ପପୁଙ୍କ ମୁହଁରେ କାଳି ! ମହଙ୍ଗା ପଡିଲା କାଳିଆକୁ କମେଡି

120

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁଙ୍କ ମୁହଁ କଳା । କାଳିଆ ଠାକୁରଙ୍କୁ କମେଡି କରି ଫସିଗଲେ ହାସ୍ୟ ଅଭିନେତା ପପୁ ପମ ପମ୍ । ସୁଟିଂ ସାରି ଘରକୁ ଫେରୁଥିବା ବେଳେ ଭୁବନେଶ୍ୱରରେ ଲୁଲୁ ସେନାର ଚକ୍ରବ୍ୟୁହରେ ପଡି ଯାଇଥିଲେ ପପୁ । ହଠାତ୍ ଗାଡି ଅଟକାଇ କିଛି ଯୁବକ ପପୁଙ୍କ ଉପରକୁ କାଳିମାଡ କରିଥିଲେ । କାନଧରି ନେହୁରା ହେବା ପରେ ପପୁଙ୍କ ଗାଡିକୁ ଛାଡିଥିଲେ ଉତ୍ୟକ୍ତ ଯୁବକମାନେ ।

ସ୍ଥାନ ଝାରପଡା ଓଭର୍ ବ୍ରିଜ୍ । ସମୟ ପାଖା ପାଖି ୧୨.୩୦ । ରାଜଧାନୀର ରାସ୍ତାରେ ସୃଷ୍ଟି ହେଲା କେବେ ଘଟି ନଥିବା ଘଟଣା । ପପୁଙ୍କ ଗାଡିକୁ ଘେରିଗଲେ କିଛି ଯୁବକ । ପପୁ ଭାବିଲେ କାଷ୍ଟିଂ କାଉଚ୍ ମାମଲା ପରେ ବି କମିନି କ୍ରେଜ୍ । ଭବିଲେ , ଗାଡି ଅଟକାଇ ଫ୍ୟାନଙ୍କୁ ଅଟୋଗ୍ରାଫ୍ ଦେବେ । ହେଲେ ହ୍ୟାଣ୍ଡସେକ୍ ବଦଳରେ ହଠାତ୍ କଳା ପଡିଗଲା ପପୁଙ୍କ ମୁହଁ । ଅତର୍କିତ ହେଲା କାଳି ମାଡ ।

କିଛି ଭାବିବା ପୂର୍ବରୁ ପପୁ ଫସି ଯାଇଥିଲେ ଲୁଲୁ ସେନାର ଚକ୍ରବ୍ୟୁହରେ । ହାତ ଯୋଡିଲେ, କାନ ଧରିଲେ । ନେହୁରା ହେବା ପରେ ଲୁଲୁ ସେନା ପପୁଙ୍କୁ ରାସ୍ତା ଛାଡିଲେ । କାଳିଆ ଠାକୁରଙ୍କୁ କମେଡି ପରେ ଏଥିଲା ପୁଞ୍ଜିଭୂତ ଅସନ୍ତୋଷ । ଦୁଇଦିନ ହେଲା ପୁରୀରେ ଚାଲିଥିଲା ପପୁଙ୍କ ବିରୋଧରେ ବିକ୍ଷୋଭ । ଆଉ ଆଜି ଲୁଲୁ ସେନା ନେଲା ରାସ୍ତା ଉପରେ ବଦଲା ।

ତେବେ ଲୁଲୁ ସେନାର ଚକ୍ରବ୍ୟୁହରେ କେମିତି ଫସିଲେ ପପୁ । ଝାରପଡା ଜେଲ୍ ନିକଟରେ ଚାଲିଥିଲା ଫିଲ୍ମ ‘କଥା ଦେଲି ମଥା ଛୁଇଁ’ର ସୁଟିଂ । ସେଟରେ ପପୁଙ୍କୁ ଦେଖିବାକୁ ଦେଖଚ୍ଚାହାରୀଙ୍କ ଖଚାଖଚ୍ ଭିଡ । ପୁରୀରେ ମହାପ୍ରଭୁଙ୍କୁ ନେଇ ଆପତ୍ତିଜନକ କଥା କହିବା ପରଠାରୁ ପପୁଙ୍କ ପ୍ରତିକ୍ରିୟା ପାଇଁ ଗଣମାଧ୍ୟମର ପ୍ରତିନିଧି ବି ଜଗି ରହିଥିଲେ ।

ହେଲେ ସୁଟିଂ ସରିବା ପରେ ମିଡିଆକୁ ଆଡେଇ ପପୁ ଫେରୁଥିଲେ ଘରକୁ ଗାଡି ଡ୍ରାଇଭ୍ କରୁଥିଲେ କାଷ୍ଟିଂ କାଉଚ୍ ଅଭିଯୋଗରେ ପପୁଙ୍କ ସହ ଛନ୍ଦି ହୋଇଥିବା ସହଯୋଗୀ ଗିଟୁ । ହେଲେ ସେ ଜାଣି ନଥିଲେ ସୁଟିଂ ସେଟରୁ ମାତ୍ର କିଛି ଦୂରରେ ଅପେକ୍ଷା କରିଥିଲା ଲଜ୍ଜା ଓ ଅପମାନର ମୁହୂର୍ତ୍ତ । କାଳିଆ ଠାକୁରଙ୍କୁ କମେଡି କରି କଳା ପଡିଗଲା ପପୁଙ୍କ ମୁହଁ ।

ସେପଟେ ସୋସିଆଲ ମିଡିଆରେ ପପୁଙ୍କୁ  କାଳିମାଡ ଫୋଟୋ ସେୟାର କରିଥିବା ଛାତ୍ରଙ୍କୁ ଧମକ ମିଳିଛି । ପପୁ ଏବଂ ପପୁଙ୍କ ସହଯୋଗୀ ଗିଟୁ ଫୋନରେ ତାଙ୍କୁ  ଧମକ ଦେଇଥିବା ଅଭିଯୋଗ  ହୋଇଛି ।  ଅଭିଯୋଗ ଆଣିଛନ୍ତି ବିପିୟୁଟି ଜଣେ ଛାତ୍ର । ପରେ ପପୁ ଏବଂ ତାଙ୍କ ସହଯୋଗୀ ଗିଟୁଙ୍କ ନାଁରେ ସହୀଦନଗର ଥାନାରେ ଏତଲା ଦେଇଛନ୍ତି ସଂପୃକ୍ତ ଛାତ୍ର ଜଣକ ।