ଲୋକନାଥଙ୍କୁ ଛୁଇଁ ରାଣ ଖାଇଛି, ଖୋଲି ପାରିବିନି ରତ୍ନଭଣ୍ଡାରର ରହସ୍ୟ !

36

କନକ ବ୍ୟୁରୋ : ରାଣ ଦେଇଥିଲା ପ୍ରଶାସନ । ଏପ୍ରିଲ ମାସରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ ସମୟରେ ମୁହଁ ଖୋଲିବାକୁ ବାରଣ କରିଥିଲା ପ୍ରଶାସନ । ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ଏଏସଆଇ କମିଟିର ସଦସ୍ୟ ଜି.ସି ମିତ୍ର । ଏପ୍ରିଲ ମାସରେ ରତ୍ନଭଣ୍ଡାର ଯାଂଚ ପାଇଁ ଏକ କମିଟି ମନ୍ଦିର ଭିତରକୁ ଯିବାବେଳେ ପ୍ରଶାସନ ଏଭଳି ରାଣ ଦେଇଥିଲା । ପ୍ରଫେସର ମିତ୍ର କହିଛନ୍ତି, ରତ୍ନଭଣ୍ଡାରକୁ ଯିବାବେଳେ ଲୋକନାଥଙ୍କୁ ଛୁଆଁଇ ବାହାରେ ମୁହଁ ନ ଖୋଲିବାକୁ କୁହାଯାଇଥିଲା । ରତ୍ନଭଣ୍ଡାର ଭିତରେ ଯାହା ଦେଖିଲୁ, ଯାହା ଶୁଣିଲୁ ଓ ଯାହା କାଥାବାର୍ତା କଲୁ ତାହା ନ କହିବା ପାଇଁ ପ୍ରଶାସନ ରାଣ ଦେଇଥିଲା । ଫଳରେ ଏ ନେଇ କିଛି କହିବାକୁ ସେମାନେ ଠିକ ମଣିନଥିଲେ । କିନ୍ତୁ ଯଥାସମ୍ଭବ ରତ୍ନଭଣ୍ଡାରର ମରାମତି ପାଇଁ ମତ ଦେଇଛନ୍ତି ଜଷ୍ଟିସ ମିତ୍ର । ଏହାଛଡ଼ା ସେ କହିଛନ୍ତି, ରତ୍ନଭଣ୍ଡାର ନୀରିକ୍ଷଣ କରିବାକୁ ଯିବାବେଳେ ଚାବିକଥା ଆମେ ଜାଣିନଥିଲୁ । ରତ୍ନଭଣ୍ଡାର ଚାବି ଥିଲା କି ନାହିଁ ତାହା ଆମକୁ ଜଣା ନଥିଲା ।

ତେବେ ଏସବୁ ଭିତରେ ଆଜି ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି କମିସନ । ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ ତଦନ୍ତ କମିସନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ସରକାର । କମିଶନ ତଦନ୍ତ କରି ଆସନ୍ତା ୩ ମାସ ଭିତରେ ରିପୋର୍ଟ ଦେବେ । ସେପଟେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଏଥିରେ ୧୦ ଜଣଙ୍କୁ ପକ୍ଷଭୁକ୍ତ କରିଛନ୍ତି ଆବେଦନକାରୀ । ରାଜ୍ୟ ସରକାର, କେନ୍ଦ୍ର ସରକାର, ସିବିଆଇ ଓ ରିଜର୍ଭ ବ୍ୟାଙ୍କକୁ ଏଥିରେ ପକ୍ଷଭୁକ୍ତ କରାଯାଇଛି । ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ରତ୍ନଭଣ୍ଡାର ଅଳଙ୍କାର ଯାଂଚ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ମଧ୍ୟ ଆବେଦନ କରାଯାଇଛି ।