ପେଟ୍ରୋଲ ପମ୍ପରେ ବାପା ଭଳି କାମ କରୁଛନ୍ତି, ଘର ଭିତରେ ମାଆର ସ୍ନେହ ଦେଉଛନ୍ତି । ସ୍ୱାମୀ ଛାଡିଦେବା ପରେ ଏବେ ଏକାଏକା ଲଢେଇ କରି ପୁଅ ସହ ଦୁଇ ଅନାଥ ପିଲାଙ୍କ ପେଟରେ ଦାନା ଦେଉଛନ୍ତି ସୁନିତା…

1,148

କନକ ବ୍ୟୁରୋ: ସେ କାହାରି ବୋଝ ହେବେନି । ଝିଅଟିଏ ବୋଲି କାହା ସାହାରା ବି ନେବେନି । ନିଜ ଗୋଡରେ ନିଜେ ଛିଡା ହେବେ, ସ୍ୱାବଲମ୍ବୀ ହୋଇ ପରିବାର ଚଳାଇବେ । ଏମିତି କିଛି ଚିନ୍ତାଧାରା ନେଇ ଘରୁ ଗୋଡ କାଢିଛନ୍ତି ସୁନିତା । ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦେଇ ପରିବାର ପ୍ରତିପୋଷଣ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଅନୁଗୁଳ ବେନ୍ତପୁର ଗାଁର ସୁନିତା ପାଲ ।

ମହିଳା ଦିବସରେ ସୁନିତାଙ୍କ ଏହି କାହାଣୀ ସମସ୍ତଙ୍କୁ ପ୍ରେରଣା ଦେବ ନିଶ୍ଚୟ ହେଲେ ଏହି କାହାଣୀ ପଛରେ ଲୁଚି ରହିଛି ଲୁହକୋହର ବତୁରା ବେଦନା । ତେଲ ଟାଙ୍କିରେ ତେଲ ଦେଉଥିବା ସୁନିତାଙ୍କ ଛାତି ଭିତରେ ଛପି ରହିଛି ଗୋଟେ ତରଳ ହୃଦୟ, ଗୋଟେ ମାଆର ମନ, ମାଆର ମମତା । ଯେଉଁ ମମତା ପାଇଁ ସେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି । ପୁଅର ଖିଲିଖିଲି ହସ ଆଉ ମାଆ ମାଆ ଡାକ ପାଇଁ ସବୁ ସଙ୍ଘର୍ଷକୁ ସୀମାପାର କରିବାକୁ ଶକ୍ତି ପାଇଛନ୍ତି ।

୨୦୧୧ ମସିହାରେ ନିଜ ଘର ପାଖର ଯୁବକ ବିଶ୍ୱଜିତଙ୍କୁ ପ୍ରେମ ବିବାହ କରିଥିଲେ ସୁନିତା । ଭିନ୍ନ ଜାତି ହୋଇଥିବାରୁ ତାଙ୍କ ବିବାହକୁ ସ୍ୱୀକୃତି ଦେଇନଥିଲେ ପୁଅ ଘର ଲୋକେ । ତେଣୁ ଦୁହେଁ ଅନୁଗୁଳରେ ଭଡାରେ ରହିଥିଲେ । ତେବେ କିଛି ଦିନ ଗଲା ପରେ ସ୍ୱାମୀ ନିର୍ଯାତନା ଦେବା ସହ ପୁଅ ଓ ସ୍ତ୍ରୀକୁ ଛାଡି କୁଆଡେ ପଳାଇ ଯାଇଥିଲେ । ସେବେଠାରୁ ପୁଅର ସବୁ ଅଳି ଅର୍ଦଳି ବୁଝିବା ସହ ବାହାରେ ବାପ ଭଳି କାମ କରି ଘରେ ମାଆର ସ୍ନେହ ଦେଉଛନ୍ତି ସୁନିତା ।

ଜୀବନରେ ଏତେ ଜଞ୍ଜାଳ ସହି ବି କେବେ ନିଜ ପରିବାରକୁ ଅବହେଳା କରି ନାହାନ୍ତି ସୁନିତା । ସାତ ବର୍ଷର ପୁଅ ସହ ନିଜ ମାଆର ସବୁ ଦାୟିତ୍ୱ ନେଇଛନ୍ତି । ସବୁଠାରୁ ବଡ କଥା ହେଲା ଏତେ ଅଭାବ ଅନଟନରେ ଥାଇ ବି ଦୁଇ ଅନାଥ ଛୁଆଙ୍କ ମାଆ ସାଜିଛନ୍ତି ସୁନିତା । ପେଟ୍ରୋଲ ପମ୍ପରେ ଯାହା ରୋଜଗାର କରନ୍ତି ସେତିକିରେ ଚୁଲି ଜଳେ, ତେଲ ଲୁଣର ସଂସାର ଚଳିଯାଏ…

ତେବେ ସୁନିତାଙ୍କ ଏ ଦୁଃଖ ଦେଖି ପେଟ୍ରୋଲ ପମ୍ପର ମାଲିକ ତାଙ୍କୁ ଏହି କାମ ଦେଇଥିଲେ । ସକାଳ ୮ରୁ ସନ୍ଧ୍ୟା ୫ଟା ଯାଏଁ କାମ କରୁଥିବା ସୁନିତା ପେଟ୍ରୋଲ ପମ୍ପରେ ବି ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି । କାଳେ କେତେବେଳେ ସ୍ୱାମୀଙ୍କ ସହ ଭେଟ ହୋଇଯିବ ଆଉ ତାଙ୍କୁ ନ୍ୟାୟ ମିଳିଯିବ । ଏଇ ଅପେକ୍ଷାରେ ଅଛନ୍ତି ସୁନୀତା…