୍ନବାଦୀ ମାନେ ମଧ୍ୟ ସୋମବାର କାଶ୍ମୀର ବନ୍ଦ ଡାକରା ଦେଇଛନ୍ତି ।

ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ୯ ଫେବ୍ରୃଆରୀ ଅଥାର୍ତ ଆଜି ରାତି କିମ୍ବା ଭୋର ସମୟରେ ସିଏପିଏଫ୍ କ୍ୟାମ୍ପ ଓ ପୋଲିସ କ୍ୟାମ୍ପ ଉପରେ ଆତଙ୍କବାଦୀ ମାନେ ବଡଧରଣର ଆକ୍ରମଣ କରିପାରନ୍ତି । ତେଣୁ ସମସ୍ତ ସୁରକ୍ଷାବାହିନୀକୁ ସର୍ତକ କରାଯାଇଛି । ଏପରିକି ବିନା ସୁରକ୍ଷାରେ ଆକ୍ରମଣ ଆଶଙ୍କା ଥିବା ଏରିଆକୁ ନ ଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଏହାପୂର୍ବରୁ ମଧ୍ୟ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ମାନେ ଆକ୍ରମଣ କରିବେ ବୋଲି ଗୁଇନ୍ଦା ସୂଚନା ମିଳିଥିଲା । ଏପରିକି ଗ୍ରେନେଡ ମାଧ୍ୟମରେ ଆତଙ୍କବାଦୀ ମାନେ ସେନା କ୍ୟାମ୍ପ ଉପରେ ଆକ୍ରମଣ କରିପାରନ୍ତି ବୋଲି ସର୍ତକ କରାଯାଇଥିଲା । ଏପରିକି ଆଲର୍ଟ ପରେ ମଧ୍ୟ ଆତଙ୍କବାଦୀ ମାନେ ସେନା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଏଥିରେ କିଛି ଯବାନ ମଧ୍ୟ ଆହତ ହୋଇଥିଲେ । ତେବେ ଯବାନ ମାନେ ସୂଚନା ପାଇ ସଜାଗ ରହିଥିବାରୁ ଟଳି ଯାଇଥିଲା ବଡଧରଣର ଆକ୍ରମଣ ଆଶଙ୍କା । ୯ ଫେବ୍ରୁଆରୀ ୨୦୧୩ରେ ଅଫଜଲ ଗୁରୁକୁ ଫାଶୀ ଦିଆଯାଇଥିଲା ଓ ତିହାର ଜେଲ ମଧ୍ୟରେ ପୋତା ଯାଇଥିଲା । ସେହିଭଳି ମହମ୍ମଦ ମକବୁଲ ଭଟ୍ଟଙ୍କୁ ୧୧ ଫେବ୍ରୁଆରୀ ୧୯୮୪ ମସିହାରେ ଫାଶୀ ଦିଆଯିବା ସହ ତିହାର ଜେଲରେ ଅନ୍ତିମ ସଂସ୍କାର କରାଯାଇଥିଲା । ଆଉ ଅଫଜଲଙ୍କ ଫାଶୀକୁ ବିଚ୍ଛିନାବାଦୀ ମାନେ ବିରୋଧ କରିବା ସହ ପ୍ରତିବର୍ଷ ଏହିଦିନ କାଶ୍ମୀର ବନ୍ଦ କରୁଛନ୍ତି ।