ରାଜ୍ୟସଭାରେ ଆଜି ତିନି ତଲାକ ବିଲ ଉପରେ ହେବ ଆଲୋଚନା ! ସିଲେକ୍ଟ କମିଟିକୁ ବିଲ ପଠାଇବା ଦାବିରେ ବିରୋଧୀଙ୍କ ଜିଦ୍

33

କନକ ବ୍ୟୁରୋ : ଲୋକସଭାରେ ଗୃହୀତ ହୋଇସାରିଥିବା ତିନି ତଲାକ ବିଲ ନେଇ ଆଜି ରାଜ୍ୟସଭାରେ ଆଲୋଚନା ହେବ । ସରକାର ବିଲକୁ ଆଜି ରାଜ୍ୟସଭାରେ ପାଶ କରିବାକୁ ଚାହୁଁଛନ୍ତି । କିନ୍ତୁ ବିରୋଧୀଙ୍କ ଆଭିମୁଖ୍ୟରୁ ଲାଗୁନି ଏହି ବିଲ୍ ଆଜି ଗୃହରେ ବିଲ ପାଶ ହେବ । କାଲି ରାଜ୍ୟସଭାରେ ବିଲ ଉପସ୍ଥାପିତ ହୋଇଥିଲା । ତେବେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଏହା ଉପରେ ଆଲୋଚନା ହୋଇପାରିନାହିଁ । ତିନି ତଲାକ ବିଲକୁ ସିଲେକ୍ଟ କମିଟିକୁ ପଠାଇଦେବା ଲାଗି ଦାବି କରିଥିଲେ ବିରୋଧୀ ।

କଂଗ୍ରେସକୁ ଟିଏମସି. ସମାଜବାଦୀ ପାର୍ଟି ସମେତ କିଛି ଛୋଟ ଦଳ ସମର୍ଥନ କରିଥିଲେ । ହଙ୍ଗାମା କାରଣରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା । ସେପଟେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ କଂଗ୍ରେସ ଦୋମୁହାଁ ନୀତି ପ୍ରଦର୍ଶନ କରୁଥିବା କହିଛନ୍ତି । ଲୋକସଭାରେ ବିଲକୁ ସମର୍ଥନ କରିଥିବାବେଳେ ରାଜ୍ୟସଭାରେ ବିରୋଧ କରି କଂଗ୍ରେସ ରାଜନୀତିର ରୁଟି ସେକୁଥିବା ସେ କହିଛନ୍ତି । ସୁପ୍ରିମକୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରିସାରିବା ପରେ ରାଜନୈତିକ ଦଳ ଗୁଡିକ ବିଲ ବିରୋଧୀ ମତ ପୋଷଣ କରିବା ଅନୁଚିତ ବୋଲି ଜେଟଲି କହିଛନ୍ତି ।