ଅ-ଆ ଜାଣି ନାହାନ୍ତି ସତ କିନ୍ତୁ ବୁଝିଛନ୍ତି ପାଠର ମହତ୍ୱ! ଶ୍ରମିକ ଦିବସରେ ପଢନ୍ତୁ ଜଣେ ପ୍ରେରଣାଦାୟୀ ଶ୍ରମିକଙ୍କ କାହାଣୀ

53

କନକ ବ୍ୟୁରୋ : ଆଜି ଶ୍ରମିକ ଦିବସ । ଏହି ଶ୍ରମିକ ଦିବସରେ ଜଣେ ଏପରି ବ୍ୟକ୍ତିତ୍ୱଙ୍କୁ ଭେଟିବା ଯିଏ, କୁଲି ଏବଂ ରାଜ ମିସ୍ତ୍ରୀ କାମ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଏହାସହ ନିଜର ୫ଟି ସନ୍ତାନକୁ ପାଠଶାଠ ପଢ଼ାଇ ବେଶ ଉଚ୍ଚ ଶିକ୍ଷିତ କରିଛନ୍ତି କୋରାପୁଟର ରାମ ଟ୍ରାକୀ ।

କୋରାପୁଟ ଜିଲ୍ଲା ଦାମାପୁଟ ଗାଁର ରାମ ଟାକ୍ରୀ । ଜଣେ ଶ୍ରମିକ ଭାବେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଦୃଢ ଇଛା ଶକ୍ତି ଓ କାମ କରିବା ନିଷ୍ଠା କିଭଳି ସବୁ ପ୍ରତିବନ୍ଧକକୁ ପ୍ରତିହତ କରେ ତାର ଉଦାହରଣ ହେଉଛନ୍ତି ଏ ମଣିଷ । ଦିନେ କୁଲି କାମ କରୁଥିବା ରାମ ଟାକ୍ରୀ ଏବେ ରାଜ ମିସ୍ତ୍ରୀ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି ।

ନିଜେ ଅ-ଆ ଜାଣି ନାହାନ୍ତି ସତ କିନ୍ତୁ ବୁଝିଛନ୍ତି ପାଠର ମୁଲ୍ୟ । ସମାଜରେ ମୁଣ୍ଡ ଟେକି ଚାଲିବା ପାଇଁ ପାଞ୍ଚଟି ସନ୍ତାନକୁ କରାଇଛନ୍ତି ଉଚ୍ଚ ଶିକ୍ଷିତ । ରାମଙ୍କ ଅଦ୍ୟମ ଚେଷ୍ଟା ପାଇଁ ଜିଲ୍ଲାବାସୀଙ୍କ ପାଇଁ ପାଲଟିଛନ୍ତି ବଡ଼ ଉଦାହରଣ । ୨୫ ବର୍ଷ ତଳେ କୁଲି କାମ କରିବାକୁ ଜୟପୁର ଆସିଥଲେ ରାମ । ହେଲେ ଆଜି ତାଙ୍କ ସଫଳତା ପାଇଁ ଜୟପୁର ଶ୍ରମିକ ସଂଗଠନ ଏବଂ ତାଙ୍କ ପରିବାର ବେଶ ଗର୍ବିତ ବୋଲି କହନ୍ତି ।ଶ୍ରମିକ ଦିବସରେ ଅନ୍ୟ ଶ୍ରମିକଙ୍କ ପାଇଁ ରାମ ଟ୍ରାକୀଙ୍କ ସଫଳତା ପାଲଟିଛି ପ୍ରେରଣାର ଉତ୍ସ ।