ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍-ପୁଟ ସବସିଡ଼ି । କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳ ଓ କୃଷି ବିଭାଗକୁ ଏସଆରସିଙ୍କ ନିର୍ଦ୍ଦେଶ, କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦିଅ ।

32

କନକ ବ୍ୟୁରୋ: ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍-ପୁଟ୍ ସବସିଡ଼ି । ବାତ୍ୟା ଓ ବନ୍ୟା ପ୍ରଭାବିତ  ଜିଲ୍ଲାର ଜିଲ୍ଲାପାଳ ଓ କୃଷି ବିଭାଗକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ । ତୁରନ୍ତ ବାତ୍ୟା ଓ ବନ୍ୟା ପ୍ରଭାବିତ କ୍ଷେତ୍ର ପରିଦର୍ଶନ କରି ଏସଆସିଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି । ଏହି ରିପୋର୍ଟ ଆଧାରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନ୍-ପୁଟ୍ ସବସିଡ଼ି ପ୍ରଦାନ କରିବେ ରାଜ୍ୟ ସରକାର ।

ଏହାର ମାପଦଣ୍ଡ ହିସାବ ଯଥା, ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା ମିଳିବାକୁ ଥିବାବବେଳେ ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ଇନ୍-ପୁଟ୍ ସବସିଡ଼ି ପ୍ରଦାନ କରାଯିବ । ତେବେ ସର୍ବାଧିକ ୨ ହେକ୍ଟର ଜମି ପର୍ଯ୍ୟନ୍ତ ଇନ୍-ପୁଟ୍ ସବସିଡ଼ି ଦିଆଯାଇ ପାରିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି । ଏନେଇ ଯୁଗ୍ମ ରିଲିଫ୍ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ସରକାରୀ ରିପୋର୍ଟ ମୁତାବକ ୨ ଲକ୍ଷ ୭୩ ହଜାର ୪୨୫ ହେକ୍ଟର ଚାଷ ଜମି ଓ ୫୭ ହଜାର ୧୩୧ଟି ଘର କ୍ଷତିଗ୍ରସ୍ତ ହୋଇଛି । ଏହାସହ ମୋଟ୍ ୧୨୮ଟି ବ୍ଲକ ଓ ୮୧୨୫ ଟି ଗାଁ ଏହି ବାତ୍ୟା ଓ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ୫୭ ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ରାଜ୍ୟ ସରକାର ।

ଏହାସହ ଆସନ୍ତା ୨ ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ କରାଯିବ । କ୍ଷୟକ୍ଷତିର ସଠିକ୍ ଆକଳନ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ତିତଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ହୋଇଥିବା ଅଞ୍ଚଳର ଯୋଗାଯୋଗ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରାଯାଇଛି । ଯାହାଫଳରେ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୮୦ ପ୍ରତିଶତ ବିଦ୍ୟୁତ୍ ପୁନଃ ସଂଯୋଗ ହୋଇପାରିଛି । ସେହିଭଳି ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଏବେ ବି ଏନଡିଆଏଫ ଓ ଅଗ୍ନିଶମ କର୍ମଚାରୀ ନିୟୋଜିତ ଅଛନ୍ତି ବୋଲି ଡେପ୍ୟୁଟି ଏସଆରସି କହିଛନ୍ତି ।