ଘର ଘର ବୁଲୁଛନ୍ତି ‘ପ୍ୟାଡ଼ ଆଣ୍ଟି’ ! ମାସିକ ଧର୍ମ ସମୟରେ ହେଉଥିବା ସମସ୍ୟା ନେଇ ଗାଁର ଝିଅ ଓ ମହିଳାଙ୍କୁ କରୁଛନ୍ତି ସଚେତନ

40

ସହରରେ ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦିଆଯାଏ । ଆଉ ଏଥିରେ ଗାଁ ଗୁଡ଼ିକ ପଛରେ ରହିଯାଆନ୍ତି । କିନ୍ତୁ ବର୍ତ୍ତମାନ ଗାଁରେ ମଧ୍ୟ ଲୋକଙ୍କୁ ଏନେଇ ସଚେତନ କରାଯାଉଛି । କେବଳ ଘର କିମ୍ବା ବାହାର ସଫା କରିବା ଦ୍ୱାରା ଦେଶରେ ସ୍ୱଚ୍ଛତା ଆସିବ ନାହଁ । ଏଥିପାଇଁ ଝିଅ ଓ ମହିଳାମାନଙ୍କ ସ୍ୱଚ୍ଛତା ପ୍ରତି ମଧ୍ୟ ଧ୍ୟାନ ଦେବା ଜରୁରୀ । ଗାଁରେ ରହୁଥିବା ଝିଅ ଓ ମହିଳାମାନଙ୍କ ମାସିକ ଧର୍ମ ସମୟର ହେଉଥିବା ଅସୁବିଧାକୁ ନେଇ ପ୍ରଥମ ଥର ସର୍ଭେ କରାଯାଉଛି । ମାଗଣା ସାନିଟାରୀ ପ୍ୟାଡ଼୍ ଦେବା ପାଇଁ ‘ପ୍ୟାଡ଼୍ ଆଣ୍ଟି’ ଘର ଘର ବୁଲୁଛନ୍ତି । ଏପରି ଅଭିନବ ଅଭିଯାନ ଆରମ୍ଭ ହୋଇଛି ଇନ୍ଦୋର ସହର ଓ ପାଖାପାଖି ଅଂଚଳରେ । ୬ଟି ଗାଁରୁ ଆରମ୍ଭ ହୋଇଥିିବା ଅଭିଯାନ ଏବେ ୨୦ଟି ଗାଁ ପର୍ଯ୍ୟନ୍ତ ପହଞ୍ଚିଲାଣି ।

ସରକାର ଅଙ୍କନୱାଡ଼ି କେନ୍ଦ୍ର ଗୁଡ଼ିକୁ ଦାୟିତ୍ୱ ଦେଇ ଦୋଷ ଛଡ଼଼ାଇ ବସିଛନ୍ତି । କିନ୍ତୁ ଗାଁରେ ଗରିବ ଝିଅ ଓ ମହିଳାଙ୍କ ପାଖରେ ୨୫-୩୦ ଟଙ୍କା ଦେଇ ନ୍ୟାପକିନ୍ କିଣିବାର ମଧ୍ୟ ସାମର୍ଥ୍ୟ ନାହିଁ । ଏପରିସ୍ଥଳେ ଗାଁର ମହିଳାମାନେ ବାଧ୍ୟ ହୋଇ ପରମ୍ପରାଗତ ସାଧନ ଉପଯୋଗ କରୁଛନ୍ତି । ଆଉ ଏଥିରେ ୟୁରିନ୍ ଓ ଗର୍ଭାଶୟ ସଂକ୍ରମଣ ପରି ସମସ୍ୟା ବଢ଼ୁଛି । ଗାଁରେ ପ୍ରତି ୪ ଜଣ ମହିଳାଙ୍କ ମଧ୍ୟରେ ଜଣେ ଏପରି ସମସ୍ୟା ଭୋଗୁଛନ୍ତି । ତେବେ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ମହିଳାଙ୍କ ପାଇଁ କାମ କରୁଥିବା ଶକ୍ତି ସମୂହ ମାଗଣା ସାନିଟାରୀ ନାପକିନ୍ ବାଂଟିବା ପାଇଁ ନିଷ୍ପତ୍ତିି ନେଇଛନ୍ତି । ଇନ୍ଦୋରର ସୁରତୀପୁରା, ରାଜପୁରା ଓ ପାଖାପାଖି ଗାଁ ଗୁଡ଼ିକରେ ମହିଳାଙ୍କ ଏକ ଦଳ ମୁଣିରେ ସାନିଟାରୀ ନାପକିନ୍ ଧରି ବୁଲୁଛନ୍ତି । ଏହି ମହିଳାମାନଙ୍କୁ ‘ପ୍ୟାଡ଼ି ଆଣ୍ଟି’ ନାମ ଦିଆଯାଇଛି । ଘରଘର ଯାଇ ସାନିଟାରୀ ନାପିକନ ବ୍ୟବହାର ପାଇଁ ଏମାନେ ମହିଳାଙ୍କୁ ସଚେତନ କରୁଛନ୍ତି ।