ଅଶ୍ଳୀଳ ଏମଏମଏସ୍ ଟ୍ରାପରେ ଯୁବତୀ ! ଭିଡିଓରେ ନଥାଇ ବି ଯୁବତୀ ବଦନାମ

46

କନକ ବ୍ୟୁରୋ : ବଜାରରେ ଘୁରିବୁଲୁଛି ଯୁବତୀଙ୍କ ଆପତ୍ତିିଜନକ ଭିଡିଓ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଅଶ୍ଳୀଳ ଏମଏମଏସ । ହେଲେ ଭିଡିଓରେ ନଥାଇ ମଧ୍ୟ ଜଣେ ଯୁବତୀଙ୍କୁ ବଦନାମ କରିବା ପାଇଁ ଚାଲିଛି ଷଡଯନ୍ତ୍ର । ମାନ, ମହତକୁ ନିଲାମ କରିବାକୁ ଚାଲିଛି ସୁଚିନ୍ତିତ ଯୋଜନା । ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିବା ପରେ ଗାଁ ଦାଣ୍ଡରେ ମୁଣ୍ଡଟେକି ଚାଲିପାରୁ ନାହାନ୍ତି ଯୁବତୀ ଜଣକ ।

ଭୀଷଣ ମାନସିକ ଚାପରେ ଥିବା ଯୁବତୀ ଶେଷରେ ସେହି ସୋସିଆଲ ମିଡିଆର ସାହାରା ନେଇଛନ୍ତି । ଆଉ ତାଙ୍କୁ ଅଯଥାରେ ବଦନାମ ନକରିବାକୁ ଆକୁଳ ନିବେଦନ କରିଛନ୍ତି । ଅନ୍ୟଜଣେ ଯୁବତୀ ଭିଡିଓରେ ଥିବାବେଳେ ତାଙ୍କ ଫଟୋସହ ଟ୍ୟାଗ କରି ଭିଡିଓକୁ ଭାଇରାଲ କରାଯାଉଥିବାରୁ ଆପତ୍ତିି ଉଠାଇଛନ୍ତି ଯୁବତୀ ଜଣକ ।

ବାରିପଦାରେ ଏକ ଘରୋଇ କଲେଜରେ ପାଠ ପଢୁଥିବା ଏହି ଯୁବତୀଙ୍କ ପାଇଁ ଯୁକ୍ତ ତିନି ଶିକ୍ଷା ସମାପ୍ତ କରିବା ବି ମୁସ୍କିଲ ହୋଇପଡିଛି । କାରଣ ସାଙ୍ଗସାଥୀଙ୍କଠୁ ଆରମ୍ଭ କରି ସହପାଠୀ ଟାହି ଟାପରା କରୁଛନ୍ତି । ପରିବାର ଲୋକଙ୍କୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡୁଛି ।

ବାରମ୍ବାର ଏଭଳି ଅଶ୍ଳୀଳ ଭିଡିଓ ବଜାରରେ ଘୁରି ବୁଲିବାର ଖବର ସାମ୍ନାକୁ ଆସୁଥିବାବେଳେ ବଦନାମ ହେଉଛନ୍ତି ଅନେକ ଯୁବତୀ । ସୋସିଆଲ ମିଡିଆକୁ ମାଧ୍ୟମ କରି ଯୋଜନାବଦ୍ଧ ଭାବେ ବଦନାମ କରିବାକୁ ଷଡଯନ୍ତ୍ର କରୁଛନ୍ତି ଦୁର୍ବୃତ୍ତ । ଏମାନଙ୍କୁ ଠାବ କରି କଠୋର କାର୍ଯ୍ୟାନୁଷ୍ଠାନ ନେବା ପୋଲିସ ଓ ସାଇବର ସେଲ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।