ବଣ ପାହାଡ ଘେରା ଗାଁର ବୈଜ୍ଞାନିକ: ଆଦିବାସୀ ଇଲାକାରୁ ଇସ୍ରୋକୁ ଯାତ୍ରା, ଚର୍ଚ୍ଚାରେ ସଂଘର୍ଷର ଚକ୍ରବ୍ୟୁହ ଭେଦି ଥିବା ଓଡିଆ ପୁଅ ଅଭିମନ୍ୟୁ

289

କନକ ବ୍ୟୁରୋ: ଆଦିବାସୀ ଇଲାକାରୁ ଇସ୍ରୋକୁ ଯାତ୍ରା । ସିମ୍ବାଲି ଗାଁରୁ ଶ୍ରୀହରିକୋଟାର ବୈଜ୍ଞାନିକ । ବଣ ପାହାଡ ଘେରା ଏହି ନିପଟ ମଫସଲି ଗାଁରୁ କେହି ଜଣେ ଇସ୍ରୋକୁ ଯିବ ଆଉ ବୈଜ୍ଞାନିକ ହେବ ଏ କଥା କାହାକୁ ବିଶ୍ୱାସ ହେଉନଥିବ । ହେଲେ ବଣ ଭିତରେ ଫୁଟିଥିବା ବଣମଲ୍ଲୀ ବଣରେ ମଉଳି ନଯାଇ ତାର ବାସ୍ନା ସାରା ଦୁନିଆକୁ ଖେଳିଯିବା ପରେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି କନ୍ଧମାଳର ଅଭିମନ୍ୟୁ ।

କନ୍ଧମାଳ ଜିଲ୍ଲା ଚକାପଦା ବ୍ଲକ ସିମ୍ବାଲି ଗାଁର ଚାଷୀ ପରିବାରରେ ଜନ୍ମ ହୋଇଥିବା ଅଭିମନ୍ୟୁ ମଲ୍ଲିକ ବର୍ତ୍ତମାନ ଶ୍ରୀହରିକୋଟା ସ୍ଥିତ ଇସ୍ରୋରେ ବୈଜ୍ଞାନିକ ଭାବେ ଅବସ୍ଥାପିତ ହୋଇଛନ୍ତି । ତେବେ ଅଭିମନ୍ୟୁଙ୍କ ଏ ସଫଳତା ପଛରେ ରହିଛି ଅନେକ ସଙ୍ଘର୍ଷର କାହାଣୀ । ଗାଁ ସ୍କୁଲରେ ପଞ୍ଚମ ଯାଏଁ ପଢିବା ପରେ ଅଭିମନ୍ୟୁ ଖଜୁରିଆପଡା ବ୍ଲକ ରଣପାଟୁଳୀ ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ । ମାତ୍ର ଷଷ୍ଠ ଶ୍ରେଣୀରେ ଭଲ ମାର୍କ ନରହିବା ପରେ ଅଭିମନ୍ୟୁ ନିଜ ଜୀବନର ଲକ୍ଷ୍ୟ ସ୍ଥିର କରିଥିଲେ ଆଉ ସଫଳତା ପାଇଥିଲେ ।

ତେବେ ପିଲା ବେଳେ ହଳଦୀ ଚାଷ କରି ପାଠ ପଢିଥିବା ଅଭିମନ୍ୟୁ ଦୃଢ ଇଚ୍ଛାଶକ୍ତି, ନିଷ୍ଠା ଓ ଅଦମ୍ୟ ଉଦ୍ୟମ ବଳରେ ଆଜି ଏ ସ୍ଥାନରେ ପହଞ୍ଚିଥିବା କହିଛନ୍ତି । ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଅଭିମନ୍ୟୁ ପାଠ ପଢା ବେଳେ ଛୋଟ ଚାକିରି କରି ଏମଟେକ ପାସ କରିଥିଲେ ଆଉ ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରକୁ ମନୋନୀତ ହୋଇଥିଲେ ।

ତେବେ ଜୀବନରେ ଚାକିରି ପାଇଁ ନୁହେଁ ବରଂ କିଛି ଜାଣିବା ପାଇଁ ପାଠ ପଢିବା ଦରକାର ବୋଲି ଅଭିମନ୍ୟୁ କହିଛନ୍ତି । ଆଦିବାସୀ ଇଲାକାରୁ ଇସ୍ରୋ ବୈଜ୍ଞାନିକ ହୋଇଥିବା ଅଭିମନ୍ୟୁଙ୍କ ପାଇଁ କେବଳ କନ୍ଧମାଳ ନୁହେଁ ବରଂ ସାରା ଓଡିଶା ଗର୍ବ କରୁଛି ।