ଜମି କଳିରୁ ମୁଣ୍ଡ ଗଡିଲା! ମଦ୍ୟପ ନାତିର ଠେଙ୍ଗା ମାଡରେ ଚାଲିଗଲା ଜେଜେ, ଆଈ ଓ ପିଉସୀର ଜୀବନ

ଅଭିଯୁକ୍ତ ଫେରାର

122

କନକ ବ୍ୟୁରୋ: କେନ୍ଦ୍ରପଡା ପାଟକୁରା ଥାନା ମଧୁସୂଦନ ପୁର ଗାଁରେ ଟ୍ରିପଲ ମର୍ଡର । ମଦ୍ୟପ ସମ୍ପର୍କୀୟ ନାତିର ଠେଙ୍ଗା ଆକ୍ରମଣରେ ଜେଜେ, ଆଈ ଓ ପିଉସୀ ମୃତ । ଗତକାଲି ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏହି ଘଟଣା ପରେ ଆକ୍ରମଣକାରୀ ଯୁବକ ବିକ୍ରମ କେଉଁଆଡେ ଫେରାର ହୋଇଯାଇଛି ।

ବିକ୍ରମ ଦାସଙ୍କ ବାପା ଅକ୍ଷୟ ଦାସଙ୍କ ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବିକ୍ରମ ଅତ୍ୟଧିକ ମଦପିଇ ଘରକୁ ଆସିଥିଲେ । ଏହା ପରେ ସ୍ତ୍ରୀଙ୍କ ସହ ତାଙ୍କ ପାଟିତୁଣ୍ଡ ହୋଇଥିଲା । ବିକ୍ରମ ଏକ କୋଦାଳରେ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା । ବାପା ଅକ୍ଷୟ ଓ କେତକୀ ଏହାର ପ୍ରତିବାଦ କରିବାରୁ ବିକ୍ରମ ତାଙ୍କୁ ମଧ୍ୟ ମାଡ ମାରିଥିଲା । ପରିବାର ଲୋକେ ଜୀବନ ବଂଚାଇବା ପାଇଁ ଏଣେତେଣେ ଧାଇଁ ପଳାଇଥଇଲେ ଓ ହାବୁଡରେ ପଡିଥିଲେ ପଡିଶା ଘରର ଜେଜେ ଧୃବ ଦାସ ଓ ତାଙ୍କ ସ୍ତ୍ରୀ ସରସ୍ୱତୀ ଓ ଝିଅ ପ୍ରତିମା ।

ଏହି ୩ ଜଣଙ୍କୁ ବିକ୍ରମ କୋଦାଳରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଟଳିପଡିଥିଲେ ଧ୍ରୁବ ଓ ତାଙ୍କ ପତ୍ନୀ ସରସ୍ୱତୀ । ପ୍ରତିମାଙ୍କୁ କଟକ ନିଆଯାଉଥିବା ବେଳେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି । ଜମିଜମା ବିବାଦକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।